ରାୟଗଡା: ମାଣ୍ଡିଆକୁ ରାଜ୍ୟ ଓ କେନ୍ଦ୍ର ସରକାର ଏକ ମିଶନରେ ପରିଣତ କରି ଏହାର ବହୁଳ ପ୍ରଚାର ପ୍ରସାର କରୁଥିବାବେଳେ ଏହା ଏବେ ବାଟ ହୁଡିବାରେ ଲାଗିଛି। କିନ୍ତୁ ଏଠାରେ ଚାଷୀଙ୍କୁ ପ୍ରୋତ୍ସାହିତ କରାଯାଇ ଅମଳ ମାଣ୍ଡିଆକୁ ବିକ୍ରି କରିବା ଲକ୍ଷ୍ୟ ଥିବାବେଳେ ଆନ୍ଧ୍ରରୁ ବହୁଳ ପରିମାଣରେ ମାଣ୍ଡିଆ ରାୟଗଡା ଜିଲ୍ଲାରେ ବିକ୍ରି ହେଉଥିବା କୁହାଯାଉଛି। ତେବେ ରିପୋର୍ଟ ଯାହା କହୁଛି ଜିଲ୍ଲାର କେଉଁ କେଉଁ ଅଞ୍ଚଳରେ ଟାର୍ଗେଟଠାରୁ ଅଧିକ ଅମଳ ହେଉଥିବାବେଳେ ଆଉ କେଉଁଠି ଟାର୍ଗେଟଠାରୁ କମ ଅମଳ ହେଉଛି। ତେଣୁ ରିପୋର୍ଟରେ ବାସ୍ତବତା ନଥିବାବେଳେ କାଗଜ କଲମରେ ଏଭଳି ଟାର୍ଗେଟକୁ ଦେଖାଯାଉଥିବାରୁ ଏହି ମିଶନ କେତେ ସଫଳ ତାକୁ ନେଇ ଦ୍ବନ୍ଦ୍ବ ଦେଖାଦେଇଛି। ତେଣୁ ଏହାର ନିରପେକ୍ଷ ତଦନ୍ତ କଲେ ତାହା ସ୍ପଷ୍ଟ ହେବ ବୋଲି କହାଯାଉଛି।

Advertisment

ସୂଚନାଯୋଗ୍ୟଯେ, ପ୍ରତ୍ୟେକ ଜିଲ୍ଲାରେ ଧାନ ଚାଷ ଭଳି ଚାଷୀ ଯେପରି ମାଣ୍ଡିଆ ଚାଷକୁ ଆପଣେଇବେ ସେନେଇ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ରାଜ୍ୟ ସରକାର ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନକୁ ଏହି ଦାୟିତ୍ବ ପ୍ରଦାନ କରିଛନ୍ତି। ତେବେ ଜିଲ୍ଲା କୃଷି ବିଭାଗ କିନ୍ତୁ ଏହାର ତଦାରଖ କରିବ। ଆଉ ମାଣ୍ଡିଆ ଚାଷକୁ ନେଇ ରାୟଗଡା ଜିଲ୍ଲାରେ ମଧ୍ୟ କୃଷି ବିଭାଗ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ନେଇ ରାଜ୍ୟ ସରକାରଙ୍କ ସହ ବାସନ ନାମକ ସଂସ୍ଥା ଚୁକ୍ତି କରିଛି। ଜିଲ୍ଲାରେ ପ୍ରତିବର୍ଷ ଖରିଫ ଏବଂ ରବି ଋତୁରେ ଯେପରି ମାଣ୍ଡିଆ ଚାଷ କରାଯିବ ସେନେଇ ଵାସନ ସଂସ୍ଥା ଜିଲ୍ଲାର ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନକୁ ପ୍ରଚାର ପ୍ରସାର ପାଇଁ ଟଙ୍କା ଦେଇ ଆସୁଛି। ଏପରିକି କିଛି ସ୍ବେଚ୍ଛାସେବୀ ଅନୁଷ୍ଠାନ ମାଣ୍ଡିଆ କିଣା ବିକାରେ ମଧ୍ୟ ସାମିଲ ରହୁଛନ୍ତି।

ଜିଲ୍ଲାରେ ୧୨ ହଜାର ଚାଷୀ ମାଣ୍ଡିଆ ଚାଷ କରୁଥିବା ବେଳେ ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ଖରିଫ ଋତୁରେ ଓଡିଶା ମିଲଟ ମିଶନ ତରଫରୁ ଜିଲ୍ଲାର ବିଷମକଟକ ବ୍ଲକରେ ୧୦୨୭ ହେକ୍ଟର ଜମିରେ ମାଣ୍ଡିଆ ଚାଷ କରାଯିବା ନେଇ ଟାର୍ଗେଟ ରହିଥିବା ବେଳେ ୯୬୯ ହେକ୍ଟର ଜମିରେ ଚାଷ କରାଯାଇଥିଲା। ସେହିପରି ଚନ୍ଦ୍ରପୁର ବ୍ଲକରେ ୯୧୦ ହେକ୍ଟରରୁ ୯୩୬ ହେକ୍ଟର, ଗୁଡାରୀରେ ୮୪୯ ହେକ୍ଟରରୁ ୮୮୫ ହେକ୍ଟର, କଲ୍ୟାଣସିଂହପୁର ବ୍ଲକରେ ୧୦୬୩ ହେକ୍ଟରରୁ ୮୧୬ ହେକ୍ଟର, କାଶୀପୁର ବ୍ଲକରେ ୧୦୪୭ ହେକ୍ଟରରୁ ୧୦୮୫ ହେକ୍ଟର, ମୁନିଗୁଡା ବ୍ଲକରେ ୧୦୪୦ ହେକ୍ଟରରୁ ୧୨୩୩ ହେକ୍ଟର, ଗୁଣୁପୁର ବ୍ଲକରେ ୭୮୭ ହେକ୍ଟରରୁ ୮୫୪ ହେକ୍ଟର, ରାୟଗଡା ବ୍ଲକରେ ୮୫୭ ହେକ୍ଟରରୁ ୮୬୩ ହେକ୍ଟର ଏବଂ କୋଲନରା ବ୍ଲକରେ ୩୦୦ ହେକ୍ଟର ଜମିରେ ଚାଷ ନେଇ ଟାର୍ଗେଟ ରହିଥିବା ବେଳେ ୨୬୦ ହେକ୍ଟର ଜମିରେ ଚାଷ କରାଯାଇଥିଲା।

ତେବେ ଜିଲ୍ଲାର ମୋଟ ୭୮୯୦ ହେକ୍ଟର ଜମିରେ ମାଣ୍ଡିଆ ଚାଷ ନେଇ ଟାର୍ଗେଟ ରହିଥିବା ବେଳେ ୭୯୦୩ ହେକ୍ଟର ଜମିରେ ଚାଷ କରାଯାଇଥିବା ରିପୋର୍ଟ କହୁଛି। ସେହିପରି ରବି ଋତୁରେ ଓଡିଶା ମିଲଟ ମିଶନ ତରଫରୁ ଜିଲ୍ଲାର ବିଷମକଟକ ବ୍ଲକରେ ୩୦ ହେକ୍ଟର ଜମିରେ ମାଣ୍ଡିଆ ଚାଷ ପାଇଁ ଟାର୍ଗେଟ କରାଯାଇଥିବା ବେଳେ ୧୦ ହେକ୍ଟର ଜମିରେ ଚାଷ କରାଯାଇଥିଲା।

publive-image Sambad

ସେହିପରି ଗୁଡାରୀ ବ୍ଲକରେ ୬୫ ହେକ୍ଟରରୁ ୪୩ ହେକ୍ଟର, କଲ୍ୟାଣସିଂହପୁର ବ୍ଲକରେ ୪୦ ହେକ୍ଟରରୁ ୨୭ ହେକ୍ଟର, କାଶୀପୁର ବ୍ଲକରେ ୧୧୨ ହେକ୍ଟରରୁ ୪୪ ହେକ୍ଟର, ମୁନିଗୁଡା ବ୍ଲକରେ ୨୦ ହେକ୍ଟରରୁ ୮ ହେକ୍ଟର, ଗୁଣୁପୁର ବ୍ଲକରେ ୩୦ ହେକ୍ଟରରୁ ୫୭ ହେକ୍ଟର, ରାୟଗଡା ବ୍ଲକରେ ୧୫୩ ହେକ୍ଟରରୁ ୧୮୨ ହେକ୍ଟର ଏବଂ କୋଲନରା ବ୍ଲକରେ ୧୦୦ ହେକ୍ଟର ଜମିରେ ମାଣ୍ଡିଆ ଚାଷ ପାଇଁ ଟାର୍ଗେଟ କରାଯାଇଥିବା ବେଳେ ମାତ୍ର ୩୨ ହେକ୍ଟର ଜମିରେ ଚାଷ ହୋଇଥିବା କୁହାଯାଇଛି।

ରାୟଗଡା ଜିଲ୍ଲାରେ ୨୦୨୨-୨୩ ଆର୍ଥିକ ବର୍ଷରେ ୧୧ଟି ବ୍ଲକରୁ ପ୍ରାୟ ୮୦ ହଜାର କ୍ବିଣ୍ଟାଲ ମାଣ୍ଡିଆ ଖରିଦ କରାଯିବା ନେଇ ପ୍ରଶାସନ ତରଫରୁ ଟାର୍ଗେଟ କରାଯାଇଥିବା ବେଳେ ୭୭ ହଜାର ୩୯୯ କ୍ବିଣ୍ଟାଲ ମାଣ୍ଡିଆ ଖରିଦ କରାଯାଇଥିବା ଜଣାପଡିଛି।ତେବେ ଜିଲ୍ଲାର ରାୟଗଡା ବ୍ଲକରେ ୧୧ ହଜାର କ୍ବିଣ୍ଡାଲ ମାଣ୍ଡିଆ ଖରିଦ ନେଇ ଟାର୍ଗେଟ ରହିଥିବା ବେଳେ ୧୦୫୯୭ କ୍ବିଣ୍ଟାଲ ଖରିଦ କରାଯାଇଛି। ସେହିପରି କାଶୀପୁର ବ୍ଲକରେ ୯୬୦୦ କ୍ବିଣ୍ଟାଲ ଟାର୍ଗେଟ ରହିଥିବା ବେଳେ ୧୦୭୪୬ କ୍ବିଣ୍ଟାଲ ଖରିଦ କରାଯାଇଛି। କଲ୍ୟାଣସିଂହପୁର ବ୍ଲକରେ ୬୫୦୦ କ୍ବିଣ୍ଟାଲରୁ ୫୭୧୭ କ୍ବିଣ୍ଟାଲ, ଗୁଣୁପୁର ବ୍ଲକରେ ୮୫୦୦ କ୍ବିଣ୍ଟାଲରୁ ୮୮୦୦ କ୍ବିଣ୍ଟାଲ, ଗୁଡାରୀ ବ୍ଲକରେ ୭୫୦୦ କ୍ବିଣ୍ଟାଲରୁ ୭୬୦୦ କ୍ବିଣ୍ଟାଲ, ବିଷମକଟକ ବ୍ଲକରେ ୫୮୦୦ କ୍ବିଣ୍ଟାଲରୁ ୫୧୮୨ କ୍ବିଣ୍ଟାଲ, ମୁନିଗୁଡା ବ୍ଲକରେ ୮୫୦୦ କ୍ବଣ୍ଟାଲରୁ ୮୧୯୦ କ୍ବିଣ୍ଟାଲ, ଚନ୍ଦ୍ରପୁର ବ୍ଲକରେ ୧୩୫୦୦ କ୍ବିଣ୍ଟାଲରୁ ୧୩୪୯୯ କ୍ବିଣ୍ଟାଲ, କୋଲନରା ବ୍ଲକରେ ୪୯୦୦ କ୍ବିଣ୍ଟାଲରୁ ୪୪୭୩ କ୍ବିଣ୍ଟାଲ, ରାମନାଗୁଡା ବ୍ଲକରେ ୨୬୦୦ କ୍ବିଣ୍ଟାଲରୁ ୨୫୯୩ କ୍ବିଣ୍ଟାଲ ଏବଂ ପଦ୍ମପରୁ ବ୍ଲକରେ ୧୬୦୦ କ୍ବିଣ୍ଟାଲ ଟାର୍ଗେଟ ରହିଥିବା ବେଳେ କିଛି ମାଣ୍ଡିଆ କିଣା ଯାଇପାରି ନାହିଁ। ଜିଲ୍ଲାର ରାମନାଗୁଡା ବ୍ଲକରେ ମାଣ୍ଡିଆ ଚାଷ ଗୋଟିଏ ବି ହେକ୍ଟର ଜମିରେ ହେଉନଥିବା ନେଇ ରିପୋର୍ଟ ରହିଥିବା ବେଳେ କିନ୍ତୁ ରାମନାଗୁଡା ବ୍ଲକରେ ୨୬୦୦ କ୍ବିଣ୍ଟାଲ ମାଣ୍ଡିଆ ଖରିଦ କରାଯିବା ନେଇ ଟାର୍ଗେଟ ରହିଥିଲା। ତେବେ ଏହି ମାଣ୍ଡିଆ ଆସିଲା କେଉଁଠୁ ବୋଲି ପ୍ରଶ୍ନ କରାଯାଇଛି। ଜିଲ୍ଲାରେ ମାଣ୍ଡିଆ ଅମଳ ନେଇ କାଗଜ କଲମରେ ଯେଉଁ ରିପୋର୍ଟ ରହିଛି ତାହାର ବାସ୍ତବତା ନାହିଁ ବୋଲି କୁହାଯାଉଛି।

publive-image Sambad

ଦଲାଲ ମାନେ ମଣ୍ଡି ପୂର୍ବରୁ ଦୁର୍ଗମ ଅଞ୍ଚଳରେ ଚାଷ କରୁଥିବା ଚାଷୀଙ୍କ ଠାରୁ ମାଣ୍ଡିଆ କମ୍ ଦାମରେ କିଣି ମଣ୍ଡିରେ ତାକୁ ଚଢା ଦରରେ ବିକ୍ରି କରୁଛନ୍ତି। ସେହିପରି ଜିଲ୍ଲାରେ ମାଣ୍ଡିଆର ଅମଳ କମ୍ ହୋଇଥିବା ବେଳେ ଟାର୍ଗେଟକୁ ପୂରଣ କରିବା ପାଇଁ ପଡୋଶୀ ଆନ୍ଧ୍ରରୁ ମାଣ୍ଡିଆ କିଣି ମଣ୍ଡିରେ ବିକ୍ରି କରାଯାଇଛି। ଏ ନେଇ ତଦନ୍ତ କଲେ ଜିଲ୍ଲାର ମାଣ୍ଡିଆ ମିସନ କେତେ ସଫଳ ଜଣାପଡିଯିବ। ମଣ୍ଡିରେ ମାଣ୍ଡିଆ କ୍ବିଣ୍ଟାଲ ପିଛା ୩୫୭୮ ଟଙ୍କା ରହିଥିବା ବେଳେ ଦଲାଲ ଏବଂ କିଛି ସ୍ବେଚ୍ଛାସେବୀ ଅନୁଷ୍ଠାନ ଏହା ଠାରୁ ମଧ୍ୟ କମ୍ ଦରରେ ଚାଷୀଙ୍କ ଠାରୁ ମାଣ୍ଡିଆ କିଣି ମଣ୍ଡିରେ ବିକ୍ରି କରୁଛନ୍ତି।

ତେବେ ଜିଲ୍ଲାରେ ମିଲଟ ମିଶନ ପାଇଁ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନକୁ ଚାଷୀଙ୍କୁ ସଚେତନ କରାଇବା ପାଇଁ ଲକ୍ଷାଧିକ ଟଙ୍କା ପ୍ରଦାନ କରାଯାଉଛି। ଚାଷୀମାନେ ମାଣ୍ଡିଆ ଚାଷ କେତେ ହେକ୍ଟର ଜମିରେ ଚାଷ କରୁଛନ୍ତି ତାହାର ତଦାରଖ କୃଷି ବିଭାଗ କରିବା କଥା।କିନ୍ତୁ ଜିଲ୍ଲାର ମିଲଟ ମିଶନ କେତେ ସଫଳ ହେଉଛି ଏହାର ବିଧିବଦ୍ଧ ତଦନ୍ତ କରାଗଲେ ସବୁ ରହସ୍ୟ ପଦାକୁ ଆସିବ ବୋଲି କୁହାଯାଇଛି। ଏହି ମାଣ୍ଡିଆ ମିଶନରେ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନର କାର୍ଯ୍ୟଧାରା ଉପରେ ମଧ୍ୟ ଅଙ୍ଗୁଳି ଉଠୁଛି। ରାଜ୍ୟ ଓ କେନ୍ଦ୍ର ସରକାର ମାଣ୍ଡିଆ ସ୍ବାସ୍ଥ୍ୟ ପାଇଁ ପୁଷ୍ଟିକର ଖାଦ୍ୟ ବୋଲି କହିବା ସହ ଏହାର ପ୍ରଚାର ପ୍ରସାରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ପ୍ରକୃତରେ ଏହାର ସ୍ଥିତି କେଉଁଠି ଓ କିଏ ମାଲାମାଲ ହେଉଛି ତାହା ତଦନ୍ତ ସାପେକ୍ଷ।