ରାୟଗଡ଼ାରେ ଦ୍ବିତୀୟ ଡୋଜ୍ ଟିକାକରଣ ନିରୁତ୍ସାହଜନକ, ୧୮ରୁ ୪୪ ବର୍ଗରେ ମାତ୍ର ୨% ନେଇଛନ୍ତି ଟିିକା

ସବୁ କେନ୍ଦ୍ରରେ ଟିକା ଗଚ୍ଛିତ ସତ୍ତ୍ବେ ହେଉନି ସ୍ଲଟ୍ ବୁକିଂ

ରାୟଗଡ଼ା : ପ୍ରଥମ ଡୋଜ୍ ଟିକା ନେବାକୁ ଦୌଡ଼ିଲେ। କିଏ ଗୁଣପୁର ତ କିଏ ବ୍ରହ୍ମପୁର ଆଉ କିଏ ଭୁବନେଶ୍ବରରୁ ଆସି ମଧ୍ୟ ଟିକା ନେଲେ। ଭିଡ଼ ସତ୍ତ୍ବେ ଖରା, ବର୍ଷାକୁ ଖାତିର୍ ନ କରି ଘଣ୍ଟା ଘଣ୍ଟା ଲାଇନରେ ଛିଡ଼ା ହେଲେ। କିଏ ଦିନକରେ ସ୍ଲଟ ବୁକିଂ କରି ଟିକା ନେଲେ ତ କାହାକୁ ୨/୩ ଦିନ ଅପେକ୍ଷା କରିବାକୁ ପଡ଼ିଲା। ହେଲେ ସଂକ୍ରମଣ କମିବା ପରେ ଦ୍ବିତୀୟ ଡୋଜ୍ ଟିକା ନେବାକୁ ଇଚ୍ଛୁକ ନୁହଁନ୍ତି ପ୍ରଥମ ଡୋଜ୍ ଧାରୀ।  ଜିଲ୍ଲାରେ ୧୮ରୁ ୪୪ ବର୍ଗରେ ମାତ୍ର ୨ ପ୍ରତିଶତ ଦ୍ବିତୀୟ ଡୋଜ୍ ନେଇଥିବା ବେଳେ ୪୫ ବର୍ଷରୁ ଉର୍ଧ୍ବ ବର୍ଗରେ ଟିକା ନେଇଛନ୍ତି ମାତ୍ର ୪୦ ପ୍ରତିଶତ।

ରାୟଗଡ଼ା ଜିଲ୍ଲାରେ କରୋନାର ଦ୍ବିତୀୟ ଲହରୀର ପ୍ରଭାବ ମାର୍ଚ୍ଚ ଶେଷ ସପ୍ତାହରୁ ଦେଖିବାକୁ ମିଳିଥିଲା। ଏପ୍ରିଲ୍ ଦ୍ବିତୀୟ ସପ୍ତାହ ବେଳକୁ ସଂକ୍ରମଣ ହୁ ହୁ ହୋଇ ବଢ଼ିଥିଲା। ପ୍ରତିଦିନ ଜିଲ୍ଲାରୁ ହାରାହାରି ଶହେ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଦୈନିକ ୨/୩ ଜଣଙ୍କ ମୃତ୍ୟୁ ଖବର ଜିଲ୍ଲାବାସୀଙ୍କ ମନରେ ଭୟ ସୃଷ୍ଟି କରିଥିଲା। ସ୍ଥିତି ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ସଚେତନତାକୁ ବ୍ୟାପକ କରିବା ସହ ଟିକାକରଣ ପ୍ରକ୍ରିୟାକୁ ଜୋରଦାର୍ କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ। ଫଳସ୍ବରୂପ ଫେବ୍ରୁଆରୀରୁ ଆରମ୍ଭ ହୋଇଥିବା ୪୫ ବର୍ଷ ବର୍ଗ ଟିକାକରଣ ଏପ୍ରିଲରେ ଜୋର୍ ଧରିଥିଲା। ୪୫ ବର୍ଷରୁ ଉର୍ଧ୍ବ ବର୍ଗରେ ରାୟଗଡ଼ା ପୌରାଞ୍ଚଳ ସମେତ ୧୧ ବ୍ଲକରେ ୨ ଲକ୍ଷ ୬୭ ହଜାର ୫୮୧ ଜଣଙ୍କୁ ପ୍ରଥମ ଡୋଜ୍ ଟିକା ପ୍ରଦାନ ପାଇଁ ଚିହ୍ନଟ କରାଯାଇଛି। ହେଲେ ସେପ୍ଟେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ପ୍ରଥମ ଡୋଜ୍ ନେଇଛନ୍ତି ୧ ଲକ୍ଷ ୭୭ ହଜାର ୬୫୨ (୬୬ ପ୍ରତିଶତ)। ଏବେ ବି ପ୍ରଥମ ଡୋଜ୍ ନେବାକୁ ବାକି ଅଛନ୍ତି ୮୯ ହଜାର ୯୨୯। ସେହିପରି ଏହି ବର୍ଗରେ ଦ୍ବିତୀୟ ଡୋଜ୍ ନେବାକୁ ୧ ଲକ୍ଷ ୭୭ ହଜାର ୬୫୨ ଚିହ୍ନଟ ହୋଇଥିବା ବେଳେ ନେଇଛନ୍ତି ମାତ୍ର ୭୦ ହଜାର ୬୬୮ (୪୦ ପ୍ରତିଶତ)। ବାକି ୧ ଲକ୍ଷ ୬ ହଜାର ୯୮୪ ଜଣ କେବେ ଟିକା ନେବେ ଏବଂ ଶତ ପ୍ରତିଶତ ଟିକାକରଣ ଲକ୍ଷ୍ୟ କେବେ ହାସଲ ହେବ ତାକୁ ନେଇ ସ୍ବାସ୍ଥ୍ୟ ବିଭାଗ ଚିନ୍ତାରେ। ସଂକ୍ରମଣ ବଢ଼ିବା ପରେ ଭୁବନେଶ୍ବର ଓ ଗଞ୍ଜାମ ଜିଲ୍ଲାରେ ୧୮ରୁ ୪୪ ବର୍ଷ ବର୍ଗକୁ ଟିକାକରଣ ଆରମ୍ଭ ହେବା ପରେ ରାୟଗଡ଼ାରେ ମଧ୍ୟ ଟିକା ପ୍ରଦାନ ଲାଗି ବିଜେଡ଼ି-ବିଜେପି-କଂଗ୍ରେସ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମଧ୍ୟ ଲେଖିଥିଲେ। ବହୁ ଦାବି ପରେ ଜୁନ୍ ପ୍ରଥମ ସପ୍ତାହରୁ ୧୮-୪୪ ବର୍ଗ ଟିକାକରଣ ଆରମ୍ଭ ହୋଇଥିଲା। ଯୁବ ବର୍ଗରେ ୪ ଲକ୍ଷ ୧୯ ହଜାର ୫୪୦ ଜଣଙ୍କୁ ପ୍ରଥମ ଡୋଜ୍ ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସେଥି ମଧ୍ୟରୁ ପ୍ରଥମ ଡୋଜ୍ ନେଇଛନ୍ତି ୨ ଲକ୍ଷ ୪୧ ହଜାର ୩୭୦ (୫୮ ପ୍ରତିଶତ)। ଆହୁରି ୧ ଲକ୍ଷ ୭୮ ହଜାର ୧୭୦ ଜଣ ପ୍ରଥମ ଡୋଜ୍ ନେଇ ନାହାନ୍ତି। ଏହି ବର୍ଗରେ ଦ୍ବିତୀୟ ଡୋଜ୍ ସ୍ଥିତି ସବୁଠୁ ନୈରାଶ୍ୟଜନକ। ସଂକ୍ରମଣ କମିବା ସହ ସବୁ ଜିଲ୍ଲାରେ ଟିକାକରଣ ଡ୍ରାଇଭ ଚାଲିଥିବା ଯୋଗୁ ପ୍ରଥମ ଡୋଜ୍ ଟିକା ନେଇଥିବା ଯୁବପିଢ଼ି ଦ୍ବିତୀୟ ଡୋଜ୍ ବେଳକୁ ଖୋଜା ପଡୁଛନ୍ତି। ଯୁବପିଢ଼ି ଟିକା ନେବାକୁ ଇଚ୍ଛା ପ୍ରକାଶ କରୁନଥିବାରୁ ଜିଲ୍ଲାର ସମସ୍ତ ଟିକାକରଣ କେନ୍ଦ୍ରରେ ଆବଶ୍ୟକ ମୁତାବକ ଟିକା ମହଜୁଦ୍ ସତ୍ତ୍ବେ ଦୈନିକ ଟିକାକରଣ ସ୍ଥିତି ଉତ୍ସାହଜନକ ହୋଇପାରୁନି। ସେପ୍ଟେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ୧୮ରୁ ୪୪ ବର୍ଗରେ ଦ୍ବିତୀୟ ଡୋଜ୍ ନେବାକୁ ଥିବା ୨ ଲକ୍ଷ ୪୧ ହଜାର ୩୭୦ ମଧ୍ୟରୁ ଟିକା ନେଇଛନ୍ତି ମାତ୍ର ୫ ହଜାର ୩୮୦। ଯାହାର ହାରାହାରି ପ୍ରତିଶତ ହେଉଛି ୨ ପ୍ରତିଶତ। ଜିଲ୍ଲାରେ ସଂକ୍ରମଣ ସ୍ଥିତି ଏବେ ନୈଗଣ୍ୟ ଥିବା ବେଳେ କଟକଣା ଉଠିବା ପରେ ବାହାର ଜିଲ୍ଲା ଓ ରାଜ୍ୟକୁ ପାଠପଢ଼ା ସହ କର୍ମ ସଂସ୍ଥାନରେ ନିୟୋଜିତ ହେବାକୁ ଯୁବବର୍ଗ ଚାଲି ଯାଇଥିବାରୁ ଟିକାକରଣ ହାର ଉପରକୁ ଉଠିପାରୁନଥିବା ସ୍ବାସ୍ଥ୍ୟ ବିଭାଗ ଅନୁମାନ କରୁଛି। ସ୍ବାସ୍ଥ୍ୟ ବିଭାଗ ସୂଚନାନୁଯାୟୀ ଆଜି ଜିଲ୍ଲାରୁ ମାତ୍ର ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପ୍ରଥମ ଓ ଦ୍ବିତୀୟ ଲହରୀକୁ ମିଶାଇ ମୋଟ ଭାବେ ଜିଲ୍ଲାରୁ ୨୦ ହଜାର ୨୦ ଆକ୍ରାନ୍ତ ଚିହ୍ନଟ ହେଲେଣି। ୧୬୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯ ହଜାର ୭୮୨ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର