ରାଉରକେଲା: ଯୋଗାଣ ବିଭାଗର ଆଉ ଏକ କେଳେଙ୍କାରୀ ପଦାକୁ ଆସିଛି। ନକଲି ଓଟିପି (ୱାନ୍‌ ଟାଇମ୍‌ ପାସ୍‌ୱାର୍ଡ) ବ୍ୟବହାର କରି ହଡପ୍‌ ହେଉଛି ହିତାଧିକାରୀଙ୍କ ଚାଉଳ। ଏହି କାରବାରରେ ସାମିଲ ଅଛନ୍ତି ସହରର କିଛି କରିତକର୍ମା କଣ୍ଟ୍ରୋଲ ଦୋକାନୀ। ସେମାନେ ଯୋଗାଣ ଅଫିସର ଡାଟା ଏଣ୍ଟ୍ରି କର୍ମଚାରୀଙ୍କ ସହ ଭିତରି ସଲାସୁତୁରା କରି ବର୍ଷ ବର୍ଷ ଧରି ଏଭଳି ବେଆଇନ କାମ କରି ଚାଲିଛନ୍ତି। ମାର୍କେଟିଂ ଇନ୍ସପେକ୍ଟର (ଏମ୍‌ଆଇ) ଏମାନଙ୍କୁ ରୋକିବା ପରିବର୍ତ୍ତେ ପରୋକ୍ଷରେ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହେଉଛି। ଏପରି ଭାବେ ବେଆଇନ କାମରେ ସମ୍ପୃକ୍ତ କଣ୍ଟ୍ରୋଲ ଦୋକାନୀ ମାସକୁ ପାଖାପାଖି ୧୦୦ କ୍ବିଣ୍ଟାଲ ଚାଉଳ ହଡପ କରୁଥିବା ଅଭିଯୋଗ ହେଉଛି। ଚାଉଳ ହଡପ କରିବାକୁ ଏହି କରିତକର୍ମା କଣ୍ଟ୍ରୋଲ ଦୋକାନୀମାନେ ନିଜ ପାଖରେ କିଛି ଜାଲ୍‌ କାର୍ଡ ରଖିଛନ୍ତି। ସେହି କାର୍ଡ ଜରିଆରେ ଯୋଗାଣ ବିଭାଗରୁ ଚାଉଳ ଉଠାଉଛନ୍ତି। ପରବର୍ତ୍ତୀ ସମୟରେ ନିଜ ପାଖରେ ରଖିଥିବା ସିମ୍‌ କାର୍ଡକୁ ବ୍ୟବହାର କରି ନକଲି ଓଟିପି କ୍ରିଏଟ୍‌ କରୁଛନ୍ତି।

Advertisment

ସେହି ଓଟିପିକୁ ବ୍ୟବହାରକରି ଜାଲ୍‌ କାର୍ଡରେ ଉଠୁଥିବା ଚାଉଳ ସିଧାସଳଖ ଚଳୁ କରି ଦେଉଛନ୍ତି। ସହରରେ ପ୍ରାୟ ୨୫ରୁ ଅଧିକ କଣ୍ଟ୍ରୋଲ ଦୋକାନୀ ଏଭଳି ଦୁର୍ନୀତି କରିବାରେ ମାହିର ଅଛନ୍ତି। ଉଲ୍ଲେଖଯୋଗ୍ୟ, ନିକଟରେ ଅନ୍ୟ କିଛି କଣ୍ଟ୍ରୋଲ ଦୋକାନୀ ଓ ଏସଏଚ୍‌ଜି ଜାଲ୍‌ ଆଧାର ନମ୍ବର ସହୟତାରେ କ୍ବିଣ୍ଟାଲ କ୍ବିଣ୍ଟାଲ ଚାଉଳ ହଡ଼ପ କରୁଥିଲେ। ବସ୍ତିରେ ରହୁଥିବା ହିତାଧିକାରୀ କାର୍ଡରେ ଏଭଳି ଗୋଲକଧନ୍ଦା ଚଳାଇଥିଲେ। ଯେଉଁ ହିତାଧିକାରୀ କାର୍ଡରେ ୨ ଜଣ ସଦସ୍ୟ ଅଛନ୍ତି, ସେମାନଙ୍କ କାର୍ଡରେ ଆଉ ୪ ଜଣ ଜାଲ୍‌ ଲୋକଙ୍କ ନାମ ଯୋଡି ଦେଉଥିଲେ। ଯୋଡା ଯାଉଥିବା ଏସବୁ ଜାଲି ଲୋକଙ୍କ ନାମ କିନ୍ତୁ ଅସିଲ କାର୍ଡରେ ରହୁନି। ଧରା ନ ପଡିବାକୁ ଦାୟିତ୍ବରେ ଥିବା ଯୋଗାଣ ବିଭାଗର କିଛି କରିତକର୍ମା ଅଧିକାରୀ କମ୍ପୁଟର ଏସବୁ ଜାଲ୍‌ ଲୋକଙ୍କ ନାମ ଯୋଡି ଦେଉଛନ୍ତି।

ସେହି ଅନୁଯାୟୀ କଣ୍ଟ୍ରୋଲ ଦୋକାନୀ ମାସକୁ ମାସକ ଚାଉଳ ଉଠାଉଛନ୍ତି। ଜାଲ୍‌ ଲୋକଙ୍କ ନାଁରେ ମାସକୁ ମାସ ଉଠୁଥିବା ଟନ୍‌ ଟନ୍‌ ଚାଉଳ କଣ୍ଟ୍ରୋଲ ଦୋକାନୀ ଓ ଦାୟିତ୍ବରେ ଥିବା ଯୋଗାଣ ବିଭାଗର ଅଧିକାରୀ ମିଳି ମିଶି ଚଳୁ କରୁଛନ୍ତି। କେବଳ କଣ୍ଟ୍ରୋଲ ଦୋକାନୀ ନୁହଁନ୍ତ କିଛି ଏସ୍‌ଏଚ୍‌ଜି ଗ୍ରୁପ୍‌ ମଧ୍ୟ ଏଭଳି ବେଆଇନ କାମ କରୁଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି। ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଅଧୀନରେ ମୋଟ ୧୬୮ଟି ଏସ୍‌ଏସ୍‌ଜି ଓ କଣ୍ଟ୍ରୋଲ ଦୋକାନୀଙ୍କ ମଧ୍ୟରୁ ପ୍ରାୟ ୨୦% ଏମିତି କାମ କରୁଥିବା ମଧ୍ୟ ଅଭିଯୋଗ ହେଉଛି। ପାଖାପାଖି ୫ ହଜାର ଜାଲ୍‌ ଲୋକଙ୍କ ନାଁରେ ମାସକୁ ପ୍ରାୟ ୨୫୦ କ୍ବିଣ୍ଟାଲ ଚାଉଳ ଉଠୁଥିବା ଜଣାପଡିଛି। ଏ ବାବଦ ଅର୍ଥ ପ୍ରାୟ ୫ ଲକ୍ଷ ଟଙ୍କା ସମ୍ପୃ୍କ୍ତ ଏସ୍‌ଏସ୍‌ଜି, କଣ୍ଟ୍ରୋଲ ଦୋକାନୀ ଓ ଯୋଗାଣ ବିଭାଗ ଅଧିକାରୀଙ୍କ ପକେଟକୁ ଯାଉଛି। ପୂର୍ବରୁ ଯୋଗାଣ ବିଭାଗର ଭୂତ କାର୍ଡ ଦୁର୍ନୀତି ବିବାଦରେ ଛନ୍ଦି ହୋଇ ପଡିଥିବା ସହକାରୀ ‌ଯୋଗାଣ ଅଧିକାରୀ, ଦୁଇଜଣ ମାର୍କେଟିଂ ଇନ୍ସେପକ୍ଟରଙ୍କୁ ରାଉରକେଲାରୁ ଅନ୍ୟତ୍ର ବଦଳି ହୋବକୁ ପଡିଥିଲା। ତେବେ ନକଲି ଓଟିପି ପରି କେଉଁ କାର୍ଡର କେତେ ଜାଲ୍‌ ଆଧାର ନମ୍ବର, ଜାଲ୍‌ ଲୋକ ଅଛନ୍ତି ସଠିକ୍‌ ତଦନ୍ତ କରାଗଲେ ଯୋଗାଣ ବିଭାଗରେ ବର୍ଷ ବର୍ଷ ଧରି ଚାଲିଥିବା ଆଉ ଏକ ଦୁର୍ନୀତିର ପର୍ଦ୍ଦାଫାସ ‌ହୋଇପାରନ୍ତା ବୋଲି ଦାବି ହେଉଛି।