ଦାରିଙ୍ଗିବାଡ଼ିରେ ଫସି ରହିଲା ପ୍ରବାସୀଙ୍କ ବସ୍, ସାରା ରାତି ଘାଟିରେ ରହିଲେ ଶ୍ରମିକ

ଗାଡ଼ିକୁ ଉଦ୍ଧାର କରିବା ସହ ଖାଦ୍ୟ ଯୋଗାଇଲା ସୋରଡ଼ା ପୁଲିସ୍

ବ୍ରହ୍ମପୁର : ପ୍ରବାସୀ ଓଡ଼ିଆଙ୍କୁ ଆଣିବା ପାଇଁ ଶ୍ରମିକ ସ୍ବତନ୍ତ୍ର ଟ୍ରେନ ବ୍ୟବସ୍ଥା ହୋଇଥିଲେ ମଧ୍ୟ ବସ୍‌ରେ ଫେରିବା ଆଜି ଯାଏଁ ବନ୍ଦ ହୋଇପାରି ନାହିଁ। ରାଜ୍ୟ ବାହାରୁ ଏବେ ସୁଧା ଜିଲ୍ଲାକୁ ପ୍ରତ୍ୟେକ ଦିନ ବସ୍ ଆସିବାରେ ଲାଗିଛି। ଏଥିସହ ବସ୍ ଦୁର୍ଘଟଣା ମଧ୍ୟ ବାରମ୍ବାର ହେଉଥିବାର ନଜିର୍ ରହିଛି। ଏଭଳି ସ୍ଥଳେ ଗତକାଲି ତାମିଲନାଡ଼ୁ ରାଜ୍ୟର କୋଏମ୍ବଟୁର୍ ଅଞ୍ଚଳରୁ ପ୍ରବାସୀ ଓଡ଼ିଆକୁ ନେଇ ଆସୁଥିବା ଗୋଟିଏ ବସ୍ ଗଞ୍ଜାମ ଜିଲ୍ଲା ସୀମାନ୍ତ ଦାରିଙ୍ଗିବାଡ଼ି ଘାଟିରେ ଫସିଯାଇଛି। ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଗାଡ଼ିଟି ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି। କିନ୍ତୁ ବସ୍‌ଟି ସେଠାରେ ରାତି ସାରା ଫସି ରହିଥିବା ବେଳେ ପ୍ରବାସୀମାନ‌େ ମଧ୍ୟ ଘାଟିରେ ରାତି କାଟିଛନ୍ତି। ଖବର ପାଇ ସୋରଡ଼ା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିକୁ ଉଦ୍ଧାର କରିଥିବା ବେଳେ ପ୍ରବାସୀଙ୍କୁ ଖାଦ୍ୟ ଦେଇ ନିଜ ଘରକୁ ପଠାଇଛନ୍ତି। ୧୨ ଘଣ୍ଟା ପରେ ଘାଟି ରାସ୍ତାରେ ଯାତାୟାତ ସ୍ବାଭାବିକ ପରିସ୍ଥିତିକୁ ଫେରିଛି।

ସୂଚନା ଅନୁଯାୟୀ, ତାମିଲନାଡ଼ୁ ରେ ଠାରେ ରହିଥିବା ପ୍ରବାସୀମାନ‌େ ଫସି ରହିଥିବାରୁ ଭିଟାମାଟିକୁ ଫେରିବା ପାଇଁ ଗୋଟିଏ ବସ୍‌ ଭଡ଼ା କରିଥିଲେ। ଗତ ୩ ଦିନ ପୂର୍ବରୁ ତାମିଲନାଡ଼ୁ ରାଜ୍ୟର କୋଏମ୍ବଟୁର୍ ୩୦ ଜଣ ପ୍ରବାସୀ ଓଡ଼ିଶା ଅଭିମୁଖେ ବାହାରିଥିଲେ। ସେହି ବସ୍‌ରେ ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାର ଶ୍ରମିକମାନେ ରହିଥିଲେ। ସେମାନେ ଭଞ୍ଜନଗର କଳିଙ୍ଗାଘାଟି ଦେଇ ଯିବା ବଦଳରେ କାଳଷଣ୍ଢପୁର ଛକରୁ ସୋରଡ଼ା ଆଡ଼କୁ ଯାଇଥିଲେ। ଏହାପରେ ଅଣଓସାରିଆ ଦାରିଙ୍ଗିବାଡ଼ି ଘାଟିରେ ଯିବା ସମୟରେ ରାତି ସାଢ଼େ ୮ ବ‌େଳେ ବସ୍‌ଟି ଘାଟିର ୯ ନମ୍ବର ବୁଲାଣିରେ ଉପରକୁ ଉଠି ନପାରି ତଳକୁ ତଳକୁ ଖସିବାରେ ଲଗାଥିଲା।

ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଗାଡ଼ିରେ ବ୍ରେକ ଦେଇ ସେଠାରେ ହିଁ ଗାଡ଼ିଟିକୁ ‌ରଖିଦେଇଥିବାରୁ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। କିନ୍ତୁ ଗାଡ଼ିଟି ଆଉ ଆଗକୁ କିମ୍ବା ପଛକୁ ଆସିପାରିଲା ନାହିଁ। ଫଳରେ ଗାଡ଼ିରେ ବସିଥିବା ପ୍ରବାସୀମାନ‌େ ସୋରଡ଼ା ଥାନାକୁ ଖବର ଦେଇଥିଲେ। ଖବର ପାଇଁ ସୋରଡ଼ା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଓ ଏସଆଇ ସୁନୀଲ କଣ୍ଡଘ‌ୋରୀ ସହିତ ପୁଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଥିଲେ।

ଅନ୍ଧକାର ରାତିରେ ଗାଡ଼ିକୁ ‌ସେଠାରୁ ବାହାର କରିବା ସମ୍ଭବପର ହୋଇପାରି ନଥିଲା। ମାଓପ୍ରବଣ ଅଞ୍ଚଳ ହୋଇଥିବାରୁ ପୁଲିସ ସେଠାରେ ପ୍ରବାସୀଙ୍କୁ ସୁରକ୍ଷା ଦେଇଥିଲେ। ଏଥିସହ ରାତିରେ ଶୁଖିଲା ଖାଦ୍ୟ ଓ ପାଣି ପ୍ରବାସୀଙ୍କୁ ଦେଇଥିଲେ। ଯାହା ଫଳରେ ଘାଟି ରାସ୍ତା ଦେଇ ଯାତାୟାତ ବନ୍ଦ ହୋଇଯାଇଥିଲା। ଆଜି ସକାଳୁ ପୁଣି ଜେସିବି ସହାଯ୍ୟରେ ଗାଡ଼ିକୁ ଉଦ୍ଧାର କରାଯାଇଥିଲା। ସୋରଡ଼ା ପୁଲିସ ପକ୍ଷରୁ ପୁଣି ଆଜି ସକାଳୁ ସେମାନଙ୍କୁ ଖାଦ୍ୟ ପ୍ରଦାନ କରାଯାଇଥିଲା ଏବଂ ସେହି ବସ୍ ଯୋଗେ ସେମାନଙ୍କୁ ପଠାଇଥିଲେ।

ସମ୍ବନ୍ଧିତ ଖବର