ରାଉରକେଲା: ଦାବି କୁ ୬ ଦଶନ୍ଧି ବିତିଲାଣି। ପ୍ରକଳ୍ପ ଅନୁମୋଦନକୁ ଦୁଇ ଦଶନ୍ଧି ପୂରିଲାଣି। ପ୍ରକଳ୍ପ ନିର୍ମାଣ ଆରମ୍ଭ ହେବାର ୯ ବର୍ଷ ପାର୍‌ ହେଲାଣି। କିନ୍ତୁ ପ୍ରକଳ୍ପ ଶେଷହେବା ତ ଦୂର କଥା, ଅଧା ବି ହୋଇନି। ଏଭଳି କଚ୍ଛପ ଗତିରେ ଆଗେଇଛି ବହୁ ପ୍ରତୀକ୍ଷିତ ତାଳଚେର-ବିମଳାଗଡ଼ ରେଳପଥ ପ୍ରକଳ୍ପ। ଏଯାଏ ନିର୍ମାଣ କାର୍ଯ୍ୟ ମାତ୍ର ୨୬% ରେ ସୀମିତ ରହିଛି। ଜମି ଅଧିଗ୍ରହଣରେ ସରକାର ଓ ପ୍ରଶାସନର ନିରନ୍ତର ଅବହେଳା ଯୋଗୁଁ ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତତା ମଧ୍ୟକୁ​ ଠେଲି ହୋଇଯାଇଛି। ଫଳରେ ପ୍ରକଳ୍ପର ବ୍ୟୟ ଅଟକଳ ତଥା ଧାର୍ଯ୍ୟ ଅବଧି ବଢ଼ିବଢ଼ି ଚାଲିଛି।

Advertisment

୧୪୯.୭୮ କିଲୋମିଟର ବିଶିଷ୍ଟ ତାଳଚେର-ବିମଳାଗଡ଼ ‌ରେଳପଥ ମୋଟ ୩ଟି ଜିଲ୍ଲା ଦେଇ ଗତି କରୁଛି। ସେଗୁଡ଼ିକ ହେଲା ସୁନ୍ଦରଗଡ଼, ଦେବଗଡ଼ ଓ ଅନୁଗୁଳ। ଏହି ପ୍ରକଳ୍ପ ପାଇଁ ଅନୁଗୁଳ ଜିଲ୍ଲାର ତାଳଚେର ପଟୁ ଜମି ଅଧିଗ୍ରହଣ ପ୍ରକ୍ରିୟା ପ୍ରାୟ ଶେଷ ହେବା ଉପରେ ଥିବାବେଳେ ନିର୍ମାଣ କାର୍ଯ୍ୟ ବି ଆରମ୍ଭ ହୋଇଗଲାଣି। କିନ୍ତୁ ସୁନ୍ଦରଗଡ଼ ଓ ଦେବଗଡ଼ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନାହିଁ। ତାଳଚେରରୁ ସୁନାଖଣି ପର୍ଯ୍ୟନ୍ତ, ପ୍ରାୟ ୧୭.୬୨ କିଲୋମିଟର ରେଳପଥ ନିର୍ମାଣ ସରିଲାଣି। ବର୍ତ୍ତମାନ ପାଖାପାଖି ୩୦.୫ କିଲୋମିଟର ବିଶିଷ୍ଟ ସୁନାଖଣି-ସାମଲ-ପରବିଲ-ଖମାର ଯାଏଁ ରେଳପଥ ନିର୍ମାଣ ଚାଲିଛି। ବର୍ତ୍ତମାନ ସୁଦ୍ଧା ଏହି ୩୦.୫ କିଲୋମିଟର୍ ମଧ୍ୟରୁ ପ୍ରାୟ ୨୨/୨୩ କିଲୋମିଟର କାମ ଶେଷ ହେଲାଣି। ଅର୍ଥାତ, ଏବେ ସୁଦ୍ଧା ମୋଟ ପ୍ରକଳ୍ପର କେବଳ ୨୬% ନିର୍ମାଣ କାମ ଶେଷ ହୋଇଛି। ଡିସେମ୍ବର ଶେଷ ସୁଦ୍ଧା ସୁନାଖଣି-ଖମାର ମଧ୍ୟରେ ଚାଲିଥିବା ନିର୍ମାଣାଧୀନ ରେଳପଥ ଶେଷ ହେବ। ଆସନ୍ତା ଡିସେମ୍ବର ଭିତରେ ଏହି ପ୍ରକଳ୍ପର ପାଖାପାଖି ୪୮.୧୨ କିଲୋମିଟର ସରିବାକୁ ଥିବାବେଳେ ଅବଶିଷ୍ଟ ଶହେ କିଲୋମିଟର ପାଇଁ ପୁଣି ଅପେକ୍ଷା କରିବାକୁ ପଡ଼ିବ। ୨୦୨୬ ମାର୍ଚ୍ଚ ସୁଦ୍ଧା ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତେବେ ବର୍ତ୍ତମାନର ସ୍ଥିତି ଅନୁଧ୍ୟାନ କଲେ ତାହା କଷ୍ଟସାଧ୍ୟ ମନେ ହେଉଛି। ତେବେ ଉଭୟ ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ଜମି ଅଧିଗ୍ରହଣ କରାଯିବା ସହ ବିମଳାଗଡ଼ ପଟୁ ନିର୍ମାଣ ଆରମ୍ଭ କଲେ ହିଁ ଅବଧି ଭିତରେ ପ୍ରକଳ୍ପ ଶେଷ ହେବାର ସମ୍ଭାବନା ରହିଛି।

ନିର୍ମାଣରେ ଅଯଥା ବିଳମ୍ବ ଯୋଗୁଁ ପ୍ରକଳ୍ପ ବ୍ୟୟବହୁଳ ହେବାରେ ଲାଗିଛି। ପ୍ରଥମେ ଏହି ପ୍ରକଳ୍ପର ବ୍ୟୟ ଅଟକଳ ୭୨୬.୯୬ କୋଟି ରଖାଯାଇଥିଲା। କିନ୍ତୁ ଅହେତୁକ ବିଳମ୍ବ ଯୋଗୁଁ ଏହା ୧୯୨୮.୦୭ କୋଟିରେ ପହଞ୍ଚିଲାଣି। ଯଦି ଚିରାଚରିତ ଅବହେଳା ଜାରି ରହେ ତା’ହେଲେ ଅଟକଳ ସେହି ହାରରେ ବଢ଼ି ଚାଲିବ। ଏହି ପ୍ରକଳ୍ପ ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ୧୨୦୬.୦୭ କୋଟି ବ୍ୟୟ ହୋଇ ସାରିଲାଣି। ପ୍ରକଳ୍ପ ପାଇଁ ଅନୁମୋଦିତ ଅର୍ଥର ମୋଟ ୬୨.୫୪% ଖର୍ଚ୍ଚ ହେଲାଣି। କିନ୍ତୁ ନିର୍ମାଣ କାର୍ଯ୍ୟ ମାତ୍ର ୨୬% ହିଁ ସରିଛି। କିଛି ଦିନ ପୂର୍ବେ ଭୁବନେଶ୍ବରରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହା ଉପରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ଆସନ୍ତା ଅଗଷ୍ଟ ଭିତରେ ରେଳବାଇକୁ ସମସ୍ତ ଜମି ହସ୍ତାନ୍ତର କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲାରେ ଜମି ଅଧିଗ୍ରହଣ ପ୍ରକ୍ରିୟା ନାଁକୁ ମାତ୍ର ଆରମ୍ଭ ହୋଇଛି। ଦେବଗଡ଼ରେ ବି ସମାନ ସ୍ଥିତି। ଏହି ପ୍ରକଳ୍ପ ପାଇଁ ସୁନ୍ଦରଗଡ଼ ଜିଲ୍ଲାର ମୋଟ ୨୯ଟି ଗାଁର ୨୪୮.୦୨ ଏକର ଜମି ଆବଶ୍ୟକ। ଏଯାଏ କେବଳ ୪ଟି ଗାଁର ୧୧.୮୯ ଏକର ହିଁ ଜମି ଅଧିଗ୍ରହଣ କରାଯାଇଛି। ତେବେ ଅବଶିଷ୍ଟ ୨୫ଟି ଗାଁର ୨୩୬.୧୩ ଏକର ଜମି ଅଧିଗ୍ରହଣ ସମ୍ଭବ ହୋଇନି। ସେହିଭଳି ଦେବଗଡ଼ ଜିଲ୍ଲାର ୧୯ଟି ଗାଁ ମଧ୍ୟରୁ କେବଳ ୨ଟିରେ ଆଖିଦୃଶିଆ ଅଧିଗ୍ରହଣ ହୋଇଛି। କେବଳ ଅନୁଗୁଳ ଜିଲ୍ଲାରେ ଜମି ଅଧିଗ୍ରହଣ ପ୍ରାୟ ସରିବା ଉପରେ। ଅନୁଗୁଳ ଜିଲ୍ଲାରେ ସର୍ବାଧିକ ୬୭ଟି ଗାଁର ୫୪୯.୯୪ ଏକର ଜମି ଆବଶ୍ୟକ ହେଉଥିଲା। ଏଥିମଧ୍ୟରୁ ୬୬ଟି ଗାଁର ୫୪୨.୩୮ ଏକର ଅଧିଗ୍ରହଣ କରାଯାଇଥିବାବେଳେ କେବଳ ଗୋଟିଏ ଗାଁର ୭.୫୫ ଏକର ହୋଇପାରିନି।