ଜୟପୁର: ଆଜି ସକାଳ ୮ଟା ବେଳେ କୋରାପୁଟ-ଜୟପୁର-ରାୟପୁର ଜାତୀୟ ରାଜପଥ-୨୬ର କୋରାପୁଟ ଘାଟିରେ ଗାଜୁଲାବାଡି ଗାଁ ନିକଟରେ ଥିବା ମୋଡ଼ରେ ଭାରସାମ୍ୟ ହରାଇ ଏକ ଡିଜେଲ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଥିଲା। ଭାଗ୍ୟବଶତଃ ଟ୍ୟାଙ୍କର ଚାଳକ ଓ ହେଲପର ଏହି ଦୁର୍ଘଟଣାରେ ବଞ୍ଚିଯାଇଥିଲେ। ଏମାନଙ୍କୁ ସାମାନ୍ୟ ଆଘାତ ଲାଗିଛି।

Advertisment

ଖବର ପାଇ ଜୟପୁର ସଦର ଥାନା ଅଧିକାରୀ ଆଦିତ୍ୟ ମହାକୁର ଓ ଜୟପୁର ଅଗ୍ନିଶମ ବିଭାଗର କର୍ମଚାରୀମାନେ ଦୁର୍ଘଟଣାସ୍ଥଳକୁ ଯାଇ କ୍ରେନ୍ ମାଧ୍ୟମରେ ଟ୍ୟାଙ୍କରକୁ ଉଠାଇଥିଲେ।

publive-image

ସୂଚନା ଅନୁସାରେ ବିଶାଖାପାଟଣାରୁ ଜୟପୁର ଦେଇ ରାୟପୁର ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥରେ ୨୪ହଜାର ଲିଟର ଡିଜେଲ ଭର୍ତ୍ତି ଟ୍ୟାଙ୍କରଟି  ଯାଉଥିଲା। ଗାଜୁଲାବାଡି ମୋଡ଼ ନିକଟରେ ଟ୍ୟାଙ୍କରଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବ ଗାର୍ଡୱାଲ ନିକଟରେ ଓଲଟି ପଡ଼ିଥିଲା।

ଗାର୍ଡୱାଲ ନଥିଲେ ଟ୍ୟାଙ୍କରଟି ଘାଟି ତଳକୁ ଖସି ପଡ଼ିଥାନ୍ତା। ତେବେ ଭାଗ୍ୟବଶତଃ ଉଭୟ ଚାଳକ ଓ ହେଲପର ବଞ୍ଚି ଯାଇଥିଲେ। ତେବେ ଟ୍ୟାଙ୍କରରେ ତେଲ ଥିବାରୁ ଭୟରେ ଗାଡ଼ି ଚଳାଚଳ ପ୍ରାୟ ୩ଘଣ୍ଟା ଧରି ବନ୍ଦ ରହିଥିଲା। କ୍ରେନରେ ଟ୍ୟାଙ୍କର ଉଠିବା ପରେ ଏହି ରାସ୍ତା ଦେଇ ଗାଡି ମୋଟର ଚଳାଚଳ କରିଥିଲା।