ତାଳଚେର: ତାଳଚରେ କ୍ଲବ ଭାଲୁଗାଡିଆ ଗ୍ରାମର ହରିଜନ ସାହିକୁ ଉଚ୍ଛେଦ କରିବାକୁ ଯାଇ ମଙ୍ଗଳବାର ପୁଲିସ ଓ କ୍ଷତିଗ୍ରସ୍ତ ପ୍ରଜା ମୁହାଁମୁହିଁ ଅବସ୍ଥାକୁ ଆସିଛନ୍ତି। ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରିବାରୁ ପୁଲିସ ତାଳଚେର ବିଧାୟକଙ୍କ ସମେତ ଶତାଧିକ ଗ୍ରାମବାସୀଙ୍କୁ ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ଅଟକ ରଖିଛି। ଅଟକ ସ୍ଥଳୀରେ ବିଧାୟକ ନିର୍ଜଳ ଉପବାସ ଆରମ୍ଭ କରିବା ଫଳରେ ପୁଲିସ ଓ ପ୍ରଶାସନ ଅଡୁଆରେ ପଡିଯାଇଛି। ଏହାକୁ କେନ୍ଦ୍ର କରି ଏମସିଏଲର ସମସ୍ତ କୋଇଲା ଖଣି ସମେତ ବ୍ଲକ ଓ ପୌରାଞ୍ଚଳରେ ଉତ୍ତେଜନା ଦେଖାଦେଇଛି।

Advertisment

ବିଧାୟକଙ୍କୁ ଅଟକ ପ୍ରତିବାଦରେ ସମର୍ଥକମାନେ ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ସମସ୍ତ ଖଣି କାର୍ଯ୍ୟ ବନ୍ଦ କରିଛନ୍ତି। ସମର୍ଥକମାନେ ବୁଧବାର ତାଳଚେର ବନ୍ଦର ଡାକରା ଦେଇଛନ୍ତି।

ପ୍ରକାଶ ଯେ, ଏମସିଏଲର ହିଙ୍ଗୁଳା କୋଇଲା କ୍ଷେତ୍ର ଦ୍ୱାରା ଭାଲୁଗାଡିଆ ଗ୍ରାମର ଜମି ଅଧିଗ୍ରହଣ ହୋଇଅଛି। ତେବେ ଗ୍ରାମର ହରିଜନ ସାହି ବାସିନ୍ଦାଙ୍କ ଥଇଥାନ ସମସ୍ୟାର ସମାଧାନ ଏ ପଯ୍ର୍ୟନ୍ତ ସଂପୂର୍ଣ୍ଣ ହୋଇନାହିଁ। ପୂର୍ବରୁ ଏ ସଂପର୍କରେ ଜିଲ୍ଲା ପ୍ରଶାସନ ଠାରେ ବହୁବାର ଅଭିଯୋଗ ପରେ ମଧ୍ୟ କୌଣସି ସମାଧାନର ବାଟ ବାହାରି ପାରିନାହିଁ।

publive-image

ଆଜି ସକାଳେ ଅନୁଗୁଳ ଏସପିଙ୍କ ନେତୃତ୍ୟରେ ବହୁ ସଂଖ୍ୟାରେ ପୁଲିସ ଫୋର୍ସ ବସ୍ତି ପାଖରେ ଜମା ହୋଇଥିଲେ। ତାଳଚେର ଉପଜିଳ୍ଲାପାଳ ପରେଶ ଚନ୍ଦ୍ର ନାୟକ, ଏସଡିପିଓ ହେମନ୍ତ କୁମାର ପଣ୍ଡାଙ୍କ ସମେତ ତାଳଚେର, କଲିୟରୀ ଥାନା ଅଧିକାରୀ ଉପସ୍ଥିତ ଥିଲେ। ବସ୍ତିରେ ଥିବା ଘର ଗୁଡିକ ଭଙ୍ଗାଯିବ ଓ ତୁରନ୍ତ ସେହି ସ୍ଥାନକୁ ପରିତ୍ୟାଗ କରିବାକୁ ହିଙ୍ଗୁଳା କ୍ଷେତ୍ର ପ୍ରବନ୍ଧକ ପି.କେ ରେଡୀ ଡାକବାଜି ଯନ୍ତ୍ରରେ ଘୋଷଣା କରିଥିଲେ। ଖବର ପାଇ ବିଧାୟକ ବ୍ରଜ କିଶୋର ପ୍ରଧାନ ଘଟଣାସ୍ଥଳରେ ପହଂଚିଥିଲେ। କ୍ଷତିଗ୍ରସ୍ତଙ୍କୁ ଦେଇଥିବା ପୂର୍ବ ପ୍ରତିଶୃତି ଏମସିଏଲ କାହିଁକି ପାଳନ କରୁନାହିଁ ଓ କ୍ଷତିଗ୍ରସ୍ତଙ୍କ ଥଇଥାନ ପ୍ରକ୍ରିୟା ସଂପୁଣ୍ର୍‌ଣ ନହେବା ପର୍ଯ୍ୟନ୍ତ କେଉଁ ନ୍ୟାୟରେ ଘର ଭଙ୍ଗା ହେବ ବୋଲି ବିଧାୟକ ଶ୍ରୀ ପ୍ରଧାନ ଖଣି ଅଧିକାରୀ ଓ ଏସପି ଙ୍କୁ ପ୍ରଶ୍ନ କରିଥିଲେ। ଏହାକୁ ନେଇ ଏସପି ଓ ବିଧାୟକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ସମସ୍ୟାର ସମାଧାନ ପରେ ଯାଇ ବସ୍ତି ଖାଲି କରାଯିବାକୁ ବିଧାୟକ ଅଡି ବସିଥିଲେ। ଏହାପରେ ପୁଲିସ ଶତାଧିକ ଗ୍ରାମବାସୀଙ୍କ ସମେତ ବିଧାୟକଙ୍କୁ ନେଇ ହିଙ୍ଗୁଳା ପ୍ରକଳ୍ପ କାର୍ଯ୍ୟାଳୟରେ ଅଟକ ରଖିଥିଲା।