ମିଳୁନି ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ଟା‌ର୍ଗେଟ; ୩ଦିନ ହେବ ବିଭିନ୍ନ ମଣ୍ଡିରେ ପଡ଼ିଛି ୧୦ହଜାର କୁଇଣ୍ଟାଲ

୧୧ହଜାର ଚାଷୀଙ୍କ ନିକଟରେ ଗଚ୍ଛିତ ଅଛି ୯ଲକ୍ଷ କୁଇଣ୍ଟାଲ; ଟାର୍ଗେଟ ମିଳିଛି ୭୨ହଜାର ୧୦୨ରୁ ୯୭ମଣ୍ଡି ବନ୍ଦ

ଜୟପୁର: ସରକାର କଣ ଜାଣି ନାହାନ୍ତି ଯେ କୋରାପୁଟ ଜିଲ୍ଲାରେ କେତେ ଜଣ ଚାଷୀ କେତେ ଏକର ଜମିରେ ଚାଷ କରୁଛନ୍ତି ଏବଂ ଧାନ କେତେ ଅମଳ ହେବ। ଚାଷୀ ତ ବହୁ ଦିନରୁ ହିଁ ପଂଜିକରଣ କରିଛନ୍ତି। ଏବଂ ଜିଲ୍ଲାସ୍ତରୀୟ ଧାନ କିଣା କମିଟି ବୈଠକରେ ବି ଭାଗ ନେଇଥିବା ଜିଲ୍ଲା କୃଷି ବିଭାଗ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଧାନ କ୍ରୟକାରୀ ସଂସ୍ଥା, ସମବାୟ ବିଭାଗ ଆଦିର ସମ୍ମିଳିତ ବୈଠକରେ ବି କେତେ ପରିମାଣର ଧାନ ଏବର୍ଷ ଉତ୍ପାଦନ ହେବ ତାହାର ଆକଳନ କରାଯାଇଥିଲା। ଏହା ରାଜ୍ୟସରକାରଙ୍କୁ ବି ଜଣାଇ ଦିଆଯାଇଥିଲା। ଏହା ବାଦ ଜିଲ୍ଲା ଯୁଗ୍ମ କମିଟି ବି ୧୦ଏକରରୁ ଉର୍ଦ୍ଧ୍ବ ଜମି ରହିଥିବା କେତେ ଜଣ ଚାଷୀ ରହିଛନ୍ତି ତାହାର ବି ସର୍ଭେ କରିଥିଲେ। ସବୁ ତଥ୍ୟ ରାଜ୍ୟ ସରକାରଙ୍କ ନିକଟରେ ରହିବା ପରେ କେଉଁ ପରିସ୍ଥିତିରେ ଓ କାହିଁକି ମଣ୍ଡି ଗୁଡିକରେ ଧାର୍ୟ୍ୟ ଧାନ କିଣିବା ଟାର୍ଗେଟ ଠିକଣା ସମୟରେ ଦେଉ ନାହାନ୍ତି ବୋଲି ବଡଜିଉନାର ଚାଷୀ ଶୀତଳ କୁମାର ରଥ, କୃତିବାସ ନାୟକ, ଲବ ପରଜା, ସୁରେନ୍ଦ୍ର ସାହୁ, ଯୋଗୀରାମ କୃଷ୍ଣ ସାହୁ, ଶିବ ମାଝୀ, ରଘୁ ସାହୁ, ବନପତି ହରିଜନ, ସିଙ୍ଗି ନାୟକ, ନାରାୟଣ ମୁଦିଲି, ଟି. ମହାଲକ୍ଷ୍ମୀ ରାଓ, ଖଗପତି ଗୌଡ, ନାରାୟଣ ମୁଦୁଲି, ବୁଦ୍ରା ଜାନୀ, ଲକ୍ଷ୍ମଣ ଜାନୀ ପ୍ରଶ୍ନ କରିଛନ୍ତି। ଧାନ କିଣା ଟାର୍ଗେଟ ନ ଦେଇ କାହିଁକି ଓ କେଉଁ ପରିସ୍ଥିତିରେ ପୂର୍ବରୁ ଟୋକେନ୍ ଇସ୍ୟୁ କରୁଛନ୍ତି ବୋଲି ଚାଷୀ ମାନେ ପ୍ରଶ୍ନ କରିଛନ୍ତି।

ଗତ ତିନି ଦିନ ହେବ ବଡଜିଉନା, ଡଙ୍ଗରଚିଂଛି, କାଳିଆଗାଁ, ବୈପାରୀଗୁଡା ଆଦି ମଣ୍ଡିରେ ୧୦ହଜାର କୁଇଣ୍ଟାଲ ଧାନ ଜମା କରି ରଖି ଶତାଧିକ ଚାଷୀ ହଟହଟାର ଶୀକାର ହେଉଛନ୍ତି। ପ୍ରକାଶ ଯୋଗ୍ୟ, ଜିଲ୍ଲାସ୍ତରୀୟ ଧାନ କିଣା କମିଟି ବୈଠକରେ ୨୦ଟି ଲ୍ୟାମ୍ପ, ୨୪ଟି ମହିଳା ସ୍ବୟଂ ସହାୟକ ଦଳ, ୨ଟି ପାଣି ପଂଚାୟତ କ୍ରୟକାରୀ ସଂସ୍ଥା ଜରିଆରେ ୧୦୨ଟି ମଣ୍ଡିରେ ପଂଜୀକୃତ ୩୩ହଜାର ୪୨୮ଜଣ ଚାଷୀଙ୍କ ଠାରୁ ୨୯ଲକ୍ଷ କୁଇଣ୍ଟାଲ ଧାନ କିଣିବାକୁ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଥିଲା।

Sambad

ସରକାର ଏହା ମଧ୍ୟରେ ପର୍ୟ୍ୟାୟକ୍ରମରେ ୨୦ଲକ୍ଷ କୁଇଣ୍ଟାଲ ଧାନ କିଣିବାକୁ ଲକ୍ଷ୍ୟ ଦେଇଥିଲେ। ଏହା ପରେ ଟାର୍ଗେଟ କମାଇ ଦିଆଯାଇ ୧୭ହଜାର କୁଇଣ୍ଟାଲ ଓ ଏବେ ୭୨ହଜାର କୁଇଣ୍ଟାଲ ଲକ୍ଷ୍ୟ ଦେଇଛନ୍ତି। ଆଜି ପର୍ୟ୍ୟନ୍ତ ବିଭିନ୍ନ କ୍ରୟକାରୀ ସଂସ୍ଥା ପକ୍ଷରୁ ୨୨ହଜାର ୬୭୩ଜଣ ଚାଷୀଙ୍କ ଠାରୁ ୨୦ଲକ୍ଷ ୧୪ହଜାର୨୦୩ କୁଇଣ୍ଟାଲ ଧାନ କିଣା ସରିଛି। ଜିଲ୍ଲାରେ ୧୦୨ଟି ମଣ୍ଡି କରାଯିବା ଯୋଜନା ହୋଇଥିଲା।

ଏଥିରୁ ଦିନକୁ ହେଉଥିବା ୨୫ଟି ମଣ୍ଡିରୁ ଏବେ କେବଳ ହାତ ଗଣତି ଗୋଟିଏ କିମ୍ବା ଦୁଇଟି ମଣ୍ଡି ଚାଳିଛି। ପ୍ରାୟ ୯୭ଟି ମଣ୍ଡି ବନ୍ଦ ହୋଇଯାଇଛି। ଅନ୍ୟ ପକ୍ଷରେ ପ୍ରାୟ୧୧ହଜାର ଚାଷୀଙ୍କ ନିକଟରେ ଏବେ ଆହୁରି ୯ଲକ୍ଷ କୁଇଣ୍ଟାଲ ଧାନ ଗଚ୍ଛିତ ରହିଥିବା ଚାଷୀ ପ୍ରତିନିଧି ଓ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ତୁଳାରାମ ନାୟକ କହିଛନ୍ତି। ଖରା ,ବର୍ଷା, ଶୀତ କାକର କେତେ ବେଳେ ବିହନ, କେତେବେଳେ ସାର ପାଇଁ ହଇରାଣ ହରକତ ହୋଇ ସମସ୍ତଙ୍କୁ ଖାଦ୍ୟ ଯୋଗାଉଥିବା ଚାଷୀଙ୍କ ସହ ସଂପ୍ରତି ଖେଳ ଚାଳିଛି। ଗତ ତିନି ଦିନ ହେବ ପ୍ରବଳ ଶୀତ କାକରରେ ଆମେ ବଡଜିଉନା ମଣ୍ଡିକୁ ଧାନ ନେଇ ଖୋଲା ମେଲାରେ ଜଗି ରହିଛୁ ବୋଲି ଚାଷୀ କହିଛନ୍ତି। ବ୍ୟାଙ୍କ ଋଣ, ହାତ ଉଧାରି, ଧାର କରଜ କରି ଚାଷ କରିଛୁ। ଚାଷୀଙ୍କ ମାନସିକସ୍ଥିତି ସଂପ୍ରତି ଭଲ ନାହିଁ। ଏହି ସ୍ଥିତିରେ ଆମ ମଧ୍ୟରୁ କେହି ମାନସିକ ଚାପରେ ଆତ୍ମହତ୍ୟା କଲେ ଯାଇ ସରକାରଙ୍କ ନିଦ ଭାଙ୍ଗିବକି ବୋଲି ପ୍ରଶ୍ନ କରିଛନ୍ତି ଚାଷୀ। ଜିଲ୍ଲା ପକ୍ଷରୁ ରାଜ୍ୟ ସରକାରଙ୍କୁ ପୂର୍ବରୁ କେତେ ଧାନ କିଣାଯିବାର ରହିଛି ଜଣାଇ ଦିଆଯାଇଛି। ସେ ଅନୁଯାୟୀ ଟାର୍ଗେଟ ନ ଦେଲେ ପୂର୍ବକୁ ମଣ୍ଡି ଚାଳିବା କଷ୍ଟ ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ତୁଳାରାମ ନାୟକ।

ସମ୍ବନ୍ଧିତ ଖବର