ଖଣିଜ ପଦାର୍ଥ ଚୋରି ରୋକିବା ପାଇଁ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଗଠନ ହେଲା ଜିଲ୍ଲାସ୍ତରୀୟ ଟାକ୍ସ ଫୋର୍ସ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଖଣି ମଣ୍ଡଳରେ ଖଣିଜ ପଦାର୍ଥ ଚୋରା ଚାଲାଣ ଥମିବାର ନାଁ ନେଉନାହିଁ । ପୁଲିସ ସହ ବନ ବିଭାଗ ଚଢାଉ କରି ବିଭିନ୍ନ ସମୟରେ ଚୋରା ଖଣିଜ ପଦାର୍ଥ ଜବତ କରିବା ସହ ଚୋରିରେ ସମ୍ପୃକ୍ତ ଲୋକଙ୍କୁ ଗିରଫ କରୁଛି । ହେଲେ ଅଭିଯୋଗ ଅନୁଯାୟୀ, ଖଣି ଚୋରିରେ ସମ୍ପୃକ୍ତ ମୁଖ୍ୟ ଅପରାଧୀଙ୍କୁ ଧରିବାରେ ସଫଳ ହେଉ ନାହାଁନ୍ତି ଅଧିକାରୀ । ଏବେ ଖଣିଚୋରୀ ରୋକିବାକୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ।

କେନ୍ଦୁଝର ଜିଲ୍ଲାର କୁବେରପୁରୀ ଯୋଡା ଖଣିମଣ୍ଡଳ । ଏଠାରୁ ପ୍ରତିଦିନ ଶହ ଶହ ସଂଖ୍ୟାରେ ଭାରିଯାନରେ ଖଣିଜ ପଦାର୍ଥ ପରିବହନ ହେବା ସହ ସରକାରଙ୍କୁ ମିଳେ କୋଟି କୋଟି ଟଙ୍କାର ରାଜସ୍ୱ। ହେଲେ, ଏବେ ଏଠାରେ ଖଣିଜ ପଦାର୍ଥ ଚୋରା ଚାଲାଣ ବଢିଛି। ଫଳରେ, ସରକାରଙ୍କର କୋଟି କୋଟି ଟଙ୍କାର ରାଜସ୍ୱ ହାନି ହେଉଛି। ବିଭିନ୍ନ ସମୟରେ ବନ ବିଭାଗ ଏବଂ ପୁଲିସ ଚଢାଉ କରି ଚୋରା ଚାଲାଣ କରୁଥିବା ଗାଡି ସହ ଖଣିଜ ପଦାର୍ଥ ଜବତ କରୁଥିବା ବେଳେ, କିଛି ଲୋକଙ୍କୁ ଗିରଫ ମଧ୍ୟ କରୁଛି । ହେଲେ,ଚୋରା ଚାଲାଣରେ ସମ୍ପୃକ୍ତ ମୁଖ୍ୟ ଅପରାଧୀଙ୍କ ପାଖରେ ପହଞ୍ଚିି ପାରୁନାହିଁ ପୁଲିସ କି ବନବିଭାଗ । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବୁଦ୍ଧିଜୀବୀ ।

ଖଣି ଚୋରିର ମୂଳୋତ୍ପାଟନ କରିବା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ, ଏସପିଙ୍କ ଉପସ୍ଥିତିରେ ଏକ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ୍ ଗଠିତ ହୋଇଛି। ବନ ବିଭାଗ, ଖଣି ବିଭାଗ, ପୁଲିସ, ଆଞ୍ଚଳିକ ପରିବହନ ଅଧିକାରୀ, ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀମାନଙ୍କୁ ନେଇ ଏହି ଟାସ୍କ ଫୋର୍ସ ଗଠନ କରାଯାଇଛି । ପ୍ରାଥମିକ ଅବସ୍ଥାରେ ପ୍ରତ୍ୟେକ ରେଳ ସାଇଡିଂରେ ସିସି କ୍ୟାମେରା ଲଗାଇବା ସହ ପର୍ୟ୍ୟାୟକ୍ରମେ ପରିବହନ କରୁଥିବା ସମସ୍ତ ଟ୍ରକରେ ଜିପିଏସ୍ ସିଷ୍ଟମ୍ ଲଗାଇବାକୁ ବାଧ୍ୟ କରାଯିବ ବୋଲି ସ୍ଥିର ହୋଇଥିବା କେନ୍ଦୁଝର ଏସିଏଫ କହିଛନ୍ତି । ତେବେ ଖଣି ଚୋରି ରୋକିବା ଦିଗରେ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ୍ କେତେ ସହାୟକ ହୋଇ ପାରୁଛି, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।

 

ସମ୍ବନ୍ଧିତ ଖବର