ହରଭଙ୍ଗା: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ୫୭ନଂ ଜାତୀୟ ରାଜପଥର ଆଡେନିଗଡ଼ରେ ଏକ ତେଲ ଟ୍ୟାଙ୍କର ଏକ ଅଟୋ ଓ ସାଇକେଲକୁ ଧକ୍କା ଦେବା ପରେ ଏକ ହୋଟେଲ ଭିତରକୁ ପଶିଯାଇଥିଲା। ଏଥିରେ ସାଇକେଲ ଚାଳକ ଓ ହୋଟେଲ ମାଲିକାଣୀ ଆହତ ହୋଇଥିବା ଜଣାଯାଇଛି। ଶୁକ୍ରବାର ଅପରାହ୍ନ ୪ଟାରେ ଚାରିଛକ ପଟୁ ଏକ ତେଲ ଟ୍ୟାଙ୍କର ଦଶପଲ୍ଲା ଆଡ଼କୁ ଯାଉଥିଲା। ଗାଡ଼ିଟି ନିୟନ୍ତ୍ରଣ ହରାଇ ପ୍ରଥମେ ସ୍ଥାନୀୟ ଆର୍ଆଇ ଅଫିସ ସମ୍ମୁଖରେ ରହିଥିବା ଏକ ସାଇକେଲ ଓ ଅଟୋକୁ ଧକ୍କା ଦେଇ ନିକଟରେ ଥିବା ହୋଟେଲ ମଧ୍ୟକୁ ପଶି ଯାଇଥିଲା।
ଫଳରେ ସାଇକେଲ ଆରୋହୀ ସୁବଳ ନାଏକ(୩୦) ଓ ହୋଟେଲ ମାଲିକଙ୍କ ସ୍ତ୍ରୀ ତରଙ୍ଗିନୀ ସାହୁ ମଧ୍ୟ ଆହତ ହୋଇଥିଲେ। ଏଥିରେ ହୋଟେଲର ବହୁ ଆସବାବପତ୍ର ବି ନଷ୍ଟ ହୋଇଛି। ତରଙ୍ଗିନୀଙ୍କୁ ସ୍ଥାନୀୟ ଆଡେନିଗଡ଼ ଡାକ୍ତରଖାନା ଓ ସୁବଳଙ୍କୁ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଯାଇଥିବା ଜଣାପଡ଼ିଛି।
ହୋଟେଲ ମାଲିକ ଜଣକ ଅତ୍ୟନ୍ତ ଗରିବ ହୋଇଥିବାରୁ ତାଙ୍କୁ କ୍ଷତିପୂରଣ ଯୋଗାଇ ଦେବା ଦାବିରେ ସ୍ଥାନୀୟ ଲୋକେ ଅଧଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ। ପରେ ପୁଲିସ ସେମାନଙ୍କୁ ବୁଝାଶୁଝା କରିବାରୁ ରାସ୍ତାରୋକ ହଟିଥିଲା। ଚାଳକ ଜଣକ ପ୍ରଚୁର ନିଶାପାନ କରି ଗାଡ଼ି ଚଳାଉଥିବାରୁ ଏହି ଦୁର୍ଘଟଣା ହୋଇଥିବା ଲୋକେ ଅଭିଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Harabhanga1.jpeg)