ନିୟମିତ ଭାବେ ଜିତି ଆସୁଥିବା ବିଧାୟକଙ୍କୁ ପିସିସି ସଭାପତି ଦିଆଯାଉ : ତାରା 

ଜୟପୁର :  ୪ରୁ ୫ଥର ହାରୁଥିବା ବିଧାୟକ ପ୍ରାର୍ଥୀଙ୍କୁ ପିସିସି ସଭାପତି ପଦବୀ ଦେବା ବଦଳରେ କଂଗ୍ରେସର ସମ୍ମାନକୁ ରକ୍ଷା କରି ନିୟମିତ ଭାବେ ଜିତି ଆସୁଥିବା ବିଧାୟକଙ୍କୁ ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ସଭାପତି ପଦବୀ ଦିଆଯାଉ ବୋଲି କହିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ନଚେତ ଦଳ ପକ୍ଷରୁ ବାଛି  ଭଲ ଲୋକଙ୍କୁ ଏହି ପଦବୀ ଦିଆଯାଉ ବୋଲି କହିଛନ୍ତି ତାରା। ଏହାରି ମଧ୍ୟରେ ଓଡିଶା କଂ‌ଗ୍ରେସ ପ୍ରଭାରୀ ଚେଲ୍ଲାକୁମାରଙ୍କ ଓଡିଶା ଗସ୍ତ, ମୁଖ୍ୟ ସଚେତକ ପଦବୀରୁ ତାରା ପ୍ରସାଦ ବାହିନୀପତି ଓବିରୋଧୀ ଦଳ ନେତା ପଦବୀରୁ ନରସିଂହ ମିଶ୍ର ଇସ୍ତଫା ଦେବା ଏବଂ ପିସିସି ସଭାପତି ଚୟନ ପ୍ରକ୍ରିୟା ହେଉଥିବା ଘୋଷଣା ପରେ ରାଜ୍ୟ ରାଜନିତୀରେ ଚର୍ଚ୍ଚା ଭିନ୍ନଧରଣର ଧରିଛି।

ଜୟପୁର ବିଧାୟକ ଶ୍ରୀ ବାହିନୀପତି ନିଜର ବ୍ୟକ୍ତିଗତ ଏବଂ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ସେ ମୁଖ୍ୟସଚେତକ ପଦବୀରୁ ଇସ୍ତଫା ଦେଇଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି। ‌ସେ ନିଜ ନିର୍ବାଚନମଣ୍ଡଳୀ, ଅବିଭକ୍ତ କୋରାପୁଟ ଜିଲ୍ଲାରେ କାମ କରିବାକୁ ଅଧିକା ପସନ୍ଦ କରୁଛନ୍ତି ବୋଲି କହିଛନ୍ତି। କୋଭିଡ୍ ହେବା ପରେ ପୋଷ୍ଟ କୋଭିଡରେ ସେ ଗୁରୁତର ‌ହୋଇପଡ଼ିଥିଲେ। ସେବେ ଠାରୁ ଏବେ ପର୍ଯ୍ୟନ୍ତ ସେ ହାଇଦ୍ରାବାଦର ଏକ ଘରୋଇ ନର୍ସିଂ ହୋମରେ ଚିକିତ୍ସାଧୀନ ଥିବା କହିଛନ୍ତି ବିଧାୟକ। ସେ ରାଜ୍ୟ ରାଜନିତୀରୁ ଦୁରରେ ରହି ଲୋକଙ୍କ ସେବା କରିବାକୁ ଚାହୁଁଥିବା କହିଛନ୍ତି ତାରା। ତାଙ୍କ ନିକଟରେ ପଇସା ନାହିଁ , ସେ ରାଜ୍ୟସ୍ତରୀୟ ନେତା ହେବାକୁ ଯୋଗ୍ୟ କି ନୁହେଁ , ଗଭୀର ଭାବେ ଚିନ୍ତା କରି ଇସ୍ତଫା ଦେଇଥିବା କହିଛନ୍ତି। ନିଜେ ବଂଚିଲେ ବାପର ନାଁ ବୋଲି କହିଛନ୍ତି ତାରା। ରାଜ୍ୟକଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର ତାଙ୍କୁ ଡାକିଥିଲେ ଏବଂ ସେ ଦୀର୍ଘ ୪୫ମିନିଟ ଧରି ରାଜ୍ୟର କଂଗ୍ରେସ ରାଜନିତୀ ଉପରେ ଆଲୋଚନା କରିଥିବା କହିଛନ୍ତି ତାରା ।

ପିସିସି ସଭାପତି ପଦବୀ ପାଇଁ ସେ ଲବି କରୁ ନାହାନ୍ତି। ଦଳ ଯଦି ଦାୟିତ୍ବ  ଦିଏ ତେବେ ସେ ନିଭାଇବେ। ଦଳର ସଭାନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଳ ଗାନ୍ଧୀ ଯାହାକୁ ବି ଦାୟିତ୍ବ ଦେଲେ ସେ ଦଳରେ ରହି ହିଁ କାମ କରିବେ ‌ବୋଲି ସ୍ପଷ୍ଟ କରିଛନ୍ତି ତାରା। କଂଗ୍ରେସର ପୂର୍ବରୁ ରାଜ୍ୟରେ ୩୫ରୁ ୪୦ପ୍ରତିଶତ ହାର ଭୋଟ ମିଳୁଥିଲା। ଦିନକୁ ଦିନ ତାହା ଖସି ଖସି ୨ ପ୍ରତିଶତରେ ପହଚିଂଛି। ଏଥି ପାଇଁ ଦଳର କର୍ମୀଙ୍କ ଠାରୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଏବଂ ସେ ନିଜେ ବି ଦାୟୀ ବୋଲି କହିଛନ୍ତି ବିଧାୟକ ତାରା। ଚେଲ୍ଲାକୁମାର ପୂର୍ବତନ ସାଂସଦ ତଥାଗତ ଶତପଥୀ, ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କୁ ଡାକି ଆଲୋଚନା କରିଛନ୍ତି, ସେମାନେ ଦଳରେ ଯୋଗ ଦେବେ କି ବୋଲି ପଚାରିବାରେ ସେ ଏହାକୁ ସ୍ବାଗତ କରିବେ ବୋଲି କହିଛନ୍ତି ତାରା। ବିଧାୟକ ସୁର ରାଉତରାୟଙ୍କୁ ପିସିସି ସଭାପତି ଦେଇଥିବା କାରଣଦର୍ଶାଅ ନୋଟିସକୁ ନେଇ ବି ତାରା ପ୍ରତିକ୍ରୀୟା ପ୍ରକାଶ କରିଛନ୍ତି। ପୂର୍ବରୁ ବହୁ ନେତା ରାହୁଳ ଗାନ୍ଦୀ , ସୋନିଆ ଗାନ୍ଧୀ, ଦଳ, ବିରୋଧୀଦଳ ନେତା, ଓତାଙ୍କ ବିରୋଧରେ ମତ ମନ୍ତବ୍ୟ ଦେଇଥିଲେ। ସେତେବେଳେ ପିସିସି ଏଭଳି କାରଣଦର୍ଶାଅ ନୋଟିସ ଜାରୀ କରିଥିଲା କି ବୋଲି ତାରା ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର