ମା’ ତାରିଣୀଙ୍କ ଦର୍ଶନ କଲେ ଦୁଇ ମନ୍ତ୍ରୀ, ପିସିସି ସଭାପତି

ଘଟଗାଁ: ଆଜି ଦ୍ବିତୀୟ ଦିନରେ ଘଟଗାଁ ମା’ ତାରିଣୀଙ୍କ ଦର୍ଶନ କରିଛନ୍ତି ୨୦ ହଜାର ଶ୍ରଦ୍ଧାଳୁ। ମଙ୍ଗଳବାର ଥିବାରୁ ମା’ଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ସମବାୟ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଆଇନ ମନ୍ତ୍ରୀ ପ୍ରତାପ ଜେନା ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ମା’ଙ୍କ ଦର୍ଶନ କରିଛନ୍ତି।

ଆଜି ଭୋରରୁ ବଡ଼ସିଂହାର ଓ ମଙ୍ଗଳ ଆଳତି ପରେ ୮ଟା ବେଳେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ପହଡ଼ ଖୋଲିବା ମାତ୍ରେ ଶ୍ରଦ୍ଧାଳୁମାନେ ଧାଡ଼ିରେ ଆସି ମା’ଙ୍କ ଦର୍ଶନ କରିଥିଲେ। ଅପରାହ୍‌ଣରେ ମା’ଙ୍କ ପୀଠରେ ପ୍ରଥମେ ପହଞ୍ଚିଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ ଦୀର୍ଘ ୧୦ ମାସ ପରେ ମା’ଙ୍କ ଦର୍ଶନ କରୁଥିବାରୁ ଆନନ୍ଦିତ ହୋଇଥିଲେ। ତାଙ୍କ ସହ କଂଗ୍ରେସ ନେତା ପ୍ରଭାକର ନାୟକ, ଦିଲୀପ କୁମାର ବଳ, ଦେବେନ୍ଦ୍ର ନାଥ ନାଏକ, ବିଶ୍ବନାଥ ବେଜ୍‌, ତ୍ରିଲୋଚନ ସେଠୀ, ସୁରଥ କୁମାର ସାହୁ ଓ ମହେନ୍ଦ୍ର କୁମାର ଦାଶ ପ୍ରମୁଖ ମା’ଙ୍କ ଦର୍ଶନ କ‌ରିଥିଲେ।

ପରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ପହଞ୍ଚି ମା’ଙ୍କ ଦର୍ଶନ କରିଥିଲେ। ମନ୍ତ୍ରୀ ଶ୍ରୀ ଜେନାଙ୍କ ସହ ପାଟଣା ବିଧାୟକ ଜଗନ୍ନାଥ ନାଏକ, ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର,‌ ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ, ତହସିଲଦାର ଜନକ ନାୟକ, ବିଡିଓ ନାରାୟଣ ସାହୁ, ଏବିଡିଓ ଚିତ୍ତରଂଜନ ନାୟକ, ଏସ୍‌ଡିପିଓ ରବୀନ୍ଦ୍ରନାଥ ମଲ୍ଲିକ, ଥାନା ଅଧିକାରୀ ଶ୍ୟାମଘନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ଟ୍ରଷ୍ଟବୋର୍ଡ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଟ୍ରଷ୍ଟବୋର୍ଡ ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ, କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ର, ତ୍ରିଲୋଚନ ନାଏକ, ସଦସ୍ୟ ନିର୍ମଳ କୁମାର ମହାନ୍ତି, ଆନନ୍ଦ ଚନ୍ଦ୍ର ‌ସିଂହ ଓ ଦୟାନିଧି ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର