ଜୟପୁର: ଜୟପୁର ଏୟାରଷ୍ଟ୍ରିପ୍ ‘ଉଡାନ’ ଯୋଜନାର ‘୨ ସି’ରେ ଚାଲିଥିବା ଉନ୍ନୟନ ଓ ସଂପ୍ରସାରଣ କାର୍ଯ୍ୟଧାରା ତଦାରଖ କରିଛନ୍ତି ରାଜ୍ୟ ରାଜ୍ୟ ବାଣିଜ୍ୟ ପରିବହନ ସଚିବ ମଧୁସୂଦନ ପାଢ଼ୀ। ଆଜି ଏକ ସ୍ବତନ୍ତ୍ର ବିମାନରେ ତାଙ୍କ ସହ ଗୃହ ଓ ନିର୍ମାଣ ବିଭାଗର ମୁଖ୍ୟ ସଚିବ ଇଂ. ମନୋରଂଜନ ମିଶ୍ର, ଭୁବନେଶ୍ବର ଏୟାରଫୋର୍ଟ ଏଜିଏମ୍ ସରୋଜ ସାହୁ ଆସିଥିଲେ। ଜିଲ୍ଲାପାଳ ମହମ୍ମଦ ଅବଦାଲ ଆଖତର, ଉପଜିଲ୍ଲାପାଳ ହେମକାନ୍ତ ସୟ, ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ.ଅରୁଣ କୁମାର ସାହୁ, ନିର୍ବାହୀଯନ୍ତ୍ରୀ ଇଂ.ଭାସ୍କର ଚନ୍ଦ୍ର ସାମନ୍ତରାୟ, ଏସଡିଓ ଇଂ.ବିଜୟ ବେହେରା, ଉପରକୋଲାବ ଜଳସେଚନର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ.ଅଶ୍ବିନୀ କୁମାର ମହାନ୍ତି, ନିର୍ବାହୀ ଯନ୍ତ୍ରୀ ଇଂ.ସରୋଜ କୁମାର ସାହୁ, ଜୟପୁର ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନ ପ୍ରମୁଖ ଭାଗ ନେଇଥିଲେ। ଆସନ୍ତା ମାର୍ଚ୍ଚ ସୁଦ୍ଧା ୨ସି ବିମାନ ଚଳାଚଳ ପାଇଁ ଲାଇସେନସ୍ ଆବେଦନ ହେବ। ଲାଇସେନସ୍ ୨ରୁ ୩ମାସ ମଧ୍ୟରେ ମିଳିବ ବୋଲି କହିଛନ୍ତି ବାଣିଜ୍ୟ ଓପରିବହନ ସଚିବ ଶ୍ରୀ ପାଢ଼ୀ।

Advertisment

ଲାଇସେନସ୍ ମିଳିବା ମଧ୍ୟରେ କେନ୍ଦ୍ରସରକାରଙ୍କୁ ଅବଗତ କଲେ ଉଡାନ ଯୋଜନାରେ ୧୯ ସିଟର ବିମାନ ଚଳାଚଳ ପାଇଁ ବିଜ୍ଞାପନ ଦିଆଯାଇ ବିଡିଂ ଆହ୍ବାନ କରାଯିବ। ଏହି ବର୍ଷ ଶେଷ ସୁ୍ଦ୍ଧା ଏଠାରୁ ୧୯ ସିଟ୍ ବିମାନ ଚଳାଚଳ ପାଇଁ ଲକ୍ଷ୍ୟ ରହିଛି ବୋଲି ସଚିବ ଶ୍ରୀ ପାଢ଼ୀ ଓ ଜିଲ୍ଲାପାଳ ଶ୍ରୀ ଆଖତର କହିଛନ୍ତି। ପ୍ରକାଶଯୋଗ୍ୟ, ପ୍ରଥମେ ରନୱେ ୯୧୫ ମିଟର ଲମ୍ବା ଏବଂ ୨୩ ମିଟର ଚଉଡ଼ା ପାଇଁ ଯୋଜନା ହୋଇଥିଲା।

ଏହାର ନିର୍ମାଣ କାମ ସରିବାର ଅଳ୍ପ ଦିନ ପରେ ପୁଣି ରନୱେର ଲମ୍ବ ୧୨ଶହ ମିଟର ଏବଂ ଓସାର ୩୦ ମିଟର କରିବା ସହ ଭିତ୍ତିଭୁମିର ସାମାନ୍ୟ ବିକାଶ କରିବାକୁ ଯୋଜନା ହୋଇଥିଲା। ଏହି ପ୍ରସ୍ତାବକୁ ବି କେନ୍ଦ୍ରସରକାର ଅନୁମୋଦନ କରିବା ସହ ୫୫ କୋଟିରେ କରିବାକୁ ଅନୁମୋଦନ ଦେଇଥିଲେ। ଏହି କାମ ସଂପ୍ରତି ଦକ୍ଷିଣ ଦିଗର ଉନ୍ନୟନ କାମ ଆରମ୍ଭ ହୋଇଛି। ତେବେ ୧୨୦୦ମିଟର ସଂପ୍ରସାରଣରେ ଦକ୍ଷିଣ ପାର୍ଶ୍ବର ଧନପୁର ମାଇନର ସବକେନାଲ କେନାଲ ବାଧା ଦେଉଥିବା ବେ‌ଳେ ଉତ୍ତରରେ ଗାଗନପୁର ଗାଁ ବାଧା ଦେଉଛି।

publive-image Sambad

ସମୀକ୍ଷା ବୈଠକରେ କେନାଲକୁ ଘୁଚାଂଗଲେ କେତେ ଖର୍ଚ୍ଚ ଆସିବ ଏବଂ ଗାଁକୁ ଉଚ୍ଛେଦ କଲେ କଣ ସମସ୍ୟା ଓ ଖର୍ଚ୍ଚ କେତେ ଆସିବ ତାହାକୁ ନେଇ ବି ଆଲୋଚନା ହୋଇଥିବା ସୂଚନା ମିଳିଛି। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ସଚିବଙ୍କୁ ଭେଟି ଜୟପୁର ଏୟାର‌ଷ୍ଟ୍ରିପ୍ କୁ ‘୨ ସି’ରୁ ଉଡାନ ‘୩ସି’ରେ ସାମିଲ କରାଇବାକୁ କେନ୍ଦ୍ରକୁ ପ୍ରସ୍ତାବ ‌ଦେବାକୁ ଅନୁରୋଧ କରିଥିଲେ। ୨ସିରେ କେବଳ ୧୯ସିଟ୍ ବିମାନ ହିଁ ଚଳାଚଳ କରିବ। ଏପରି ବିମାନ ଓଡିଶାରେ ନଥିବାରୁଏହା ଆଗାମୀ ଦିନରେ ଜୟପୁର ବିମାନ ବନ୍ଦର ଚାଳିପାରିବ ନାହିଁ। ୩ସି ହେଲେ ୭୫ରୁ ୮୦ ଯାତ୍ରୀଙ୍କୁ ନିଆଅଣା କରିବା ବିମାନ ଆସିପାରିବ। ଏବଂ ଏହା ଚାଲିବ, ତେଣୁ ବ୍ୟବସାୟୀକ ଓ ଲୋକଙ୍କ ଲାଭ ଦୃଷ୍ଟିକୁ ଦେଖି ୩ସି କରାଯିବାର ପ୍ରୟାସ ହେଉ ବୋଲି ବିଧାୟକ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ୩ସିରେ ରନ‌ୱେ ୧୮୦୦ମିଟର ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ଜରିଆରେ କେନ୍ଦ୍ର ନିକଟକୁ ପ୍ରସ୍ତାବ ଯାଇଛି ବୋଲି କହିଛନ୍ତି ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ.ସାମନ୍ତରାୟ। ସଂପ୍ରତି ବାଧା ଉପୁଜିଥିବା କେନାଲକୁ ଘୁଚାଂଯିବ ନା ଆଉ କିଛି ପଦକ୍ଷେପ ନିଆଯିବ ତାହା ରାଜ୍ୟସରକାର ନିଷ୍ପତି ନେବା ପରେ ପଦ‌େକ୍ଷେପ ନିଆଯିବ ବୋଲି କହିଛନ୍ତି ନିର୍ବାହୀ ଯନ୍ତ୍ରୀ।