ନାଁ ଆରୋହୀ; ରଙ୍ଗ ହଳଦିଆ ପାଟିକୁ ମିଠା, ଅଁଳାବେଡ଼ା ମାଟିରେ ତାଇୱାନ୍‌ ତରଭୁଜ

କଲିକତା ଗଲା ପ୍ରଥମ ଅମଳ, କେଜିକୁ ୧୦/୧୨ଟଙ୍କା

ରାସୋଳ(ପ୍ରବୋଧ କୁମାର ପାଲ୍‌): ତରଭୂଜ କାଟିଲେ ନାଲି। ଏକଥା ତ ସଭିଁଙ୍କୁ ଜଣା। କିନ୍ତୁ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କଳିଙ୍ଗା ଗ୍ରାମର ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଶଙ୍କର ବିଜୟ ପାଲ ନିଜ ଅବସର ସମୟରେ ଏମିତି ଏକ ତରଭୁଜ ଚାଷ କରିଛନ୍ତି ଯାହାର ରଙ୍ଗ ହଳଦିଆ। ଅନ୍ୟାନ୍ୟ ତରଭୁଜ ପରି ଏହାର ଚ‌ୋପା ଯଦିଓ ପାଖାପାଖି ସମାନ, କିନ୍ତୁ ଭିତର ରଙ୍ଗକୁ ନେଇ ଫଳଟି ଏବେ ବେଶ୍ ଚର୍ଚ୍ଚିତ। ମଞ୍ଜିର ନାଁଟି ଆରୋହୀ। ଏହା ତାଇୱାନର ଫଳ। ନିଜସ୍ବ ଉଦ୍ୟମରେ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଶ୍ରୀ ପାଲ୍ ତାଇୱାନର ଏ ଫଳକୁ ନିଜ ମାଟିରେ ଫଳାଇବାରେ ସକ୍ଷମ ହୋଇଛନ୍ତି।

ଶ୍ରୀ ପାଲଙ୍କ ବୟସ ପ୍ରାୟ ୭୭ବର୍ଷ। ଆଠଗଡ଼, ଢେଙ୍କାନାଳ ପ୍ରମୁଖ କଲେଜରେ ଅଧ୍ୟାପନା ଓ ଅଧ୍ୟକ୍ଷତା ପରେ ଶେଷରେ ଖଜୁରିଆକଟା କଲେଜରୁ ଅଧ୍ୟକ୍ଷ ଭାବେ ଅବସର ନେଇଥିଲେ। ଶେଷରେ ଚାଷ କରିବାକୁ ମନ ବଳାଇଥିଲେ। ହିନ୍ଦୋଳ ବ୍ଲକ୍‌ ଗୁହାଳିପାଳ ପଞ୍ଚାୟତ ଅଁଳାବେଡ଼ା ଗାଁରେ ଥିବା ପ୍ରାୟ ସାତ ଏକର ଜମିରେ ଫାର୍ମ ହାଉସ୍‌ କରିବାକୁ ଅଣ୍ଟା ଭିଡ଼ିଥିଲେ। ଜୁଲାଇ ମାସରେ ୪୭୦ଆମ୍ବ ଗଛ, ୧୫୦ପିଜୁଳି ଗଛ ଏବଂ ୧୫୦ଲେମ୍ବୁ ଗଛ ଲଗାଇଥିଲେ। ଏହି ଗଛ ଗଛ ମଧ୍ୟରେ(ଇଣ୍ଟର କ୍ରପିଂ) ଚାଷ କରିବାକୁ ଯୋଜନା ହେଲା। ଶ୍ରୀ ପାଲ୍‌ଙ୍କ ବଡ଼ ପୁଅ ଶଶାଙ୍କ ଶେଖର ପାଲ୍ ଜଣେ ଟେଲିକମ୍‌ ଇଞ୍ଜିନିୟର। ଯୋଜନା କ୍ରମେ ଆମ୍ବ ଗଛ ମଝିରେ ଇଣ୍ଟର କ୍ରପିଂ ପାଇଁ ଏକ ତାଇୱାନ କମ୍ପାନିଠାରୁ ନାଲ୍‌ ଏବଂ ହଳଦିଆ ନାମରେ ଦୁଇ ପ୍ରକାର ତରଭୁଜ କିସମ ମଞ୍ଜି ଶଶାଙ୍କ ମଗାଇଥିଲେ। ହଳଦିଆ ତରଭୁଜ ମଞ୍ଜିର ନାଁ ଥିଲା ‘ଆରୋହୀ’ ଏବଂ ନାଲ୍ ତରଭୁଜ କିସମ ମଞ୍ଜିର ନାଁ ଥିଲା ‘ଜନତ୍‌’।

ପ୍ରାୟ ଦୁଇ ଏକର ଜମିରେ ୬ହଜାର ଗଛ ଲଗା ଯାଇଥିଲା। ଯାହା ୬୦/୭୦ଦିନ ମଧ୍ୟରେ ଫଳ ଦେଇଛି ବୋଲି ଶଶାଙ୍କ କହିଛନ୍ତି। ଗୋଟିଏ ଗୋଟିଏ ଫଳ ୨କେଜିରୁ ୬କେଜି ଯାଏ ଫଳୁଛି ବୋଲି ସେ କହିଛନ୍ତି। ଏହାର ଦାମ୍‌ ବି ବେଶି ନୁହେଁ। ଅନ୍ୟାନ୍ୟ ତରଭୁଜ ଭଳି କେଜି ପିଛା ୧୨/୧୪ଟଙ୍କାରେ ବେପାରିଙ୍କୁ ବିକ୍ରି କରାଯାଉଛି ବୋଲି ଶଶାଙ୍କ ‘ସମ୍ବାଦ’କୁ କହିଛନ୍ତି।

ହଳଦିଆ ତରଭୁଜ ଭିନ୍ନ ରଙ୍ଗର ହେଲେ ବି ସ୍ବାଦ ନାଲ୍ ତରଭୁଜଠାରୁ କିଛି କମ୍‌ ନୁହେଁ। କିନ୍ତୁ, ପ୍ରଥମଥର ପାଇଁ ଢେଙ୍କାନାଳ ଜିଲ୍ଲାରେ ଅମଳ ଏ ତରଭୁଜକୁ ଲୋକେ ଗ୍ରହଣ କରିବା କଷ୍ଟକର ହେଉଛି। ପ୍ରଥମ ୩ଟନ୍‌ ଅମଳକୁ କଲିକତା ପଠାଯାଇଛି ବୋଲି ଶଶାଙ୍କ ‘ସମ୍ବାଦ’କୁ କହିଛନ୍ତି।
୨ଏକର ଜମିରୁ ପ୍ରାୟ ୧୫ଟନ୍ ତରଭୁଜ ଅମଳ ଆଶା ଅଛି। ମଞ୍ଜିଠାରୁ ଜଳସେଚନ ଏବଂ ମୂଲିଆ ମଜୁରି ଯାଏ ପ୍ରାୟ ୪୦ହଜାର ଟଙ୍କା ଖର୍ଚ୍ଚ ହୋଇଛି। ସେଥିରୁ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ବିକ୍ରିବଟା ହେବ ବୋଲି ଶଶାଙ୍କ ଆଶାବାଦୀ। ମାତ୍ର ଦୁଇ ମାସରେ ଦୁଇ ଏକର ଇଣ୍ଟର କ୍ରପିଂରୁ ପ୍ରାୟ ଲକ୍ଷେ ଟଙ୍କାର ଅମଳ କିଛି କମ୍‌ ରୋଜଗାର ନୁହେଁ। ସଭିଁଏ ଏ ଚାଷ ପ୍ରତି ଆଗଭର ହେବା ଉଚିତ୍‌ ବୋଲି ଶଶାଙ୍କ ପରାମର୍ଶ ଦେଇଛନ୍ତି।

ଏ ସମ୍ପର୍କରେ ହିନ୍ଦୋଳ ସହକାରୀ ଉଦ୍ୟାନ ଅଧିକାରୀ ସସ୍ମିତା ସାହୁ କହିଛନ୍ତି, ଅଁଳାବେଡ଼ାରେ ହଳଦିଆ ତରଭୁଜ ଚାଷ ସମ୍ପର୍କରେ ମୁଁ ଜାଣିଛି। ଶ୍ରୀ ପାଲଙ୍କ ଫାର୍ମକୁ ମୁଁ ବୁଲିବାକୁ ବି ଯାଇଥିଲି। ହିନ୍ଦୋଳ ମାଟି ତରଭୁଜ ପାଇଁ ଉତ୍କୃଷ୍ଟ। ଏଠାରେ ନାଲ୍‌ ତରଭୁଜ ଚାଷ ହୁଏ। ହଳଦିଆ ତରଭୁଜ ହେଉଛି ନୂଆ ଭେରାଇଟି। ଶ୍ରୀ ପାଲ୍ ନିଜସ୍ବ ଉଦ୍ୟମରେ ବାହାରୁ ମଞ୍ଜି ଆଣି ଏ ହଳଦିଆ ତରଭୁଜ ଚାଷ କରିଛନ୍ତି। ଯାହା ସ୍ବାଦିଷ୍ଟ ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧିତ ଖବର