ତମିଆଁ ଓ ମୁଦଲସର ସେତୁ ଭାଙ୍ଗିବା ଘଟଣା: ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

ପାଟଣାଗଡ଼: ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ତମିଆଁ ଓ ମୁଦଲସର ମଧ୍ୟରେ ଥିବା ଶୁକ୍ତେଲ ସେତୁ ଭାଙ୍ଗିବା ଘଟଣାରେ ଲୋକାୟୁକ୍ତ ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ମଙ୍ଗଳବାର ବଲାଙ୍ଗୀର ଭିଜିଲାନ୍ସ ଡିଏସପି କାଦମ୍ବିନୀ ସାମଲ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଜଣାପଡିଛି।

ତମିଆଁ ଓ ମୁଦଲସର ମଧ୍ୟରେ ଥିବା ସୁକ୍ତେଲ ସେତୁ ଗତ ଏପ୍ରିଲ ୨୯ ତାରିଖରେ ମରାମତି କାର୍ଯ୍ୟ ଚାଲୁଥିବା ବେଳେ ଗୋଟିଏ ସ୍ପାନ ଭୁଷୁଡ଼ି ପଡିଥିଲା। ଫଳରେ ମରାମତି କାର୍ଯ୍ୟ ନିୟୋଜିତ ଥିବା ଶ୍ରମିକମାନଙ୍କ ମଧ୍ୟରୁ ୨ ଜଣ ଶ୍ରମିକଙ୍କ ଉକ୍ତ ସ୍ପାନରେ ଚାପି ହୋଇ ମୃତ୍ୟୁ ହୋଇଥିଲା।

ଏହି ଘଟଣା ଘଟିବାର କିଛି ସମୟ ମଧ୍ୟରେ କାମ କରୁଥିବା କମ୍ପାନି ରାମ କୁମାର ଅଗ୍ରଓ୍ୱାଲ ପ୍ରାଇଭେଟ୍ ଲିମିଟେଡର ଜଣେ କର୍ମଚାରୀକୁ ଲରମ୍ଭା ଥାନାରେ ଅଟକ ରଖା ଯାଇଥିଲା। ୮ ଦିନ ଧରି ଅଟକ ରଖାଯାଇ କୋର୍ଟ ଚାଲାଣ କରିଥିବା ବେଳେ ଉକ୍ତ କର୍ମଚାରୀ ଜଣକୁ ଜାମିନ ମିଳିଥିଲା। ଏହା ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଭୁବନେଶ୍ବରର ଦୁଇ ଜଣ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରି ଯାଇଥିଲେ। ସେତୁ ଭାଙ୍ଗିବା ଘଟଣାକୁ ନେଇ ବାରମ୍ବାର ଖବର ପ୍ରକାଶିତ ହୋଇଥିଲା।

ଦୀର୍ଘ ଦିନ ପରେ କମ୍ପାନିକୁ କଳା ତାଲିକା ଭୁକ୍ତ କରିଥିଲେ ସରକାର। ଏହା ସହିତ ପାଟଣାଗଡ଼ ଗ୍ରାମ୍ୟ ଭନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଆନ୍ଥୋନୀଙ୍କ କିଶାନଙ୍କୁ ନିଲମ୍ବିତ କରୁଥିଲା ବିଭାଗ। ହେଲେ ସେତୁ ନିର୍ମାଣ ସମୟରେ କାର୍ଯ୍ୟରତ ଥିବା ଯନ୍ତ୍ରୀମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇ ନ ଥିଲା।

ଦୀର୍ଘ ଦିନ ପରେ ଲୋକାୟୁକ୍ତ ଏହି ଘଟଣାର ଭିଜିଲାନ୍ସ ତଦନ୍ତ ନେଇ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ପାଇ ବଲାଙ୍ଗୀର ଭିଜିଲାନ୍ସ ଗତ ସେପ୍ଟେମ୍ବର ମାସ ୮ ତାରିଖରେ ଏକ ମାମଲା ରୁଜୁ କରିଥିଲା। ଘଟଣାର ତଦନ୍ତ କରିବା ପାଇଁ ଘଟଣାସ୍ଥଳରେ ବଲାଙ୍ଗୀର ଭିଜିଲାନ୍ସ ଡିଏସପି କାଦମ୍ବିନୀ ସାମଲ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

ତଦନ୍ତ ସମୟରେ ଘଟଣାସ୍ଥଳରେ ପହଁଞ୍ଚି ସେ ଗ୍ରାମବାସୀମାନଙ୍କୁ ପଚରାଉଚରା କରିଥିବା ଜଣାପଡିଛି। ପ୍ରଥମ ପର୍ଯ୍ୟାୟରେ ସେତୁ କାମ କରିଥିବା କମ୍ପାନିର ସଂଜୟ ଅଗ୍ରଓ୍ୱାଲ, ଗ୍ରାମ୍ୟ ଉନ୍ନୟନ ବିଭାଗର ପୂର୍ବତନ ନିର୍ବାହୀ ଯନ୍ତ୍ରୀ ବିଭୁଦେନ୍ଦ୍ର ମେହେର, ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର ତତ୍କାଳୀନ ନିର୍ବାହୀ ଯନ୍ତ୍ରୀ ଶୁଭେନ୍ଦୁ ମହାପାତ୍ର, ପୂର୍ବତନ ନିର୍ବାହୀ ଯନ୍ତ୍ରୀ ଆନ୍ଥୋନୀ କିଶାନଙ୍କ ନାମ ରହିଥିବା ଜଣାପଡିଛି।

ଭିଜିଲାନ୍ସ ଡିଏସପି କାଦମ୍ବିନୀ ସାମଲ ତଦନ୍ତ କରିଥିବା ବେଳେ ତାଙ୍କୁ ପଚରାଯିବାରୁ ସେ, ତଦନ୍ତ କରା ଯାଉଛି, ଭୁବନେଶ୍ୱରର ଟେକ୍ନିକାଲ ଟିମକୁ ଏ ନେଇ କହିବେ, ଟେକ୍ନିକାଲ ଟିମ ଆସି ଅଧିକ ତଦନ୍ତ କରିବ ବୋଲି ସେ କହିଥିଲେ।

ଏଠାରେ ପ୍ରକାଶ ଥାଉ କି, ତମିଆଁ – ମୁଦଲସର ମଧ୍ୟରେ ଥିବା ସୁକ୍ତେଲ ସେତୁ ପାଞ୍ଚ ବର୍ଷ ପୂର୍ବରୁ ୬ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଏହି ସେତୁଟିର ନିର୍ମାଣ କରା ଯାଇଥିଲା। ହେଲେ ଏହାର ନିର୍ମାଣ କରିବା ଦିନ ଠାରୁ ନିମ୍ନମାନର କାମ ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ପାଞ୍ଚ ବର୍ଷ ପୁରି ନ ଥିବା ବେଳେ ଏହି ସେତୁ ଦିବାରାତ୍ର ଲାଗିଥିଲା। ଏହାକୁ ନେଇ ସମ୍ବାଦ ରେ ଖବର ପ୍ରକାଶିତ ହୋଇଥିଲା। ପରେ ଦବି ଥିବା ସ୍ପାନ ରେ ମରାମତି ପାଇଁ ବିଭାଗ ପକ୍ଷରୁ ଉକ୍ତ କମ୍ପାନିକୁ ନିର୍ଦ୍ଦେଶ ଦିଆ ଯାଇଥିଲା। ମରାମତି କାମ ଚାଲୁଥିବା ସମୟରେ ଉକ୍ତ ସ୍ପାନ ଭୁଷୁଡି କାର୍ଯ୍ୟରେ ନିୟୋଜିତ ହେଇଥିବା ଶ୍ରମିକମାନଙ୍କ ମଧ୍ୟରୁ ୨ ଜଣ ଅଣ ଓଡିଆ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହି ଘଟଣାଟି ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ବର୍ତ୍ତମାନ ଏହାର ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଆଗକୁ ଏହି ତଦନ୍ତ କେତେଦୂର ଯିବ ତାହା ସମ୍ପୃକ୍ତ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି।

 

ସମ୍ବନ୍ଧିତ ଖବର