ତାଳଚେର-ବିମଳାଗଡ଼ ରେଳପଥ, ଜମି ଅଧିଗ୍ରହଣ ଟଙ୍କା ଗ୍ରହଣ କଲେନି ୪ ଗ୍ରାମବାସୀ

ବଣାଇଗଡ଼ : ବହୁଦିନରୁ ଦାବି ହୋଇ ଆସୁଥିବା ତାଳଚେର-ବିମଳାଗଡ଼ ନୂତନ ରେଳପଥ ନିର୍ମାଣ ପାଇଁ ବର୍ତ୍ତମାନ ବିଭାଗ ପକ୍ଷରୁ ଜମି ଅଧିଗ୍ରହଣ ପ୍ରକ୍ରିୟା ଜୋରଦାର ଆରମ୍ଭ କରାଯାଇଛି। ତେବେ ଆଜି କୋଇଡ଼ା ତହସିଲ ଅନ୍ତର୍ଗତ ଗୋପନା ରାଜସ୍ବ ନିରୀକ୍ଷକଙ୍କ ପକ୍ଷରୁ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ସେମାନଙ୍କ ଜମି ଅଧିଗ୍ରହଣ ପାଇଁ କ୍ଷତିପୂରଣ ବାବଦରେ ପ୍ରାପ୍ୟ ଟଙ୍କା ପ୍ରଦାନ କରିବାକୁ ଭୂ-ଅର୍ଜନ ବିଭାଗ କର୍ମଚାରୀମାନେ ଆସିଥିବା ବେଳେ ଜଣେ ହେଲେ ପ୍ରାପ୍ୟ ଟଙ୍କା ନ ନେଇ ଅଧିକ ମୂଲ୍ୟ ପାଇଁ ଧାରଣାରେ ବସିଥିଲେ।

ଘଟଣାରୁ ପ୍ରକାଶ ଯେ, କୋଇଡା ତହସିଲ ଅନ୍ତର୍ଗତ ଗୋପନା, ବାନ୍ଦୁପଡ଼ା, ଫକିରମୁଣ୍ଡା, କମାରପୋଷ ଗ୍ରାମଦେ଼ଇ ତାଳଚେର-ବିମଳାଗଡ଼ ରେଳପଥ ଯାଉଥିବା ବେଳେ ଏହି ୪ଟି ଗ୍ରାମର ୬୫ ଜଣ ପ୍ରଜାଙ୍କ ଘରୋଇ ମାଲିକାନା ଥିବା ଜମି ଅଧିଗ୍ରହର ହେଉଛି। ଏଥିପାଇଁ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ଡେସିମିଲ ପିଛା ୨୨୦୦ ଟଙ୍କା କ୍ଷତିପୂରଣ ଦେବା ପାଇଁ ଧାର୍ଯ୍ୟ କରାଯାଇଛି। ତେବେ ଏହି ଟଙ୍କାକୁ କ୍ଷତିଗ୍ରସ୍ତ ପ୍ରଜାମାନେ ଗ୍ରହଣ ନ କରିବା ନିଷ୍ପତ୍ତି ନେଇ ଏ ବାବଦରେ ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ରାଜସ୍ବ ବିଭାଗର ଉଚ୍ଚ ଅଧିକାରୀଙ୍କୁ ଲିଖିତ ଆକାରରେ ଜଣାଇଥିଲେ। ଏହି କ୍ଷତିପୂରଣ ଟଙ୍କା ୪ ଗୁଣକୁ ବୃଦ୍ଧିକରିବା କିମ୍ବା ପ୍ରତି ବଦଳରେ ସେତିକି ପରିମାଣର ଜମିଦେବାକୁ ଦାବି କରିଥିଲେ। ତେବେ ଏହାର କୌଣସି ପୁନଃବିଚାର ନ କରି ବଣାଇଠାରେ ଥିବା ତାଳଚେର-ବିମଳାଗଡ଼ ରେଳପଥ ଭୂ-ଅର୍ଜନ କାର୍ଯ୍ୟାଳୟ ପକ୍ଷରୁ କର୍ମଚାରୀମାନେ ଗୋପନାଠାରେ ଥିବା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏ କଥା କ୍ଷତିଗ୍ରସ୍ତ ପ୍ରଜାମାନେ ଜାଣିବା ପରେ ୪ଟି ଗ୍ରାମର ଶତାଧିକ ପ୍ରଜା ସେଠାରେ ଏକତ୍ରିତ ହୋଇ ଏହାର ପ୍ରତିବାଦ ଜଣାଇବା ସହିତ ଜଣେ ହେଲେ ମଧ୍ୟ କ୍ଷତିପୂରଣ ଅର୍ଥ ଗ୍ରହଣ କରି ନ ଥିଲେ। ଭୂ-ଅର୍ଜନ ବିଭାଗ କର୍ମଚାରୀମାନେ ସେଠାରେ ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବସି ରହିଥିଲେ ମଧ୍ୟ ଜଣେ ହେଲେ ଟଙ୍କା ଗ୍ରହଣ କରି ନ ଥିଲେ। ରାଜସ୍ବ ବିଭାଗ କାର୍ଯ୍ୟାଲୟ ସମ୍ମୁଖରେ ଜୟନ୍ତୀ ମାହାନ୍ତ, ମାଦି ଓରାମ, ପାର୍ବତୀ ସାହୁ, ସୁନୀଲ ମାଝୀ, ମିତ୍ରଭାନୁ କିଷାନ, ଦୁର୍ଯ୍ୟୋଧନ କିଷାନ, ହରିହର କିଷାନ, ପୂର୍ଣ୍ଣଚନ୍ଦ୍ର ମାହାନ୍ତ ପ୍ରମୁଖ କ୍ଷତିଗ୍ରସ୍ତ ପ୍ରଜାମାନେ ଧାରଣାରେ ବସିଥିବା ବେଳେ ଏହା ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର