ରାଉରକେଲା: ତାଳଚେର-ବିମଳାଗଡ଼ ରେଳପଥ ପ୍ରକଳ୍ପର ଅଗ୍ରଗତିରେ ଜମି ଅଧିଗ୍ରହଣ ପ୍ରମୁଖ ସମସ୍ୟା ପାଲଟିଥିଲା। ସୁନ୍ଦରଗଡ଼ ଜିଲ୍ଲାପ୍ରଶାସନର ଚିରାଚରିତ ଅବହେଳା ଯୋଗୁଁ ପ୍ରକ୍ରିୟାରେ କଚ୍ଛପ ଗତି ଦେଖିବାକୁ ମିଳିଥିଲା। ଫଳରେ ପ୍ରକଳ୍ପର ମୋଟ୍ ବ୍ୟୟଅଟକଳର ୬୨% ଅର୍ଥ ବ୍ୟୟ ହୋଇସାରିଥିବାବେଳେ ନିର୍ମାଣ କାର୍ଯ୍ୟ କେବଳ ୨୬%ରେ ସୀମିତ ରହିଥିଲା। ବିଳମ୍ବ ହେଉ ପଛେ, ଶେଷରେ ଜମି ଅଧିଗ୍ରହଣ ପ୍ରକ୍ରିୟା ବେଗ ଧରିଛି। ଆସନ୍ତା ଅଗଷ୍ଟ ଦ୍ବିତୀୟ ସପ୍ତାହ ସୁଦ୍ଧା ସମସ୍ତ ପ୍ରକ୍ରିୟା ସମ୍ପନ୍ନ କରି ରେଳବାଇକୁ ଜମି ହସ୍ତାନ୍ତର କରିବାକୁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଛି। ଅବଶ୍ୟ, ପୂର୍ବରୁ ଅନେକବାର ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗର ବରିଷ୍ଠ ଅଧିକାରୀ ପ୍ରକ୍ରିୟା ଶେଷ କରିବାକୁ ଭିନ୍ନ ଭିନ୍ନ ତାରିଖ ଧାର୍ଯ୍ୟ କରିଥିଲେ। ସେତେବେଳେ ଏହା କେବଳ ମିଛ ପ୍ରତିଶ୍ରୁତି ହିଁ ସାବ୍ୟସ୍ତ ହୋଇଥିଲା। ଏଥର ଏହାର ପୁନରାବୃତ୍ତି ହେବ ନା ବାସ୍ତବରେ ପ୍ରକ୍ରିୟା ଶେଷ ହେବ; ତାହା ସମୟ କହିବ।
ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ପ୍ରକଳ୍ପ ପାଇଁ ସୁନ୍ଦରଗଡ଼ ଜିଲ୍ଲାର ମୋଟ୍ ୪ଟି ବ୍ଲକର ୨୯ଟି ଗାଁର ୨୭୪ ଏକର ଜମି ଆବଶ୍ୟକ। ଇତିମଧ୍ୟରେ ୧୮ଟି ଗାଁରେ ଜମି ଅଧିଗ୍ରହଣ ସମ୍ପନ୍ନ ହୋଇସାରିଛି। ଆସନ୍ତା ୨୨ ତାରିଖସୁଦ୍ଧା ଆଉ ୭ଟି ଗାଁରେ ଜମି ଅଧିଗ୍ରହଣ ଶେଷ ହେବ। ଅର୍ଥାତ୍, ହାତଗଣତି ୩/୪ ଦିନ ଭିତରେ ମୋଟ୍ ୨୫ଟି ଗାଁର ୨୦୫ ଏକର ଜମି ଅଧିଗ୍ରହଣ କରାଯିବ। ତେବେ ଅବଶିଷ୍ଟ ୪ଟି ଗାଁରେ ଜମି ଅଧିଗ୍ରହଣ ପ୍ରକ୍ରିୟା ସାମାନ୍ୟ ବିଳମ୍ବ ହେବ। ବଣାଇଁ ଓ ଲହୁଣିପଡ଼ା ବ୍ଲକରେ ଥିବା ୪ଟି ଗାଁର ଅବଶିଷ୍ଟ ୩୯ ଏକର ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଥିବାବେଳେ ଅଗଷ୍ଟ ଦ୍ବିତୀୟ ସପ୍ତାହ ଭିତରେ ଏହା ସରିବ। ଅର୍ଥାତ୍ ଅଗଷ୍ଟ ୧୫ ତାରିଖ ଭିତରେ ପ୍ରକଳ୍ପ ପାଇଁ ଆବଶ୍ୟକ ଜିଲ୍ଲାର ସମସ୍ତ ଜମି ରେଳବାଇକୁ ହସ୍ତାନ୍ତର କରାଯିବ। ଉଲ୍ଲେଖଯୋଗ୍ୟ, ଏହି ପ୍ରକଳ୍ପ ପାଇଁ ଦେବଗଡ଼ ଜିଲ୍ଲାର ୧୯ଟି ଗାଁର ୧୮୨.୨୪ ଏକର ଜମି ଆବଶ୍ୟକ। ଏଯାବତ୍ ମାତ୍ର ୨ଟି ଗାଁର ୬.୮୬ ଏକର ଜମି ଅଧିଗ୍ରହଣ କରି ରେଳବାଇକୁ ହସ୍ତାନ୍ତର କରାଯାଇଛି। ଅର୍ଥାତ୍, ଏବେବି ଅବଶିଷ୍ଟ ୧୭୫.୩୮ ଏକର ଜମି ଅଧିଗ୍ରହଣ ହୋଇପାରିନି। ଦେବଗଡ଼ ଜିଲ୍ଲା ପ୍ରଶାସନର କ୍ରମାଗତ ଅବହେଳା ଯୋଗୁଁ ପ୍ରକ୍ରିୟାରେ ଅହେତୁକ ବିଳମ୍ବ ଦେଖିବାକୁ ମିଳିଛି। କୁହାଯାଉଛି, ସେପ୍ଟେମ୍ବର ଶେଷ ସୁଦ୍ଧା ପ୍ରକ୍ରିୟା ଶେଷ କରିବାକୁ ଦେବଗଡ଼ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଛି।
ଅପରପକ୍ଷରେ ଅନୁଗୁଳ ଜିଲ୍ଲାରେ ଜମି ଅଧିଗ୍ରହଣ ପ୍ରକ୍ରିୟା ପ୍ରାୟ ଶେଷ ହୋଇସାରିଥିବାରୁ ନିର୍ମାଣ କାର୍ଯ୍ୟ ବି ବେଗ ଧରିଛି। ଅନୁଗୁଳ ଜିଲ୍ଲାରେ ପ୍ରକଳ୍ପ ପାଇଁ ମୋଟ୍ ୬୭ଟି ଗାଁର ୫୪୯.୯୪ ଏକର ଜମି ଆବଶ୍ୟକ। ଏଥିମଧ୍ୟରୁ ୬୬ଟି ଗାଁର ୫୪୨.୩୮ ଏକର ଜମି ରେଳବାଇକୁ ହସ୍ତାନ୍ତର ହୋଇସାରିଥିବାବେଳେ ଖୁବଶୀଘ୍ର ଅବଶିଷ୍ଟ ଗୋଟିଏ ଗାଁର ୭.୫୫ ଏକର ଜମି ରେଳବାଇକୁ ଦିଆଯିବ। ରେଳବାଇକୁ ଜମି ମିଳିସାରିଥିବାରୁ ୭୨ କିଲୋମିଟର ଲମ୍ବ ବିଶିଷ୍ଟ ତାଳଚେର-ଶ୍ରୀରାମପୁର ଯାଏ ରେଳପଥ ନିର୍ମାଣ ପୂର୍ଣ୍ଣମାତ୍ରାରେ ବେଗ ଧରିଥିବାବେଳେ ଶ୍ରୀରାମପୁର-ପାଲଲହଡ଼ା(୧୦ କିଲୋମିଟର)ର ନିର୍ମାଣକାର୍ଯ୍ୟ ୨୦୨୪ ଡିସେମ୍ବର ଭିତରେ ସରିବ। ଅବଶିଷ୍ଟ ୬୭.୭୮ କିଲୋମିଟର ରେଳପଥ ନିର୍ମାଣ କାର୍ଯ୍ୟକୁ ଯଥାଶୀଘ୍ର ଆରମ୍ଭକରି ୨୦୨୫ ଡିସେମ୍ବର ଭିତରେ ସାରିବାକୁ ରେଳବାଇ ଲକ୍ଷ୍ୟଧାର୍ଯ୍ୟ କରିଛି।