ରାୟଗଡା: ରାଜ୍ୟ ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗଙ୍କ ଚିିଠି ସଂଖ୍ୟା ୭୦୪୧/୨୩/୨/୨୦୨୩ ନିର୍ଦ୍ଦେଶ ପ୍ରକାରେ ରାୟଗଡା ଜିଲ୍ଳା ବିଷମକଟକ ତହସିଲଦାର ତଥା ତତ୍କାଳୀନ ସବ୍-ରେଜିଷ୍ଟ୍ରାର ଶୁଭେନ୍ଦୁ କୁମାର ଜେନାଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି । ଏଥିସହ ରାୟଗଡା ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ହେଡ୍କ୍ୱାଟସରେ ରହିବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯିବା ସହ ଜିଲ୍ଳାପାଳଙ୍କ ବିନା ଅନୁମତିରେ ସେ ହେଡକ୍ୱାଟର୍ସ ଛାଡି ପାରିବେ ନାହିଁ ବୋଲି କଡା ନିର୍ଦ୍ଦେଶ ରହିଛି । ପ୍ରକାଶ ଥାଉ କି,୨୦୧୬-୧୭ବର୍ଷରୁ ୨୦୨୧-୨୨ବର୍ଷ ମଧ୍ୟରେ ବିଷମକଟକ ବ୍ଳକ ସବରେଜିଷ୍ଟ୍ରାର କାର୍ଯ୍ୟାଳୟର କନିଷ୍ଠ କିରାଣୀ ତଥା ରାଜସ୍ୱ ସହାୟକ ବନମାଳି କରଙ୍କ ଜମି ପଂଜୀକରଣ ବାବଦ ଆଦାୟ ରାଜସ୍ୱ ୧.୩୨କୋଟି ଟଙ୍କା ସରକାରୀ ଖାତାରେ ଜମା ନ କରି ଆତ୍ମସାତ୍ ଅଭିଯୋଗରେ କିରାଣୀ ଶ୍ରୀ କର ପୂର୍ବରୁ ନିଲମ୍ବନ ହୋଇଥିଲେ ।
ଯାହାକୁ ନେଇ ମାମଲା ଭିଜିଲାନ୍ସ ତଦନ୍ତ ପରିସରଭୁକ୍ତ ହୋଇଥିଲା । ଗତ ୨୦୧୮ରୁ ବିଷମକଟକ ତହସିଲଦାର ତଥା ସବ ରେଜିଷ୍ଟ୍ରାର ଭାବେ ଶ୍ରୀ ଜେନା ଦାୟିତ୍ୱ ନେବା ପରେ କିରାଣୀ ଶ୍ରୀ କରଙ୍କ କରିତକର୍ମା ବିଷୟରେ କିପରି ଭାବେ ଅବଗତ ହୋଇ ନ ଥିଲା ଏ ନେଇ ସମସ୍ତଙ୍କୁ ଚକିତ କରିଥିବା ବେଳେ ତାଙ୍କ ବିରୁଦ୍ଧରେ ପ୍ରଶାସନିକ ସ୍ତରରେ ରାଜ୍ୟ ସରକାରଙ୍କ ସଂପୃକ୍ତ ବିଭାଗକୁ ଅଭିଯୋଗ ହୋଇଥିଲା । ଯାହାର କ୍ରମନ୍ୱୟରେ ଚଳିତ ମାସ ୨୩ତାରିଖରେ ବିଭାଗୀୟ ନିର୍ଦ୍ଦେଶନାମା ପ୍ରକାରେ ତହସିଲଦାର ଶ୍ରୀ ଜେନାଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି ।