ମେଡିକାଲ କଲେଜରେ ତିନି ଦିନରେ ୨୮ମୃତ୍ୟୁ: ଉଚ୍ଚସ୍ତରୀୟ ତଦନ୍ତ ଦାବି ‌କଲେ ବିଧାୟକ ତାରା

ଜୟପୁର: ଗତ ୨୭ତାରିଖରୁ ୨୯ତାରିଖ ମଧ୍ୟରେ ୨୮ଜଣଙ୍କର କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ମୃତ୍ୟୁ ହୋଇଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି।  ଏହି ଘଟଣାକୁ ନେଇ ମାନବାଧିକାର କର୍ମୀ ଅନୁପ ପାତ୍ର ଜାତୀୟ ମାନବିକ ଅଧିକାର କମିଶନର  ଦ୍ବାରସ୍ଥ ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ, ଗତ ୨୭ତାରିଖ ଦିନ ୧୩ଜଣ, ୨୮ତାରିଖ ଦିନ ୬ଜଣ ଓ ୨୯ତାରିଖ ଦିନ ୯ଜଣଙ୍କ ମୃତ୍ୟୁ ହୋଇଥିବା ମେଡିକାଲ କଲେଜ ପକ୍ଷରୁ ସୂଚନା ମିଳିଛି। ୨୭ତାରିଖ ୨ଜଣ  ମୁଣ୍ଡରେ ଗୁରୁତର ମାଡ଼, ବାର୍ଥ ଏସ୍ପେସିଅ, କିଡନୀ, ଲିଭର ଫେଲ ଏଭଳି ୨ଜଣ ଲେଖାଏଁ, କାଡିଅଭାସ୍କୁଲାର, ବିଷ ପାନ, ଫିନୋମନିଆ, ମ୍ୟାଲେରିଆରେ ଜଣେ ଲେଖାଏଁ ଏଭଳି ୧୩ଜଣଙ୍କର ମୃତ୍ୟୁ ହୋଇଥିଲା। ୨୮ତାରିଖ ଦିନ କାର୍ଡିଓଭାସ୍କୁଲାର, ମୁଣ୍ଡରେ ମାଡ଼, କିଡନୀ ଫେଲ, ଲିଭର ଫେଲ, ମ୍ୟାଲେରିଆ, ବିଷ ପାନ ଏଭଳି ୬ଜଣ ଓ ୨୯ତାରିଖ ଦିନ କାଡିଅଭାସ୍କୁଲାର ମୁଣ୍ଡରେ ମାଡ଼ ବାଜି ଓ  କିଡନୀ ଫେଲରେ ୨ଜଣ ଲେଖାଏଁ ,ମ୍ୟ‌ାଲେରିଆ, ହାଇଫୋ ଭଲମିକ୍ ସକ୍ ଓ ଫିନୋମିନିଆରେ ଜଣେ ଏଭଳି ୯ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଡାକ୍ତର ମାନଙ୍କ ଅବହେଳା ଓ ଉତ୍ତମ ଚିକିତ୍ସା ସେବା ଯୋଗାଇବା ଅଭାବରୁ ତିନି ଦିନରେ ୨୮ଜଣଙ୍କର ମୃତ୍ୟୁ ହୋଇଛି।  ଅତ୍ୟାଧୁନିକ ‌ଚିକିତ୍ସା, ମାଗଣାରେ ଔଷଧ, ବିଭିନ୍ନ ପରୀକ୍ଷା ଆଦି ନିଦାନ ମାଧ୍ୟମରେ ଯୋଗାଇବା କଥା। କିନ୍ତୁ ଏସବୁ କେବଳ କାଗଜପତ୍ରରେ ହେଉଛି, ପ୍ରକୃତରେ ଲୋକେ ଏହାର ଲାଭ ପାଇ ପାରୁ ନାହାନ୍ତି ବୋଲି ଶ୍ରୀ ପାତ୍ର ଅଭିଯୋଗପତ୍ରରେ ଦର୍ଶାଇଛନ୍ତି।

Sambad

ବହୁ ଆନ୍ଦୋଳନ କରିବା ପରେ ମେଡିକାଲ କଲେଜ କୋରାପୁଟରେ ହୋଇଛି। ଜିଲ୍ଲା ମୁଖ୍ୟଚିକିତ୍ସାଳୟରୁ ଉନ୍ନତ ସେବା ଏଠାରେ ମିଳିବ ବୋଲି ଯେଉଁ ଆଶା ରହିଥିଲା ତାହା ନିରାଶାରେ ପାଲଟିଛି। ପୋକ ମାଛି ଭଳି  ତିନି ଦିନରେ ୨୮ଜଣ ମରିଯିବା ଘଟଣାରେ ସେ  ଅନ୍ତର ଆତ୍ମାରୁ ଅତ୍ୟନ୍ତ  ଦୁଃଖୀତ, ମର୍ମାହତ। ଏଭଳି ଦୁର୍ଭାଗ୍ୟଜନକ, ନିନ୍ଦନୀୟ ଘଟଣା ପାଇଁ ଉତ୍ତରଦାୟୀ କିଏ ବୋଲି ସେ ପ୍ରଶ୍ନ କରିଛନ୍ତି। ମେଡିକାଲ କଲେଜ ନାଁକୁ ମାତ୍ର ହୋଇଛି। ରାଜ୍ୟସରକାର ଆବଶ୍ୟକ ସଂଖ୍ୟକ  ଡାକ୍ତର, ପ୍ରାଧ୍ୟାପକ ନିଯୁକ୍ତି ଦେଉ ନାହାନ୍ତି।  ଏଠାରେ ଥିବା  ବିଶେଷଞ  ଓ ଅନ୍ୟ ଡାକ୍ତର ଠିକରେ ଡ୍ୟୁଟି କରୁ ନାହାନ୍ତି। ଯିଏ ବି ରହୁଛି ସେ କୋରାପୁଟ, ଜୟପୁର , ନବରଙ୍ଗପୁର ଆଦି ଅଂଚଳରେ  କ୍ଲିନିକ କରି ସେବା ନାଁରେ ବେପାର ଚଳାଇଛନ୍ତି। ରାତି ହେଲେ କୌଣସି ଡାକ୍ତରଙ୍କର ଦେଖା ମିଳୁ ନାହିଁ। ଯେ ‌କୌଣସି ରୋଗୀ ଆସିଲେ ବିଶାଖାପାଟଣା ଘରୋଇ ନର୍ସିଂ ହୋମକୁ ରେଫର କରୁଛନ୍ତି। ଆଦିବାସୀ ଅଧ୍ୟୁଷିତ ଗରିବ କୋରାପୁଟ ଜିଲ୍ଲାର ଲୋକଙ୍କୁ ଅତ୍ୟାଧୁନିକ ତଥା ଉତ୍ତମ ସେବା ଯୋଗାଇବା ପାଇଁ ମେଡିକାଲ କଲେଜ କରାଯାଇଥିଲା। ଲୋକଙ୍କୁ ମାରିବା ପାଇଁ ନୁହେଁ। ଏଭଳି ଲୋକେ ଯଦି ପୋକ ମାଛି ମରିବେ ତେବେ ଆମକୁ ମେଡିକାଲ କଲେଜ‌ର କୌଣସି ଆବଶ୍ୟକତା ନାହିଁ। ରାଜ୍ୟ ସରକାର ଫେରାଇ ନିଅନ୍ତୁ ବୋଲି ବିଧାୟକ ଦାବି କରିଛନ୍ତି।

୨୭ନଭେମ୍ବରରୁ ୨୯ନଭେମ୍ବର ମଧ୍ୟରେ ୨୮ରୋଗୀଙ୍କର ମୃତ୍ୟୁ ମେଡିକାଲ କଲେଜରେ ଚିକିତ୍ସାଧୀନ ଥିବା ସମୟରେ ହିଁ ହୋଇଛି  ବୋଲି କହିଛନ୍ତି ମେଡିକାଲ କଲେଜ ଅଧିକ୍ଷକ ସୀତାକାନ୍ତ ମହାପାତ୍ର । ଏଥିରୁ ୧୬ଜଣ ରୋଗୀ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରୁ ଏବଂ ୧୨ଜଣ ରୋଗୀ ସିଧାସଳଖ ଭାବେ ମେଡିକାଲ କଲେଜରେ ଆଡମିସନ୍ କରିଥିଲେ। ମୁଣ୍ଡରେ ଗୁରୁତର ମାଡ଼ ବାଜି, କିଡନି ଓ  ଲିଭର ଫେଇଲିୟର,  ସେଫଟିସେମିଆ ଭଳି ଅତ୍ୟନ୍ତ ସଂକଟାପନ୍ନ, ସ‌ମ୍ବେଦନଶୀଳସ୍ଥିତିରେ ରୋଗୀ ମାନେ ମେଡିକାଲ କଲେଜରେ ଭର୍ତ୍ତି ହୋଇଥିଲେ। ମେଡିକାଲ କଲେଜ ପକ୍ଷରୁ ସେବାରେ ଗୋଟିଏ ପ୍ରତିଶତ ବି ଅବହେଳା ନ କରି ଉତ୍ତମ  ଓଉନ୍ନତ, ଗୁଣାତ୍ମକ ସେବା ଯୋଗାଇ ଦିଆଯାଇଥିଲା ବୋଲି କହିଛନ୍ତି ମେଡିକାଲ କଲେଜ ଅଧିକ୍ଷକ ଡାକ୍ତର ମହାପାତ୍ର ।

ସମ୍ବନ୍ଧିତ ଖବର