ଲକଡାଉନରେ କଳାବଜାରୀ ହେଉଛି ତେନ୍ତୁଳି: ପରିଶ୍ରମ କରି ତୋଳୁଛନ୍ତି ଆଦିବାସୀ, ଲୁଟୁଛନ୍ତି ବେପାରୀ 

ଜୟପୁର: ଲକଡାଉନ ସ୍ବତ୍ତ୍ବେ ବି କୋରାପୁଟ ଜିଲ୍ଲାର ଆଦିବାସୀ ମୂଲକରେ ଆରମ୍ଭ ହୋଇଛି ତେନ୍ତୁଳି ଗଛରୁ ତେନ୍ତୁଳି ଅମଳର ଋତୁ। କରୋନା କଟକଣାକୁ ମାନି ଦିନରାତି ପରିଶ୍ରମ କରି ଆଦିବାସୀମାନେ ତେନ୍ତୁଳି ତୋଳୁଛନ୍ତି କିନ୍ତୁ ଏହାର ପ୍ରାପ୍ୟ ଆଉ ନେଉଛି ଆଉ କିଏ। ଗମନାଗମନର ଅସୁବିଧା ଓ ପ୍ରକୃତ ବଜାର ଅଭାବ ଯୋଗୁଁ ଶାଗମାଛ ଦରରେ ରାଜ୍ୟ ବାହାରକୁ ଚାଲାଣ ହେଉଛି କୋରାପୁଟିଆ ତେନ୍ତୁଳି। ଏହାର ଫାଇଦା ଉଠାଇ କଳାବଜାରୀ କରୁଛନ୍ତି ଦେଶୀ ଓ ରାଜ୍ୟ ବାହାର ବ୍ୟବସାୟୀ। ମୁଖ୍ୟତଃ ସାପ୍ତାହିକ ହାଟ ବନ୍ଦ ରହିଥିବାବେଳେ ଗାଁକୁ ଗାଁ ବୁଲି ଶାଗମାଛ ଦରରେ ତେନ୍ତୁଳି କିଣୁଛନ୍ତି ଦଲାଲ।

କୋରାପୁଟ ଜିଲ୍ଲାର ପାହାଡ ପର୍ବତ ଘେରା ବୈପାରୀଗୁଡା, ଜୟପୁର, ବାନ୍ଧୁଗାଁ, କୋରାପୁଟ, ଲକ୍ଷ୍ମୀପୁର, ନନ୍ଦପୁର,  କୋଟପାଡ, ବି.ସି˚ହପୁର, କୁନ୍ଦୁରା, ମାଛକୁଣ୍ତ, ଲମତାପୁଟ ଓ କୋଟିଆ ପରି ଅଞ୍ଚଳ ତେନ୍ତୁଳି ପାଇଁ ବେଶ ଉପଯୋଗୀ। ଏହି ଅଞ୍ଚଳ ଜୟବାୟୁ ଶୀତ ଦିନେ ଅତ୍ୟନ୍ତ ଥଣ୍ତା ଓ ଗରମ ଦିନେ ଅତିଶୟ ଗରମ ହେତୁ ବର୍ଷକୁ ଥରେ ତେନ୍ତୁଳି ଫଳେ। ମୁଖ୍ୟତଃ ପାହାଡିଆ ଅଞ୍ଚଳରେ ଏହି ତେନ୍ତୁଳି ବେଶ୍‌ ଭଲ ହୁଏ। ପ୍ରତିବର୍ଷ ଜାନୁଆରିରୁ ମାର୍ଚ୍ଚରୁ ଯାଏ ତେନ୍ତୁଳି ଅମଳ କରାଯାଇଥାଏ। ଏହି ତେନ୍ତୁଳି ଖଟା, ଚଟଣି, ଚାରୁ ସହ ଭୋଜି ଭାତରେ ମଧ୍ୟ ବ୍ୟବହାର କରାଯାଇଥାଏ।

କୋରପୁଟରେ ମୁଖ୍ୟତଃ ଆନ୍ଧ୍ର, ଛତିଶଗଡର ପ୍ରଭାବ ରହିଥିବାରୁ ଅମଳ ହେଉଥିବା ତେନ୍ତୁଳି ଓଡ଼ିଶାରେ ବିକ୍ରି ହେବା ପୂର୍ବରୁ ବାହାର ରାଜ୍ୟକୁ ଚାଲାଣ ହୋଇଥାଏ। ଆଦିବାସୀମାନେ ଗଛକୁ ଚଢି ଏହାକୁ ତୋଳିଥାନ୍ତି। ଏବେ କରୋନା କଟକଣା ହେତୁ ହାଟ ଓ ଗମନାଗମନର ସୁବିଧା ନ ଥିବାରୁ ପରେ ମାତ୍ର ୩୦ରୁ ୪୦ ଟଙ୍କାରେ ବେପାରୀକୁ ବିକ୍ରି କରିଦେଇଥାନ୍ତି। ରାଜ୍ୟ ବାହାରର ବ୍ୟବସାୟୀମାନେ ଏହାକୁ କିଣି ପ୍ରକିୟାକରଣ କରିବା ବଜାରକୁ ଚାରିଗୁଣା ଦରରେ ଛାଡି ଥାନ୍ତି। ଏହାର ଦର ଏବେ ୧୨୦ଟଙ୍କାରୁ ଆରମ୍ଭ ହୋଇ ୧୫୦ ଟଙ୍କା ଯାଏ ରହିଥାଏ। ଏହି ଗଛକୁ ଚଡି ତେନ୍ତୁଳି ତୋଳିବା ବେଳେ ଗୋଟିଏ ଗୋଟିଏ ପରିବାର ପ୍ରାୟ ସମସ୍ତ ସଦସ୍ୟ ଲାଗି ପଡିଥିଲେ ମଧ୍ୟ ସନ୍ଧ୍ୟାବେଳକୁ ୨୦୦ଟଙ୍କା ମଧ୍ୟ ହୋଇ ନ ଥାଏ।

ଛତିଶଗଡର ବେପାରୀ ଚନ୍ଦୁଲାଲ ବାଘେଲା କହିଛନ୍ତି ଯେ କୋରାପୁଟିଆ ତେନ୍ତୁଳିର ସ୍ବାଦ ସବୁ ତେନ୍ତୁଳିଠାରୁ ଭିନ୍ନ। ଓଡ଼ିଶା ବ୍ୟତୀତ ଛତିଡଗଡରେ ଏହାର ଚାହିଦା କାହିଁରେ କ’ଣ। କେଜି ପ୍ରତି ଲୋକେ ୨୦୦ଟଙ୍କା ଦେଇ ମଧ୍ୟ କିଣି ନିଅନ୍ତି। ଏହି ତେନ୍ତୁଳି ମୁଖ୍ୟତଃ ବିଭିନ୍ନ ପ୍ରକାର ଆଚାର ତିଆରି ଓ ହୋଟେଲରେ ବ୍ୟବହାର ହେଉଛି। ଏହିଠାରୁ ସସ୍ତାରେ ମିଳୁଥିବରୁ ଆମେ କିଣି ନେଇ ପ୍ରକ୍ରିୟାକରଣ କରି ବାହାରକୁ ଛାଡୁଛୁ। ଲକଡାଉନ ହେତୁ ଏହିଠାରେ ରହି ଏବେ ଏହାକୁ ସଂଗ୍ରହ କରୁଛୁ। ଲକଡାଉନ ଶେଷ ହେବା ପରେ ବସାଘରୁ ଏହାକୁ ବସରେ ଗାଁକୁ ନେବୁ ବୋଲି ସେ କହିଛନ୍ତି। ଆନ୍ଧ୍ର ପ୍ରଦେଶର ବ୍ୟବସାୟୀ ଏସ.ଶ୍ରୀନିବାସ କହିଛନ୍ତି ଯେ କୋରପୁଟିଆ ତେନ୍ତୁଳିକୁ ମୁଖ୍ୟତଃ ଚାରୁ, ଆଚାର ଓ ଚଟଣି ପାଇଁ ବ୍ୟବହାର କରାଯାଇଥାଏ। ଏହାସହ ପ୍ରତିଦିନ ହଜାର ହଜାର ହୋଟେଲରେ ଖଟା ପାଇଁ ଏହାର ଆବଶ୍ୟକତା ପଡୁଥିବାରୁ କୋରପୁଟ ଜିଲ୍ଲାରୁ କିଣାଯାଇଥାଏ। ମୁଖ୍ୟତଃ ସାପ୍ତାହିକ ହାଟ ସହ ଗାଁ ଗାଁକୁ ବୁଲି ଏହି ତେନ୍ତୁଳିକୁ କିଣିବା ପରେ ପକ୍ରିୟାକରଣ କରାଯାଇ ବଜାରକୁ ଛଡାଯାଇଥାଏ ବୋଲି ସେ କହିଛନ୍ତି।

ବାରିଣିପୁଟ ପଞ୍ଜାୟତ ମହୁଲ ଭଟ୍ଟା ଗାଁର ରବି ମୁଦୁଲି କହିଛନ୍ତି ଯେ ଦିନରାତି ୬ ପ୍ରାଣୀ ସହ ଏହି ତେନ୍ତୁଳି ତୋଳିଲେ ମଧ୍ୟ ରାତିକୁ ଚୁଲିକୁ ଜାଳ ଯିବା କଷ୍ଟକର। ଦିନଯାକ ପରିଶ୍ରମ କଲେ ମାତ୍ର ୧୦ରୁ ୧୫କେଜି ତେନ୍ତୁଳି ତୋଳିବା ସମ୍ଭବ ପର ହୋଇଥାଏ। ଏଥିରୁ ଖୋଳାପା ଛଢାଇ ଶୁଖାଇଲାପରେ ୫କେଜିକୁ ହ୍ରାସ ପାଏ। ଖରାଦିନେ ଚାଷବାସ ନ ଥିବାରୁ ଓ ଲକଡାଉନ ହେତୁ ବସିବା ଅପେକ୍ଷା ଏହି ବନଯାତ ଦ୍ରବ୍ୟରୁ ଯାହା ମିଳେ ତାହାକୁ ନେଇ ସସାର ଚଳେ ବୋଲି ସେ କହିଛନ୍ତି।

କାର୍ତ୍ତିକ ରାଉତ କହିଛନ୍ତି ଯେ ସାଧାରଣତଃ ତେନ୍ତୁଳିର ବହୁ ରୋଗ ନିରୋଧୀ ଗୁଣ ରହିଛି। ଏଥିରେ ଭିଟାମିନ ସି, ଇ, ବି ସହ କାଲସିୟମ, ଆଇରନ, ଫସଫରସ, ପୋଟାସିୟମ, ମାଙ୍ଗାନିଜ ପରି ଔଷଧୀୟ ଦ୍ରବ୍ୟ ଭରି ରହିଛି। ଏହି ତେନ୍ତୁଳିକୁ ବିଭିନ୍ନ ପ୍ରକ୍ରିୟାରେ ସେବନ କଲେ ଖରାଦିନେ ଜଳାପୋଡା, ଦୃଷ୍ଟି ଶକ୍ତି ବୃଦ୍ଧି, ଯାବତୀୟ ଚର୍ମରୋଗରୁ ମୁକ୍ତି ସହ ପୁରୁଣା ଜର କମାଇବା ସହ ମୋଟାପଟକୁ ମଧ୍ୟ ହ୍ରାସ କରିବାରେ ସହଯୋଗ କରିଥାଏ।

 

ସମ୍ବନ୍ଧିତ ଖବର