ମାଲକାନଗିରି : ମାଲକାନଗିରି ରାଜ୍ୟର ଅନ୍ୟତମ ଉତ୍ତପ୍ତ ଜିଲ୍ଲା ରୂପେ ପରିଚିତ । ଲୋକେ ଗରମରୁ ରକ୍ଷା ପାଇବା ପାଇଁ ଏଠାରେ ବିଭିନ୍ନ ପ୍ରକାର ଥଣ୍ଡା ପାନୀୟ ଜଳ ଗ୍ରହଣ କରୁଥିବା ସହ ତରଭୁଜ,ପଇଡ ଏବଂ ତାଳ ସଜ କିଣୁଥିବା ଦେଖିବାକୁ ମିଳେ । ତେବେ ମାଲକାନାଗିରି ଅଂଚଳରେ ବହୁ ପରିମାଣରେ ତାଳ ଗଛ ଦେଖିବାକୁ ମିଳିଥାଏ । ଗ୍ରୀଷ୍ଣ ପ୍ରବାହ ମାଲକାନଗିରିରେ ଏବେ ବୃଦ୍ଧି ପାଉଥିବାରୁ ବଜାରରେ ଏବେ ତାଳ ସଜର ପସରା ଦେଖିବାକୁ ମିଳୁଛି।ଏହାର ଚାହିଦା ବହୁତ ରହିଥିବାରୁ ଲୋକେ ଯାହା ଦାମ ହେଲେ ମଧ୍ୟ ଘରକୁ କିଣି ନେଉଥିବା ଲକ୍ଷ୍ୟ କରାଯାଇଛି ।
ମାଲକାନଗିରି ଏବଂ କୋରୁକୋଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ବାସ କରୁଥିବା ଆଦିବାସୀ ସଂପ୍ରଦାୟର ଲୋକେ ନିଜ ନିଜ ବାଡିରେ ଲଗାଇଥିବା ତାଳ ସଜକୁ ଆଣି ବଜାରରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି।ତାଳର ଚାହିଦା ଦିନକୁ ଦିନ ବଢୁଥିବାରୁ ପ୍ରତିଦିନ ଆଦିବାସୀମାନେ ସକାଳୁ ସକାଳୁ ବାସ୍ତା ବାସ୍ତା ଧରି ମଟର ସାଇକେଲରେ ନିଜ ଗ୍ରାମରୁ ବାହାରି ମାଲକାନଗିରି ଅଭିମୁଖେ ଯାତ୍ରା କରୁଛନ୍ତି । ୧୦ଟି ତାଳ ସଜକୁ ପ୍ରଥମେ ଦଶ ଟଂକା ରହିଥିଲା ଏବେ ଏହା ବଢି ୨୦ ଟଂକାରେ ପହଞ୍ଚିଛି।କିନ୍ତୁ ଲୋକେ ତାଳର ଦାମ ଯେତେ ହେଲେ ମଧ୍ୟ ଏହାକୁ କିଣି ନେଉଛନ୍ତି । ବର୍ଷକୁ ଥରେ ତାଳ ସଜ ମାଲକାନଗିରି ବଜାରରେ ମିଳୁଥିବାରୁ ଏହାକୁ ନେବାକୁ ପ୍ରାୟତଃ ଏକ ପ୍ରକାର ପ୍ରତିଯୋଗିତା ହେଉଥିବା ଦେଖିବାକୁ ମିଳେ।ବିଶେଷକରି କୋରୁକୋଣ୍ଡା ବ୍ଲକର ତୁମସାପାଲୀ ଏବଂ ମାରିବେଡା ପଞ୍ଚାୟତର ଆଦିବାସୀ ଲୋକମାନେ ତାଳ ଗଛରୁ ତାଳ ଆଣି ମାଲକାନଗିରିରେ ବିକ୍ରି କରି ବେଶ ଦିପଇସା ରୋଜଗାର କରୁଥିବା ଦେଖିବାକୁ ମିଳିଛି।କିନ୍ତୁ ଅଧିକାଂଶ କ୍ଷେତ୍ରରେ ତାଳ ଗଛର ମାଲିକମାନେ ତାଳ ଗଛରେ ଯେତେ ଅଧିକା ଫଳ ଧରିଥାଏ ସେହି ଅନୁସାରେ ଗଛ ବିକ୍ରି କରୁଥିବା ମଧ୍ୟ ଲକ୍ଷ୍ୟ କରାଯାଇଛି।ଗ୍ରୀଷ୍ଣ ଋତୁ ସରିବା ଯାଏଁ ତାଳ ସଜ ବିକ୍ରି ହେଉଥିବା ଦେଖିବାକୁ ମିଳେ।ତାଳ ଗଛର ମାଲିକ ମୁକ୍କା ସୋଡି,ପଦିଆ ସୋଡି ଓ ସୋନା ସୋଡିଙ୍କ କହିବା ଅନୁଯାୟୀ ଗଛ ଲଗାଇବାର ତିନି ବର୍ଷରେ ଗଛରେ ଫଳ ଧରିବାରେ ସକ୍ଷମ ହୋଇଥାଏ।ତେବେ ଦିନ ଥିଲା ମାଲକାନଗିରି ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକରେ ତାଳ ଗଛ ଦେଖିବାକୁ ମିଳୁଥିଲା।କିନ୍ତୁ ବିଭିନ୍ନ କାରଣରୁ ତାଳ ଗଛ ସଂଖ୍ୟା ଏବେ ଧିରେ ଧିରେ କମିବାକୁ ଲାଗିଲାଣି।ତେବେ ଏହା ବ୍ୟବସାୟୀକ ଫଲ ହୋଇଥିବାରୁ ଲୋକେ ନିଜ ବାଡିରେ ଏହାକୁ ଯତ୍ନର ସହ ରଖୁଥିବା ବେଳେ ସୁରକ୍ଷା ମଧ୍ୟ ପ୍ରଦାନ କରିଥାନ୍ତି।ତାଳ ମାଲକାନଗିରି ଜିଲ୍ଲା ସମେତ ବାହାର ଜିଲ୍ଲା ଏବଂ ପଡୋଶୀ ରାଜ୍ୟକୁ ମଧ୍ୟ ରପ୍ତାନି କରାଯାଉଥିବା ଦେଖିବାକୁ ମିଳେ।ପ୍ରତିବର୍ଷ ଗ୍ରୀଷ୍ଣର ପ୍ରଚଣ୍ଡ ଖରାକୁ ଖାତିରି ନକରି ଆଦିବାସୀ ଭାଇମାନେ ତାଳ ଗଛରେ ଚଢି ତାଳ ଆଣି ଲୋକଙ୍କୁ ଅନବରତ ଯୋଗାଇ ଚାଲିଛନ୍ତି।ଏବେ ମାଲକାନଗିରି ଡିଏନକେ ବଜାରରେ ତାଳର ପସରା ଦେଖିବାକୁ ମିଳେ।ପ୍ରାୟ ଦଶରୁ ଉର୍ଦ୍ଧ୍ବ ଲୋକ ଏହି ତାଳ ବିକ୍ରି କରୁଥିବା ଜଣାପଡିଛି।ତେବେ ଏମାନଙ୍କ ରୋଜଗାରର ମୁଖ୍ୟ ପନ୍ଥା ତାଳ ପାଲଟିଛି।ପ୍ରତିବର୍ଷ ଜଣେ ଜଣେ ତିରିଶ ହଜାରରୁ ପଚାଶ ହଜାର ପର୍ଯ୍ୟନ୍ତ ରୋଜଗାର କରିଥାନ୍ତି । ତେବେ ବର୍ଷକୁ ଥରେ ଏହା ଫଳୁଥିବାରୁ ଲୋକେ ମଧ୍ୟ ଆଦରରେ ଏହାକୁ କିଣି ନେଉଥିବା ଦେଖିବାକୁ ମିଳେ ।