ଶିମିଳିପାଳରେ ଟାସ୍କ ଫୋର୍ସର ଦୁଇ ସଦସ୍ୟ ; ନିଆଁର କାରଣ ଖୋଜିଲେ, ସ୍ଥାନୀୟ ଅଧିବାସୀଙ୍କ ସହିତ ଆଲୋଚନା କଲେ

ବାରିପଦା: ଶିମିଳିପାଳରେ ଲାଗିଥିବା ନିଆଁ ଘଟଣାର ଅନୁଧ୍ୟାନ କରିବା ନିମନ୍ତେ ଗଠିତ ଟାସ୍କ ଫୋର୍ସର ଦୁଇ ବରିଷ୍ଠ ସଦସ୍ୟ ଜୟକୃଷ୍ଣ ପାଣିଗ୍ରାହୀ ଓ ବିଜୟ ଅଗ୍ରୱାଲା ଆଜି ଶିମିଳିପାଳ କ୍ଷେତ୍ର ପରିଦର୍ଶନରେ ଯାଇଛନ୍ତି । ଶିମିଳିପାଳକୁ ପ୍ରବେଶ ପୂର୍ବରୁ ଶ୍ରୀ ପାଣିଗ୍ରାହୀ ଏବଂ ଶ୍ରୀ ଅଗ୍ରୱାଲା ବାରିପଦାରେ ଆରସିସିଏଫ ଯୋଗ ଜୟାନନ୍ଦ ଏବଂ ଡିଏଫଓ ସନ୍ତୋଷ କୁମାର ଯୋଶୀଙ୍କ ସହିତ ଆଲୋଚନା କରିଥିଲେ। ପିଠାବଟା ଲୁଲୁଙ୍ଗ୍‌ ପଟୁ ଅଭୟାରଣ୍ୟକୁ ପଶିଥିଲେ ଦୁଇ ବରିଷ୍ଠ ସଦସ୍ୟ। ଏହି ଅବସରରେ ଏକାଧିକ ସ୍ଥାନୀୟ ଗ୍ରାମବାସୀଙ୍କ ସହିତ ଆଲୋଚନା ହୋଇଥିଲା। ଜଙ୍ଗଲ ନିଆଁ ଲାଗିଲେ କଣ କ୍ଷତି ହେବ, ଏହାର ସୁରକ୍ଷା ଆଦି ସମ୍ପର୍କରେ ଗ୍ରାମବାସୀଙ୍କ ସହିତ ଆଲୋଚନା ହୋଇଥିବା ଟାସ୍କଫୋର୍ସର ବରିଷ୍ଠ ସଦସ୍ୟ ବିଜୟ ଅଗ୍ରୱାଲା ସୂଚନା ଦେଇଛନ୍ତି। ଦୁଇ ସଦସ୍ୟ ଚହଲାରେ ରାତ୍ରୀଯାପନ କରିବେ। ବନାଗ୍ନି ଅଞ୍ଚଳ ବୁଲିବା ସହିତ ଅଭୟାରଣ୍ୟର କ୍ଷୟକ୍ଷତି ଆକଳନ କରିଥିବା ସୂଚନା ମିଳିଛି। ଏନେଇ ଟାସ୍କ ଫୋର୍ସ ସଦସ୍ୟ ଶ୍ରୀ ପାଣିଗ୍ରାହୀ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଜଙ୍ଗଲରେ କିଏ ନିଆଁ ଲଗାଉଛି, କାହିଁକି ନିଆଁ ଲାଗୁଛି ତାହା ସମସ୍ତଙ୍କୁ ଜଣା । ଇଚ୍ଛାକୃତ ଓ ଅନିଚ୍ଛାକୃତ କାରଣରୁ ନିଆଁ ଲାଗୁଛି । ଚଳିତ ବର୍ଷ ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ଅଧିକ ନିଆଁ ଲାଗିଛି । ରାଜ୍ୟରେ ୨୬ ହଜାର ୫ ଶହ ଗ୍ରାମ ଜଙ୍ଗଲରେ ଚାରି ପାଶ୍ୱର୍ରେ ରହିଥିଛି । ଏହା ମଧ୍ୟରୁ ୫ ହଜାର ଗ୍ରାମ ବହୁତ ଗୁରୁତ୍ୱପୂର୍ଣ୍ଣ ।

ଏହି ଅଞ୍ଚଳରେ ସର୍ବାଧିକ ନିଆଁ ଲାଗୁଛି , ଯାହାକୁ ଆମେ ହଟସ୍ପଟ ବୋଲି କହୁଛୁ । ଏହାକୁ ରୋକିବାକୁ ହେଲେ ସ୍ଥାନୀୟ ଗ୍ରାମବାସୀମାନଙ୍କ ନିମନ୍ତେ କିଛି ପ୍ରୋତ୍ସାହନ ଯୋଗାଇ ଦେବାକୁ ପଡ଼ିବ । ଫଳରେ ସେମାନେ ଜଙ୍ଗଲକୁ ସୁରକ୍ଷା ଦେବାକୁ ଆଗେଇ ଆସିବେ । ସେହିପରି ଭିତ୍ତିଭୂମିକୁ ମଜବୁତ କରାଇବାକୁପଡ଼ିବ । ଆଗାମୀ ଦିନରେ ନିଆଁ ଲିଭାଇବାରେ ଅଧିକ ଟେକ୍ନୋଲୋଜି, ଉପକରଣ ବ୍ୟବହାର କରାଯିବ । ଆମେ ମୁଖ୍ୟତଃ ଦୁଇଟି ବିଷୟକୁ ନେଇ ଆସିଛୁ । ଜଙ୍ଗଲରେ ଲାଗୁଥିବା ନିଆଁର କାରଣ ଓ ନିରାକରଣ ବ୍ୟବସ୍ଥା ଖୋଜି ବାହାର କରି ସରକାରଙ୍କୁ ସଜେଷ୍ଟ କରାଇବୁ । ବନାଗ୍ନି ନିୟନ୍ତ୍ରଣ କ୍ଷେତ୍ରରେ ଆଗାମୀ ଦିନରେ ଏସଓପିକୁ ଅଧିକ ରୁଦ୍ଧିମନ୍ତ କରାଯାଇ ପାରିବ ଏବଂ ପରବର୍ତ୍ତି ସମୟରେ ଜଙ୍ଗଲରେ ଲାଗୁଥିବା ନିଆଁର ସଂଖ୍ୟାକୁ ହ୍ରାସ କରାଇବା ନିମନ୍ତେ ଟେକ୍ନୋଲୋଜିର ବ୍ୟବହାର ମାଧ୍ୟମରେ କେଉଁଠାରେ ନିଆଁ ଲାଗୁଛି ତାହା ଚିହ୍ନଟ କରାଯିବା , ହଟସ୍ପଟ ଅଞ୍ଚଳକୁ ଚିହ୍ନଟ କରାଯିବା, ସ୍ଥାନୀୟ ଜନସାଧାରଣଙ୍କ ସହିତ ସମନ୍ବୟ ରକ୍ଷା କରି ନେଟୱାର୍କିଂ ମାଧ୍ୟମରେ ସୁସଙ୍ଗଠିତ କରାଇ ଏହି ଭଳି ଘଟଣାକୁ ରୋକାଯିବା ଅଥବା ନିଆଁ ଲାଗିବା ମାତ୍ରେ ତାକୁ ଲିଭାଇବାର ସୁବନ୍ଦୋବସ୍ତ କରାଯିବବୋଲି ଶ୍ରୀ ପାଣିଗ୍ରାହୀ ବାରିପଦାରେ ପ୍ରକାଶ କରିଥିଲେ।  ଶିମିଳିପାଳରୁ ଫେରିବା ପରେ ଟାସ୍କଫୋର୍ସର ସମସ୍ତ ସଦସ୍ୟ ଏକ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଥିଲେ ।   ତେବେ ଏବେବି ଜିଲ୍ଲାର କିଛି କିଛି ସ୍ଥାନରେ ଠାଏ ଠାଏ ନିଆଁ ଲାଗୁଥିବା ସୂଚନା ମିଳୁଛି। ଗତକାଲି ବେତନଟୀ ରେଞ୍ଜ୍‌‌ର କିଛି ସ୍ଥାନରେ ନିଆଁ ଲାଗିଥିଲା। ସେହିପରି ଆଜି ବିଜାତଳା ବ୍ଲକ୍‌ ଅନ୍ତର୍ଗତ କାଣାପାଟ ପାହାଡ଼ ଶୀର୍ଷରେ ନିଆଁ ଜଳୁଥିବା ଦେଖିବାକୁ ମିଳିଥିଲା। ଅବଶ୍ୟ ନିଆଁ ଲାଗୁଥିବା ସ୍ଥାନରେ ତୁରନ୍ତ ନିଆଁ ଲିଭାଳିମାନେ ପହଞ୍ଚି ନିୟନ୍ତ୍ରଣ କରୁଥିବା ଦେଖିବାକୁ ମିଳୁଛି। ଏପରି ନିଆଁ ଅତ୍ୟଧିକ ଗରମ କାରଣରୁ ହେଉଥିବା ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି।

 

ସମ୍ବନ୍ଧିତ ଖବର