ମଦ ଓ ଗଂଜେଇ ବେପାରକୁ ବନ୍ଦ ନ କରାଇଲେ ଆଇନ ହାତକୁ ନେବେ ବୋଲି ବିଧାନସଭାରେ ଚେତାବନୀ ଦେଲେ ତାରା

ଜୟପୁର: ମଦ ଓ ଗଂଜେଇ ବେପାର ତୁରନ୍ତ କୋରାପୁଟ ଜିଲ୍ଲାରେ ବନ୍ଦ ନ ହେଲେ ଏହାକୁ ନେଇ ସେ ଆଇନକୁ ହାତକୁ ନେବେ ବୋଲି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ବିଧାନସଭା ଅଧିବେଶନରେ ଚେତାବନୀ ଦେଇଛନ୍ତି। ଏ ସଂପର୍କୀତ ଭିଡିଓ ଭାଇରାଲ ହୋଇଛି। ଏହା ଏବେ ସାମାଜିକ ଗଣମାଧ୍ୟମ ସହ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। ବିଧାନସଭାରେ ଜୟପୁର ବିଧାୟକ କୋରାପୁଟ ଜିଲ୍ଲାରେ ବ୍ୟାପକ ଗଂଜେଇ ଚାଷ ହେଉଥିବା ଏବଂ ଗଂଜେଇ ବେପାରରେ ଶାସକ ଦଳର କିଛି ନେତା ସାମିଲ ରହିଥିବା ଅଭିଯୋଗ କରିଥିଲେ। ଏପରିକି ଜଣେ ବିଜେଡିର ଯୁବ ନେତାଙ୍କୁ ଏଠାରେ ଅବକାରୀ ଅଧିକ୍ଷକ ଗିରଫ କରି ନଥିଲେ। କିନ୍ତୁ ଉକ୍ତ ଯୁବକ ଜଣକ ଆନ୍ଧ୍ରରେ ଟ୍ରକ ଓ ବିପୁଳ ଟଙ୍କା, ଗଂଜେଇ ସହ ଧରା ପଡ଼ିଥିଲେ ବୋଲି କହିଥିଲେ। କୋଭିଡ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତରେ ବି ସେ ସାମିଲ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଫୁଲମାଳ ଦେବା ସମୟରେ ଉପସ୍ଥିତ ରହିଥିବା ବିଧାୟକ ଅଭିଯୋଗ କରିଥିଲେ। ଏଭଳି ଜୈନେକ ପୂର୍ବତନ ମନ୍ତ୍ରୀ ବି ଉପସ୍ଥିତ ଥିଲେ ବୋଲି କହିଥିଲେ। ନୂଆପଡାରୁ ଜୟପୁର ବଦଳି ହୋଇ ଆସିଥିବା ଜଣେ ପୁଲିସ ସବଇନିସପେକ୍ଟର ଆଦିତ୍ୟ ମହାକୁର ବ୍ୟାପକ ଭାବେ ଗଂଜେଇ ଚାଲାଣ ରୋକୁଥିଲେ। ରାଜ୍ୟ ସରକାର ଏଥି ପାଇଁ ଶ୍ରୀ ମହାକୁରଙ୍କୁ ପୁରସ୍କୃତ ବି କରିଥିଲେ। ତେବେ ଗଂଜେଇ ମାଫିଆମାନେ ୫୦ଲକ୍ଷରୁ କୋଟିଏ ଟଙ୍କା ଚାନ୍ଦା କରି ଲାଂଚ ଦେଇ ପୁଣି ନୂଆପଡ଼ାକୁ ବଦଳି ନିର୍ଦେଶ କରାଇଥିଲେ। ବିଦେଶୀ ମଦ ଦୋକାନର ଲାଇସେନସ୍ ଜଣେ ପାଇ ଅନ୍ୟମାନଙ୍କୁ ଲିଜରେ ଦେଇଛନ୍ତି।

ସେମାନେ ବିଦେଶୀ ମଦ ବୋତଲର ଠିପିକୁ ତାଡ଼ି ସେଥିରେ ସିରିଂଜରେ ବାହାର କରି ପୁଣି ନକଲି ମଦ ମିଶାଇ ବିକ୍ରୀ କରୁଛନ୍ତି। ଏହି ରାକେଟ୍ ଏବେ ଜୋର ଧରିଛି। ଗୁଡ଼, ମହୁଲରେ ଦେଶୀ ମଦ ତିଆରି ହେବା ବଦଳରେ ସରକାରୀ ଦେଶୀ ମଦଭାଟିରେ ବ୍ୟାଟେରୀ ଗୁଣ୍ଡ, ୟୁରିଆ ସାର ଓ ବିଷାକ୍ତ ଗଛର ପତ୍ରକୁ ମିଶାଇ ମଦ ତିଆରି କରାଯାଉଛି। ଏହି ମଦକୁ ପିଇ ବହୁ ଯୁବକ ଓ ଲୋକେ ମୃତ୍ୟୁ ମୁଖରେ ପଢ଼ିବା ସହ ଗ୍ରାମାଞ୍ଚଳରେ ବହୁ ମହିଳା ବିଧବା ହେଉଛନ୍ତି ବୋଲି ଜୟପୁର ବିଧାୟକ କହିଥିଲେ। ଏସଂପର୍କରେ ସେ ତତ୍କାଳୀନ ଅବକାରୀ ମନ୍ତ୍ରୀ ଓ ଅବକାରୀ ଅଧିକ୍ଷକ ଆଶିଷ କୁମାର ସିଂ, ଜିଲ୍ଲାପାଳ, ଅବକାରୀ ଅଧିକ୍ଷକଙ୍କୁ ଜଣାଇଥିଲେ। ଅବକାରୀ ଅଧିକ୍ଷକ ତୁରନ୍ତ ଏହାର ପ୍ରତିଉତ୍ତର ଦେବା ସହ ତଦନ୍ତଭାର ବ୍ରହ୍ମପୁର ଜୋନ ଡେପୁଟି କମିଶନର କରିବେ ବୋଲି ଜଣାଇଥିଲେ। ସେ ଏବେ ପର୍ଯ୍ୟନ୍ତ ତଦନ୍ତ କରିବାକୁ ନ ଆସିବା ପଛରେ କଣ ରହସ୍ୟ ରହିଛି ବୋଲି ବିଧାୟକ ପ୍ରଶ୍ନ କରିଥିଲେ।

ସେଭଳି ବୋରିଗୁମ୍ମା ସହ ଜିଲ୍ଲାର ଦଶମନ୍ତପୁର, ନାରାୟଣପାଟଣା, ବନ୍ଦୁଗାଁ, ନନ୍ଦପୁର ଆଦି ସ୍ଥାନରେ ନୂଆରେ ଦେଶୀ ଓ ବିଦେଶୀ ମଦ ଦୋକାନ, ଠିପି ଖୋଲା ଓ ଠିପି ବନ୍ଦ ଆଦି ଖୋଲିବା ପ୍ରସ୍ତାବ ରହିଥିବା ତାଙ୍କୁ ସୂଚନା ମିଳିଥିବା ବିଧାୟକ କହିଥିଲେ। ତେବେ ଜିଲ୍ଲାରେ ପୁଣି ନୂଆ ସରକାରୀ ଦେଶୀ, ବିଦେଶୀ ମଦ ଦୋକାନ ଖୋଲିବାକୁ ସେ ସଂପୁର୍ଣ୍ଣ ରୁପେ ବିରୋଧ କରୁଛନ୍ତି। ବିଭିନ୍ନ ଗ୍ରାମାଂଚଳରେ ବ୍ୟାପକ ଭାବେ ଦେଶୀ ଓ ବିଦେଶୀ ମଦ ଦୋକାନର କୁଟୀରଶିଳ୍ପ ଖୋଲିଛି । ମଦ ଓ ଗଂଜେଇ ବେପାରକୁ ନେଇ ଚାଲିଥିବା ଦୁର୍ନିତୀ ସଂପୁର୍ଣ୍ଣ ରୁପେ ବନ୍ଦ ନ ହେଲେ ସେ ଏହାକୁ ବରଦାସ୍ତ କରିବେ ନାହିଁ ଏବଂ ଆଇନକୁ ହାତକୁ ନେବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଥିଲେ। ବିଧାୟକଙ୍କର ଏଭଳି ବିଧାନସଭାରେ ଉଠାଇଥିବା ପ୍ରଶ୍ନର ଭିଡିଓ ନିଆଁ ଭଳି ମୋବାଇଲରୁ ମୋବାଇଲକୁ ଭାଇରାଲ ହେବା ପରେ ପୁଣି ପୂର୍ବତନ ସଦରଥାନା ଅଧିକାରୀଙ୍କ ବଦଳି ଠାରୁ ଆରମ୍ଭ କରି ଦେଶୀ ଓ ବିଦେଶୀ ମଦ ଅସଲି ନା ନକଲି ଆଦିକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧିତ ଖବର