ଦେବଗଡ଼: ରାଜ୍ୟ ସରକାର ଜମି ଦେଲେ ତାଳଚେର-ବିମଳାଗଡ଼ ରେଳପଥ କାମ ଆରମ୍ଭ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଦେବଗଡ଼ ପ୍ରଧାନପାଟ ସ୍ଥିତ ବଡ଼ ବଗିଚାରେ ଶନିବାର ବିଜେପି ପକ୍ଷରୁ ଅନୁଷ୍ଠିତ ଗରିବ କଲ୍ୟାଣ ସମାବେଶରେ କେନ୍ଦ୍ର ମନ୍ତ୍ରୀ ଏହା ପ୍ରକାଶ କରିଛନ୍ତି। ସମାବେ‌ଶରେ ଉଦ୍‌ବୋଧନ ଦେଇ ସେ କହିଲେ ଯେ, ଜାତୀୟ ରାଜପଥ, ରେଳ ଭିତ୍ତିଭୂମି ବିକାଶର ବହୁମୁଖୀ ବ୍ୟବସ୍ଥା କରାଯାଉଛି। ରାଜ୍ୟ ସରକାର ଜମି ଉପଲବ୍ଧ କରାଇଲେ ଭାରତ ସରକାର ତୁରନ୍ତ ଟଙ୍କା ଖର୍ଚ୍ଚ କରି ବାରକୋଟ୍ ଦେଇ ରାଉରକେଲାକୁ ତାଳଚେର-ବିମଳାଗଡ଼ ରେଳପଥ କାମ ଶୀଘ୍ର ଆରମ୍ଭ କରିବେ। ଏହା ସହିତ ଦେବଗଡ଼-କୁଚିଣ୍ଡା ଦେଇ ଝାରସୁଗୁଡ଼ା ସହିତ ତାଳଚେର-ବିମଳାଗଡ଼ ରେଳପଥ ଲିଙ୍କ କରାଯିବ। ରେଳ ମନ୍ତ୍ରୀଙ୍କ ସହ ଆଲୋଚନା କରି ଏହାର ଦାୟିତ୍ବ ସେ ନିଜେ ନେବେ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

Advertisment

ବି‌ଜେପି ଜିଲ୍ଲା ସଭାପତି ଅରୁଣ ସାହୁଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୋଦୀ ସରକାରଙ୍କ ୯ ବର୍ଷ ଶାସନରେ ଦେବଗଡ଼ ଜିଲ୍ଲାକୁ ବିଭିନ୍ନ ଯୋଜନାର ରୂପାୟନ ଓ ଅନୁଦାନ ସମ୍ପର୍କରେ ବିସ୍ତୃତ ଭାବରେ ସୂଚନା ଦେଇଥିଲେ।

ଚାଉଳ, ଘର, ଶୌଚାଳୟ, ଉଜ୍ଜ୍ବଳା ଗ୍ୟାସ, ମୁଦ୍ରା ଋଣ, ବାର୍ଦ୍ଧକ୍ୟ ଭତ୍ତା, ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା ଏବଂ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ୭୩୭୧୭ଟି ପରିବାରକୁ ସର୍ବମୋଟ ୨,୧୮୪ କୋଟି ଟଙ୍କା ମିଳିଥିବାବେଳେ ଗରିବ କଲ୍ୟାଣ ଯୋଜନାରେ ଜିଲ୍ଲାର ପରିବାର ପିଛା ପ୍ରାୟ ୩ ଲକ୍ଷ ଟଙ୍କା ଦିଆଯାଇଥିବା କହିଥିଲେ। ଧାନର ଏମ୍ଏସ୍‌ପି କ୍ୱିଣ୍ଟାଲ ପିଛା ୨୧୮୩ ଟଙ୍କାକୁ ବୃଦ୍ଧି, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଦେବଗଡ଼ର ୨.୬୩ ଲକ୍ଷ ହିତାଧିକାରୀଙ୍କୁ ୫୬୮ କୋଟି ଟଙ୍କାର ଚାଉଳ ପ୍ରଦାନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମାଞ୍ଚଳ ଓ ସହର ପାଇଁ ଘର ପ୍ରଦାନ କରାଯାଇଛି। ସ୍ବଚ୍ଛ ଭାରତ ଯୋଜନାରେ ୯୧ କୋଟି ଟଙ୍କା ବ୍ୟୟରେ ୩୫୧୬୫ଟି ଶୌଚାଳୟ, ଉଜ୍ଜଳା ଯୋଜନାରେ ୨୦୫୨୯ ହିତାଧିକାରୀଙ୍କୁ ୩.୨୮ କୋଟି ଟଙ୍କା ମୂଲ୍ୟର ରନ୍ଧନ ଗ୍ୟାସ ଦିଆଯାଇଛି। ଏଠାରେ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ୪୦ କୋଟି ବ୍ୟୟରେ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ ଜାରି ରହିଥିବା ପ୍ରକାଶ କରିଥିଲେ।

ଆହୁରି ମଧ୍ୟ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କୁ ସମାଲୋଚନା କରି କହିଲେ ଯେ, ପିଏମ ଆବାସ ଯୋଜନା ଗ୍ରାମୀଣ ଓ ସହରାଞ୍ଚଳ ପାଇଁ ପ୍ରାୟ ୯ ଲକ୍ଷ ଘର ମୋଦି ସରକାର ଦେବା ପରେ ବି ରାଜ୍ୟ ସରକାର ବାଣ୍ଟିବା ପାଇଁ ପ୍ରସ୍ତୁତ ନୁହନ୍ତି। ମୋଦୀଜୀ ରାଜ୍ୟରେ ଗରିବଙ୍କ କଲ୍ୟାଣ ପାଇଁ ଦେଉଥିବା ଟଙ୍କାକୁ ନିଜେ ଦେଲେ ବୋଲି ଶାସକ ଦଳ ପ୍ରଚାର କରୁଛି। ଧନୀ ଶ୍ରେଣୀର ବ୍ୟକ୍ତିଙ୍କୁ ଘର ଦିଆଯାଉଛି। ଲୋକ କଲ୍ୟାଣ ରାଜ୍ୟ ସରକାରଙ୍କ ପ୍ରାଥମିକତାରେ ନଥିବାରୁ ମୋଦି ସରକାର ଦେଉଥିବା ଟଙ୍କାର ବ୍ୟାପକ ବାଟମାରଣା ହେଉଛି। ଜଳ ଜୀବନ ମିସନରେ ବଡ଼ ବଡ଼ ଠିକାଦାରଙ୍କୁ କାମ ଦେଇ ପିସି କାରବାର ହେଉଛି। କିନ୍ତୁ ଗରିବ ଲୋକଙ୍କ କାମ ହେଉନାହିଁ ବୋଲି କହିଥିଲେ।

ସେ ଆହୁରି କହିଲେ ଯେ, ଓଡ଼ିଶାର ଇତିହାସ ଓ ଦେଶ ସ୍ବତନ୍ତ୍ରତା ସଂଗ୍ରାମରେ ଦେବଗଡ଼ର ବିଶେଷ ସ୍ଥାନ ଅଛି। ଭାଷାଭିତ୍ତିରେ ଓଡ଼ିଶାକୁ ସ୍ବତନ୍ତ୍ର ପ୍ରଦେଶ ଗଠନ କରିବାରେ ବାମଣ୍ଡା ରାଜା ସାର୍ ବାସୁଦେବ ସୁଢ଼ଳଦେବଙ୍କ ଅବଦାନ ଚିର ସ୍ମରଣୀୟ। ଓଡ଼ିଆ ସାହିତ୍ୟରେ ତାଙ୍କର ପ୍ରତ୍ୟକ୍ଷ ଦିଗଦର୍ଶନ ଓଡ଼ିଶାର ମର୍ଯ୍ୟାଦାକୁ ବୃଦ୍ଧି କରିଛି ବୋଲି ସେ କହିଥିଲେ। ଆଗାମୀ ସାଧାରଣ ନିର୍ବାଚନରେ ଉଭୟ ବିଧାନସଭା ଓ ଲୋକସଭା ଆସନରେ କିପରି ବିଜେପି ବାଜିମାତ କରିବ ସେ ନେଇ କର୍ମୀମା‌ନଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହ୍ବାନ କରିଥିଲେ। କାର୍ଯ୍ୟକ୍ରମରେ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ, ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ବିଜେପି ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ ଉଦ୍‌ବୋଧନ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ କୁଚିଣ୍ଡା ପୂର୍ବ ବିଧାୟକ ବୃନ୍ଦାବନ ମାଝୀ, ବିଜେପି ନେତ୍ରୀ ମାଧବୀ ଦେବୀ, ପୌର ଉପନଗରପାଳ ପ୍ରଜିତ ଭୋଜ, ତିଲେଇବଣି ପଞ୍ଚାୟତ ସମିତି ଅଧ୍ୟକ୍ଷା ବୃନ୍ଦାବତୀ ଭୋଇ, ଉପାଧ୍ୟକ୍ଷା ଆରତୀ ପ୍ରଧାନ, ବିଜେପି ସାଧାରଣ ସଂପାଦକ ସଚିକାନ୍ତ ଦାଶ, ସମୀର ସାହୁ, ପୂର୍ବ ଜିଲ୍ଲା ପରିଷଦ ସଭାପତି ରଣଜିତ ପଟେଲ, ବିଜେପି ଜିଲ୍ଲା ସଂଯୋଜକ ହରମୋହନ ପାଣି, କାଉନସିଲର କାର୍ତ୍ତିକ ମହାକୁଳ, ମଧୁସୂଦନ ବାଘ, ପିଙ୍କି ସାହୁ, ସରୋଜିନୀ ମୁଣ୍ଡା, ଇତିଶ୍ରୀ ମିଶ୍ର, ନଗର ମଣ୍ଡଳ ସଭାପତି ଦିବ୍ୟଶଙ୍କର ଖୁଣ୍ଟିଆ, ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଧୀର ବ୍ରହ୍ମା, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସନ୍ତୋଷ ଭୂତିଆ, ସତ୍ୟନାରାୟଣ ପାଣି ପ୍ରମୁଖ ମଞ୍ଚାସୀନ ଥିଲେ। ବିଜେପି ଜିଲ୍ଲା ଉପସଭାପତି ଭାରତ ଭୂଷଣ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।