୧୪୦ବର୍ଷର କୋଠାରେ ଚାଲିଛି ତହସିଲ, ଲୋକାର୍ପଣର ୩ମାସ ପରେ ବି ହୋଇନି ସ୍ଥାନାନ୍ତର

ଜୟପୁର: ଗତ ୩ମାସ ତଳେ ନୂଆବସଷ୍ଟାଣ୍ଟ ନିକଟରେ କୋରାପୁଟ ଜିଲ୍ଲା ଜୟପୁର ତହସିଲଦାରଙ୍କ ନବ ନିର୍ମିତ କାର୍ଯ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଭର୍‌ଚୁଆଲରେ ଲୋକାର୍ପଣ କରିଥିଲେ। ଆଶା କରାଯାଉଥିଲା ଏହା ପରେ ଏଠାକୁ କାର୍ଯ୍ୟାଳୟ ସ୍ଥାନାନ୍ତର ହୋଇଯିବ। ତେବେ ଏହା ପରେ ବି ଅନୁସଙ୍ଗିକ ଭିତ୍ତିଭୁମି ଓ ବୈଷୟିକ ବ୍ୟବସ୍ଥା ସଜାଡ଼ା ଯାଇ ନଥିବାରୁ ସେଠାକୁ ସ୍ଥାନାନ୍ତର ହୋଇ ପାରି ନାହିଁ। ଆଜି ବି ସେହି ୧୪୦ବର୍ଷ ତଳେ ରାଜାରାଜୁଡା ଶାସନ ସମୟର ଅଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ଚାଳିଛି ଜୟପୁର ତହସିଲ କାର୍ଯ୍ୟାଳୟ। କମ୍ ସଂଖ୍ୟକ ରୁମ ଥିବାରୁ କାର୍ଯ୍ୟାଳୟ ପାଇଁ ଆବଶ୍ୟକ ପଡ଼ୁଥିବା ରୁମର ଅଭାବ ରହିଛି। ତେଣୁ ପୂର୍ବରୁ ଥିବା ମାଲାଖାନା ଓ ହାଜତକୁ ବି ତହସିଲର ବିଭିନ୍ନ କର୍ମଚାରୀ ମାନେ ବ୍ୟବହାର କରୁଛନ୍ତି।

ତେବେ ଦିନକୁ ଦିନ ଏହି କାର୍ଯ୍ୟାଳୟର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ସହର ମଧ୍ୟଭାଗରେ ଏହି କାର୍ଯ୍ୟାଳୟ ଟି ରହିଥିବାରୁ ଏଠାକୁ ବିଭିନ୍ନ କାମରେ ଆସୁଥିବା ଲୋକେ ଓ ଆଇନଜୀବୀ ମାନେ କାର୍ଯ୍ୟାଳୟ ସମ୍ମୁଖରୁ ଆରମ୍ଭ କରି ମୁଖ୍ୟରାସ୍ତାରେ ବାଇକ୍ ଓ ଗାଡି ପାର୍କିଂ କରି ରଖୁଛନ୍ତି। ଏହା ଫଳରେ କାର୍ଯ୍ୟାଳୟ ସମ୍ମୁଖରେ ଭିଡ଼ ଜମିବା ସହ ମୁଖ୍ୟରାସ୍ତାରେ ଟ୍ରାଫିକ ଜାମ୍ ହେଉଛି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଜୟପୁର ସଦରଥାନା ପାର୍ଶ୍ବରେ ଜିଲ୍ଲାପ୍ରଶାସନ ପକ୍ଷରୁ ନୂଆ ତହସିଲ କାର୍ଯ୍ୟାଳୟର ନିର୍ମାଣ କରିବାକୁ ଯୋଜନା କରାଯାଇଥିଲା। ଏହାରି ମଧ୍ୟରେ ଏହାର ନିର୍ମାଣ କାମ ସରିବା ସହ ସହ ତହସିଲକୁ ହସ୍ତାନ୍ତର ଏବଂ ଲୋକାପର୍ଣ ବି ସରିଲାଣି।

ତେବେ ଏଠାକୁ ପୁରୁଣା ତହସିଲ କାର୍ଯ୍ୟାଳୟ କେବେ ସ୍ଥାନାନ୍ତର ହେବ ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ନୂଆ ତହସିଲ କୋଠା ଆମକୁ ହସ୍ତାନ୍ତର ହେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଗତ ନଭେମ୍ବର ମାସରେ ଭର୍‌ଚୁଆଲ୍ ମାଧ୍ୟମରେ ଲୋକାର୍ପଣ କରି ସାରିଛନ୍ତି ବୋଲି କହିଛନ୍ତି ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନ। ତେବେ ଓସୱାନର କାମ ବାକି ରହିଥିବାରୁ ସ୍ଥାନାନ୍ତର ହୋଇପାରିନି।

ଏହାରି ମଧ୍ୟରେ ଓସୱାନ କାମ କରୁଥିବା ଭୁବନେଶ୍ବରରୁ ବୈଷୟିକ କର୍ମଚାରୀ ମାନେ କାମ ଆରମ୍ଭ କରିଛନ୍ତି। କିଛି ବୈଷୟିକ ଯନ୍ତ୍ରାଂଶ, ତାର ଆଦି ବି ପହଞ୍ଚିବା ବାକି ରହିଛି। ସେ ସବୁ ଆସିବା ପରେ ବିଏସଏନଏଲ୍ ପକ୍ଷରୁ ଲାଇନ୍ ଦେବା ପାଇଁ ଏସଡିଓଙ୍କ ସହ ଆଲୋଚନା ବି ସରିଛି ବୋଲି କହିଛନ୍ତି ତହସିଲଦାର। ଏହି ମାସ ଶେଷ ସୁଦ୍ଧା ନୂଆ କୋଠାକୁ ସମ୍ପୂର୍ଣ୍ଣ ରୁପେ ତହସିଲ କାର୍ଯ୍ୟାଳୟ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ତହସିଲଦାର। ବର୍ତ୍ତମାନର ପିଡି ହେମକାନ୍ତ ସୟ ଜୟପୁର ଉପଜିଲ୍ଳାପାଳ ଓ ପୌରନିର୍ବାହୀ ଅଧିକାରୀର ଭାରପ୍ରାପ୍ତ ଦାୟିତ୍ବରେ ଥିବା ସମୟରେ ପୁରୁଣା ତହସିଲକୁ ଭଙ୍ଗା ଯାଇ ଏଠାରେ ଫୁଡ଼ ପାର୍କ କରିବାକୁ ଯୋଜନା କରିଥିଲେ। ସେହି ଯୋଜନା ଆଗାମୀ ଦିନରେ କାର୍ଯ୍ୟକାରୀ ହେବ ବୋଲି ଏବେ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର