ଭୁବନେଶ୍ବର : ଏସୀୟ କ୍ରୀଡ଼ାରେ ଭାଗନେବାର ଆଶା ନେଇ କଳିଙ୍ଗ ଷ୍ଟାଡିୟମସ୍ଥିତ ଜିମ୍ନାଷ୍ଟିକ୍ସ ହଲ୍‌ଠାରେ ଆରମ୍ଭ ହୋଇଥିବା ଆର୍ଟିଷ୍ଟିକ୍ସ ଜିମ୍ନାଷ୍ଟିକ୍ସ ଭାରତୀୟ ଦଳ ଟ୍ରାଏଲ୍ସରୁ ଉଭା ହୋଇଛନ୍ତି ଓଡ଼ିଆ ପୁଅ ପୁରୀର ତପନ ମହାନ୍ତି। କନିଷ୍ଠ ବର୍ଗରେ ଜାତୀୟସ୍ତରରେ ଏକାଧିକ ପଦକ ଜିତିଥିବା ତପନ ଏହି ଟ୍ରାଏଲ୍ସର ପ୍ରଥମ ଦିନ ସୁଦ୍ଧା ତୃତୀୟ ସ୍ଥାନରେ ରହି ଯୋଗ୍ୟତା ଅର୍ଜନର ନିକଟତର ହୋଇଛନ୍ତି। ତାଙ୍କଠୁ ବହୁ ଅଭିଜ୍ଞ ଖେଳାଳି ଏହି ଟ୍ରାଏଲ୍ସରେ ଥିଲେ ମଧ୍ୟ ଶ୍ରୀମନ୍ଦିର ସେବାୟତ ପରିବାରର ପୁଅ ତପନ ନିଜର ଚମତ୍କାରିତା ଦେଖାଇ ଏହି ସ୍ଥାନ ଅଧିକାର କରିଛନ୍ତି।

Advertisment

ବାପାଙ୍କ ପ୍ରେରଣା
ବାପା ଲୋକନାଥ ମହାନ୍ତି ଥିଲେ ଜଣେ କୁସ୍ତିବିତ୍‌। ‌ବାପାଙ୍କ ଖେଳ ଦେଖି ତପନ ଖେଳାଳି ହେବାର ମ‌ନବଳାଇଥିଲେ। ତପନଙ୍କ ଆଗ୍ରହକୁ ଏଡ଼ାଇ ପାରିନଥିଲେ ଲୋକନାଥ। ଏଥିସହ ‌ଲୋକନାଥଙ୍କ ଜଣେ ଗୁରୁ (ପ୍ରଶିକ୍ଷକ) ପାଣ୍ଡିଆ ଲେଙ୍କାଙ୍କ ପରାମର୍ଶ ହିଁ ତପନଙ୍କୁ ଆଜି ଜଣେ ଅନ୍ତର୍ଜାତୀୟ ଜିମ୍ନାଷ୍ଟ ହେବାର ଦ୍ବାରରେ ପହଞ୍ଚାଇଛି। ଲୋକନାଥ ଶ୍ରୀମନ୍ଦିର ସେବାୟତ ପରିବାରର ହୋଇଥିବାରୁ ପାଣ୍ଡିଆ ପରାମର୍ଶ ଦେଇଥିଲେ ବଡ଼ପୁଅକୁ ଜଗନ୍ନାଥ ସେବାରେ ଲଗାଅ ଏବଂ ସାନପୁଅ ତପନ ଛୋଟ ଅଛି ତାକୁ ଖେଳାଳି କର। ତାଙ୍କର ଏହି ପରାମର୍ଶ ପରେ ତପନଙ୍କୁ ଧରି ଲୋକନାଥ ପହଞ୍ଚିଥିଲେ ପୁରୀସ୍ଥିତ କ୍ରୀଡ଼ା ଛାତ୍ରାବାସରେ। ସେଠାରେ ଜିମ୍ନାଷ୍ଟିକ୍ସ ଦେଖି ୯ ବର୍ଷୀୟ ତପନ ଏଥିପ୍ରତି ଆଗ୍ରହ ଦେଖାଇଥିଲେ। ସେହିଦିନଠୁ ଆରମ୍ଭ ହୋଇଥିଲା ତପନଙ୍କ ଜିମ୍ନାଷ୍ଟିକ୍ସ ଜୀବନ। ସେଠାରେ ଖ୍ୟାତି ସମ୍ପନ୍ନ ଅଶୋକ ମିଶ୍ରଙ୍କ ପ୍ରଶିକ୍ଷଣରେ ଜିମ୍ନାଷ୍ଟିକ୍ସର ମୂଳଦୁଆ ପକାଇଥିଲେ ସେ। ଏହାପରେ ଖେଲୋ ଇଣ୍ଡିଆ ସ୍କିମ୍‌ରେ ସାମିଲ ହୋଇଥିଲେ ତପନ। ପରେ କୋଲ୍‌କାତା ସାଇରେ କିଛି ଦିନ ପ୍ରଶିକ୍ଷଣ ନେଇଥିଲେ। ସଂପ୍ରତି ଭୁବନେଶ୍ବରସ୍ଥିତ ଏଏମ୍‌/ଏନ୍‌ଏସ୍‌ ଓଡ଼ିଶା ଏଚ୍‌ପିସିରେ ପ୍ରଶିକ୍ଷଣ ନେଉଛନ୍ତି।

publive-image

ଆଶା ଅଲିମ୍ପିକ୍ସ
ଏବେ ସୁଦ୍ଧା ତପନ ଜାତୀୟସ୍ତରରେ ଅନେକ ପଦକ ଜିତିଲେଣି। କିନ୍ତୁ ଏବେ ବରିଷ୍ଠ ବର୍ଗ ପ୍ରତିଯୋଗିତାରେ ଅଂଶଗ୍ରହଣ କରିନାହାନ୍ତି। ଦ୍ବିତୀୟ ଥର ଲାଗି ବରିଷ୍ଠ ବର୍ଗରେ ଟ୍ରାଏଲ୍ସରେ ଭାଗ ନେଇଥିବା ଏହି ୨୦ ବର୍ଷୀୟ ଯୁବକ ଅଲିମ୍ପିକ୍ସ ଖେଳିବା ଅଶା ରଖିଛନ୍ତି। ପ୍ରଥମ ଥର ଲାଗି ୨୦୨୨ ଅକ୍ଟୋବରରେ ବରିଷ୍ଠ ବର୍ଗରେ ସେ ନିଜକୁ ତଉଳେଇବାକୁ ସୁଯୋଗ ପାଇଥିଲେ। ଏସୀୟ ଚାମ୍ପିଅନ୍‌ସିପ୍‌ ଲାଗି ଆୟୋଜିତ ଏହି ଟ୍ରାଏଲ୍ସରେ ସେ ଭାଗ ନେଇଥିଲେ। ହେଲେ ଅଷ୍ଟମ ସ୍ଥାନରେ ରହିବାରୁ ଅନ୍ତର୍ଜାତୀୟ ସ୍ବପ୍ନ ସାକାର ହୋଇ ପାରିନଥିଲା। ଏସୀୟ କ୍ରୀଡ଼ା ଟ୍ରାଏଲ୍ସରେ ତୃତୀୟ ସ୍ଥାନରେ ଥିବାରୁ ଏହି ଆଶା ପୂରଣ ହେବାର ସମ୍ଭାବନା ଦେଖାଯାଇଛି। ୨୦୧୭ରେ ହାଇଦ୍ରାବାଦ ଜାତୀୟ ଉପକନିଷ୍ଠ (୧୪ ବର୍ଷରୁ କମ୍‌) ପ୍ରତିଯୋଗିତାରେ ଭୋଲ୍ଟ‌ରେ କାଂସ୍ୟ ଜିତିଥିଲେ। ଏହାପରେ ୨୦୧୯ ଜାତୀୟ କନିଷ୍ଠ ପ୍ରତିଯୋଗିତାରେ ପାରାଲାଲ ବିମ୍‌ରେ ‌ସ୍ବର୍ଣ୍ଣ, ରିଙ୍ଗ୍‌ରେ ରୌପ୍ୟ ପାଇଥିଲେ। ତ୍ରିପୁରାରେ ସେ ଅଲ୍‌ରାଉଣ୍ଡ ଓ‌ ଫ୍ଲୋ‌ରରେ ତୃତୀୟ ଏବଂ ବାର୍‌ରେ ସ୍ବର୍ଣ୍ଣ ଜିତିଥିଲେ। ‌ଷ୍ଟିଲ ରିଙ୍ଗ୍‌, ଫ୍ଲୋର ଏକ୍ସରସାଇଜ୍‌ ଓ ପାରାଲାଲ ବାର୍‌ ତପନଙ୍କ ବେଶୀ ପସନ୍ଦ। ତା’ ଉପରେ ସେ ବେଶି ‌ଫୋକସ କରିନ୍ତି ବୋଲି କହିଛନ୍ତି।

ପ୍ରତ୍ୟାବର୍ତ୍ତନ ପ୍ରଦର୍ଶନରେ ଦୀପା ଖୁସି
ଆହତ ସମସ୍ୟା ସାଙ୍ଗକୁ ୨୧ ମାସର ବାସନ୍ଦ ପରେ ପ୍ରଥମ ଥର ଲାଗି ଟ୍ରାଏଲ୍ସରେ ଦେଖାଯାଇଛନ୍ତି ରିଓ ଅଲିମ୍ପିକ୍ସରେ ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିବା ଦୀପା କର୍ମକାର। ତାଙ୍କର ଏହି ପ୍ରତ୍ୟାବର୍ତ୍ତନ ପ୍ରଦର୍ଶନରେ ସେ ବହୁତ ଖୁସି ଅଛନ୍ତି ବୋଲି କଳିଙ୍ଗ ଷ୍ଟାଡିୟମସ୍ଥିତ ଜିମ୍ନାଷ୍ଟିକ୍ସ ହଲ୍‌ଠାରେ ଏସୀୟ କ୍ରୀଡ଼ା ଲାଗି ଆର୍ଟିଷ୍ଟିକ୍ସ ଜିମ୍ନାଷ୍ଟିକ୍ସ ଇଭେଣ୍ଟ ଟ୍ରାଏଲ୍ସର ପ୍ରଥମ ଦିନ ପରେ ଶୀର୍ଷରେ ରହିଥିବା ଦୀପା କହିଛନ୍ତି । ‘‘ସମସ୍ତଙ୍କ ଜୀବନରେ ଉତ୍‌ଥାନ ପତନ ରହିଛି। ମୋ ଜୀବନରେ ସେପରି ଘଟିଛି। ଏସବୁ ଉପରବାଲାଙ୍କ ହାତରେ। ଏସବୁ ସହ ଲଢ଼ି ଆଗକୁ ବଢ଼ିଛି। ପ୍ରାୟ ଦୁଇ ବର୍ଷ ପ‌ରେ ଫେରିଛି। ଏଠାରେ ମୋର ପ୍ରଦର୍ଶନ ୧୦୦ ପ୍ରତିଶତ ନଥିଲା। ତଥାପି ଭଲ ରହିଛି। ଏଥିରେ ଖୁସି ଅଛି। ଅଲିମ୍ପିକ୍ସ ପରେ ପିଠିରେ ଯନ୍ତ୍ରଣା ଯୋଗୁଁ ଦୁଇ ଦୁଇ ଥର ଅସ୍ତ୍ରୋପଚାର ଏବଂ କୋଭିଡ ଯୋଗୁଁ ଖେଳି ପାରୁନଥିଲି। ମୋର ପ୍ରଶିକ୍ଷକ ନନ୍ଦି ସାର୍‌ଙ୍କ ତତ୍ବାବଧାନରେ ମାସେ ଦେଢ଼ମାସ ହେଲା ମୁଁ ଅଭ୍ୟାସ କରୁଛି। ଏବେ ଫେରିଛି ଏବଂ ୧୦୦ ପ୍ରତି‌ଶତ ଦେବାକୁ ଚେଷ୍ଟା କରିଛି। ଆଗକୁ ବି ଭଲ କରିବାକୁ ଚେଷ୍ଟା କରିବି। ଏସୀୟ କ୍ରୀଡ଼ାରେ ସୁଯୋଗ ମିଳି‌ଲେ ନିଶ୍ଚିତ ଭଲ କରିବାକୁ ଚାହିବି। ଏହା ମଧ୍ୟରେ ବହୁ କନିଷ୍ଠ ଆସିଲେଣି। ଏମାନଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରି ବହୁତ ଖୁସି ଲାଗୁଛି। ଆମେ ବି ଦିନେ ଅବସର ନେବୁ। ସେମାନେ ଭାରତକୁ ଆଗକୁ ନେବେ ବୋଲି ମୋର ଅଶା।’’

publive-image

ଦୀପାଠୁ ଭଲ ଆଶା ରହିଛି: ନନ୍ଦି
ଦୀପାଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଆମକୁ ବହୁତ କଷ୍ଟ କରିବାକୁ ପଡ଼ିଛି। ଦିଲ୍ଲୀରୁ ବ୍ୟକ୍ତିଗତ ଭାବେ ଫିଜିଓ ମଗାଇବାକୁ ପଡ଼ିଛି। ମୁଁ ବି ଗତ ମାସେ ହେଲା ତା ପାଇଁ ବହୁତ ପରିଶ୍ରମ କରିଛି। ଯେହେତୁ ମୁଁ ତାଙ୍କର ପ୍ରଥମ ପ୍ରଶିକ୍ଷକ। ତେଣୁ ‌ବାପା, ମା’, ପ୍ରଶିକ୍ଷକ, ‌ଫିଜିଓ ସବୁପ୍ରକାର ଦାୟିତ୍ବ ତୁଲାଇବାକୁ ମୋତେ ପଡ଼ିଛି। ପ୍ରତ୍ୟାବର୍ତ୍ତନ ଲାଗି ତା’ର ପୁରା ଆଗ୍ରହ ଥିଲା। ମୋ ଉପରେ ପୂରା ବିଶ୍ବାସ ଥିବାରୁ ସର୍ବଦା ପଚାରେ ସାର୍‌ କ’ଣ ହେବ? ମୁଁ ଫେରିପାରିବି ତ? ଆପଣ କହିଲେ ମୁଁ ନିଶ୍ଚିତ ଫେରିପାରିବି। ମୁଁ କୁହେ ତୁମକୁ କଠିନ ଅଭ୍ୟାସ ଏବଂ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ମୁଁ ବି ତା’ର ଆହତ ଜନିତ ସମସ୍ୟାକୁ ନେଇ ଭୟଭିତ ଥାଏ। କିଛି ଅଧିକ ହୋଇଯିବ କି? ତଥାପି ଆମେ ଦେଢ଼ମାସ କଠିନ ପରିଶ୍ରମ କରିଛୁ। ସେ ଏଠାରେ ଭଲ ପ୍ରଦର୍ଶନ ଦେଇଛି। ଆଗକୁ ବି ଦେଇପାରିବ ବୋଲି ଆଶା।

ପ୍ରଥମ ଲକ୍ଷ୍ୟ ଫାଇନାଲ୍‌: ରାକେଶ
ମୁଁ ପ୍ରଥମ ଦିନରେ ରିଙ୍ଗ୍‌ରେ ୩୦.୫୦ ପଏଣ୍ଟ ସହ ଅଲ୍‌ରାଉଣ୍ଡ୍‌ରେ ୭୬.୨୦ ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନରେ ରହିଛି। ପ୍ରାୟତଃ ମୋର ଆଶା ଏସିଆ କ୍ରୀଡ଼ାକୁ ଯୋଗ୍ୟତା ଅର୍ଜନ କରିବି। ଏସିଆ କ୍ରୀଡ଼ାରେ ମୋର ପ୍ରଥମ ଲକ୍ଷ୍ୟ ହେବ ଫାଇନାଲ୍‌ରେ ପହଞ୍ଚିବା। ଏହା ପରେ ପଦକ। ଏଥିରେ ବିଶେଷ କରି ଚୀନ୍‌ ଓ ଜାପାନ ଖେଳାଳିଙ୍କ ସହ ପ୍ରତିଦ୍ବନ୍ଦ୍ବିତା ବେଶି ହେବ। ‌ରିଙ୍ଗରେ ଭଲ ପ୍ରଦର୍ଶନ ଦେବା ପାଇଁ ମୁଁ ଜୋରଦାର ଅଭ୍ୟାସ ଚଲାଇଛି। ଏହି ପ୍ରତିଯୋଗିତା ପରେ ବିଶ୍ବ ଜିମ୍ନାଷ୍ଟିକ୍ସ ରହିଛି। ତାହା ମଧ୍ୟ ମୋର ଫୋକସରେ ରହିବ ବୋଲି କହିଥିଲେ ରାଜ୍ୟର ଏକ ନମ୍ବର ଜିମ୍ନାଷ୍ଟ ରାକେଶ ପାତ୍ର।