ସୁନ୍ଦରଗଡ଼: ଅନେକଙ୍କୁ ଅଜଣା ଥିବ ଯେ ସୁନ୍ଦରଗଡ ଜିଲ୍ଲାରୁ ଉତ୍ପାଦିତ ହେଉଛି ରାଜ୍ୟର ସର୍ବୋତ୍କୃଷ୍ଟ ଟସର ଖୋସା। ଏହି ଖୋସାରୁ ସୂତା ବାହାର କରି ସେଥିରୁ ସାମଗ୍ରୀ ପ୍ରସ୍ତୁତ ହୋଇପାରିଲେ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ସୁନ୍ଦରଗଡ଼ ଟସର ଏକ ନୂଆ ପରିଚୟ ପାଇପାରିବ। ସୁନ୍ଦରଗଡ଼ ଜିଲ୍ଲାର ଲହୁଣିପଡ଼ା ବ୍ଲକର ଖୁଣ୍ଟଗାଁଠାରେ ପ୍ରତିଷ୍ଠା କରା ଯାଉଥିବା ଟସର ସିଲକ ପାର୍କ ଏହି ସମ୍ଭାବନାକୁ ବାସ୍ତବତାରେ ପରିଣତ କରିବାକୁ ଯାଉଛି। ଜିଲ୍ଲା ପ୍ରଶାସନ ଉଦ୍ୟମରେ ଖୁଣ୍ଟଗାଁରେ ୫ ଏକର ଜମିରେ ଏହି ‘ଟସର ସିଲକ ପାର୍କ’ ପ୍ରକଳ୍ପର ପରିକଳ୍ପନା କରାଯାଇଛି। ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ପାଣ୍ଠିରୁ ଏଥିପାଇଁ ୨୪ କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯିବ। ୨୦୨୧ ସୁଦ୍ଧା ସୁନ୍ଦରଗଡ଼ରେ ପୂର୍ଣ୍ଣାଙ୍ଗ ଟସର ସିଲକ ପାର୍କ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ କହିଛନ୍ତି, ‘‘ଟସର ଉତ୍ପାଦନ ବୃଦ୍ଧି ସହିତ ଏଥିରୁ ମୂଲ୍ୟଯୁକ୍ତ ସାମଗ୍ରୀ ପ୍ରସ୍ତୁତ କରିବାଲାଗି ପଦକ୍ଷେପ ନିଆଯାଉଛି। ଜିଲ୍ଲାରେ ଥିବା ୯ଟି ଟସର ଚାଷୀ ସମବାୟ ସମିତି ବା ଟିଆରସିଏସକୁ ନେଇ ଖୁଣ୍ଟଗାଁଠାରେ ଟସର ସିଲକ ପାର୍କ ନିର୍ମାଣ ହେବାକୁ ଯାଉଛି। ସିଲକ ପାର୍କ କାର୍ଯ୍ୟକ୍ଷମ ହେଲେ ଏହି ଚାଷ ସହିତ ସଂପୃକ୍ତ ହିତାଧିକାରୀଙ୍କ ଜୀବିକାକୁ ସୁନିଶ୍ଚିତ କରାଯିବା ସହ ସୁନ୍ଦରଗଡ଼ ଟସର ବ୍ରାଣ୍ଡକୁ ଜାତୀୟ ତଥା ଅନ୍ତର୍ଜାତୀୟ ବଜାର ସହିତ ସଂଯୋଗ କରିବା ସମ୍ଭବପର ହୋଇପାରିବ।’’
/sambad/media/post_attachments/wp-content/uploads/2020/11/2c2e8d70-698d-4343-9ad9-820bc6dd6f2c-1024x683.jpg)
ଏହି ସିଲକ ପାର୍କରେ ନର୍ସରି, ଗୋଦାମ ଘର, ତାଲିମ ଓ ଉତ୍ପାଦନ କେନ୍ଦ୍ର ରହିବ। ତା’ ସହିତ ସେଠାରେ ବିଭିନ୍ନ ଉତ୍ପାଦିତ ସାମଗ୍ରୀର ପ୍ରଦର୍ଶନୀ ଓ ବିକ୍ରି ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ। ଜିଲ୍ଲାର ଟସର ଚାଷୀ ଏବଂ ମହିଳା ଓ ଗ୍ରାମୀଣ ଉଦ୍ୟୋଗୀମାନଙ୍କୁ ଏହା ସହ ଯୋଡ଼ାଯିବ। ଟସର ଖୋସାରୁ ସୂତା ଏବଂ ସେଥିରୁ ମୂଲ୍ୟଯୁକ୍ତ ସାମଗ୍ରୀ ଉତ୍ପାଦନ କରିବା ଲାଗି ଅତ୍ୟାଧୁନିକ ମେସିନ ରହିବ। ‘ସଏଲ୍ ଟୁ ସିଲକ’ ପରିକଳ୍ପନାକୁ ବାସ୍ତବ ରୂପ ଦେବା ହେଉଛି ଏହି ପ୍ରକଳ୍ପର ଲକ୍ଷ୍ୟ। ସିଲକ ପାର୍କ ହେଲେ ସ୍ଥାନୀୟ ଅଞ୍ଚଳରେ ଅଧିକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିବ। ଉଲ୍ଲେଖନୀୟ ଯେ ଜିଲ୍ଲାର ବଣେଇ, କୋଇଡ଼ା, ଲହୁଣିପଡ଼ା, ବିଶ୍ରା ଓ ବଡ଼ଗାଁ ବ୍ଲକରେ ବ୍ୟାପକ ଭାବେ ଟସର ଚାଷ କରାଯାଉଛି। ୩ ହଜାରରୁ ଅଧିକ ଚାଷୀ ଏହା ଉପରେ ନିର୍ଭର କରୁଛନ୍ତି। ଜିଲ୍ଲା ରେଶମ ନିର୍ଦ୍ଦେଶାଳୟ ଟିଆରସିଏସ୍ ମାଧ୍ୟମରେ ଟସର ଚାଷୀମାନଙ୍କୁ ବିହନ ଯୋଗାଇ ଦେବାଠାରୁ ଆରମ୍ଭକରି ଅମଳ ପର୍ଯ୍ୟନ୍ତ ଆର୍ଥିକ ଓ ବୈଷୟିକ ସହାୟତା ଯୋଗାଇ ଦେଉଛି। ଓଡ଼ିଶା ଜୀବିକା ମିଶନ ଅଧୀନରେ ଜିଲ୍ଲାରେ ମହିଳାମାନଙ୍କୁ ମଧ୍ୟ ଟସର ଚାଷ ପାଇଁ ପ୍ରୋତ୍ସାହନ ଦିଆଯାଉଛି। ‘‘ଜିଲ୍ଲାର ଟସର ଚାଷୀମାନଙ୍କୁ ଜୀବିକାର ଏକ ନୂଆ ରାସ୍ତା ମିଳିଛି। ଜଣେ ଜଣେ ଅଗ୍ରଣୀ ଚାଷୀ ଏହି ଚାଷରୁ ବର୍ଷକୁ ୩ରୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି। ସିଲକ ପାର୍କ କାର୍ଯ୍ୟକ୍ଷମ ହେଲେ ଚାଷୀ ପରିବାରଗୁଡ଼ିକୁ ଅଧିକ ସୁବିଧା ସୁଯୋଗ ମିଳିବ। ବିଶେଷକରି, ମହିଳାମାନଙ୍କ ଦକ୍ଷତାର ବିନିଯୋଗ ସହିତ ସେମାନଙ୍କୁ ରୋଜଗାରର ସୁବିଧା ମିଳିବ।’’ କହିଛନ୍ତି ଜିଲ୍ଲା ରେଶମ ନିର୍ଦ୍ଦେଶାଳୟର ସହକାରୀ ନିର୍ଦ୍ଦେଶିକା ଲୁସିଆ ଲାକ୍ରା।
ସୁନ୍ଦରଗଡ଼ରେ ଟସର ଚାଷ ପାଇଁ ଟିଆରସିଏସ୍ ଅଧୀନରେ ୧୭୦୦ରୁ ଅଧିକ ହେକ୍ଟର ଜମିରେ ଅସନ ଓ ଅର୍ଜୁନ ଗଛ ରହିଛି। ଏହିସବୁ ଗଛର ପତ୍ର ଖାଇ ଟସର ପୋକ ବଢ଼ିଥାନ୍ତି। ଜିଲ୍ଲାରେ ବର୍ଷକୁ ପ୍ରାୟ ୧୦ ଲକ୍ଷ ଖୋସା ଉତ୍ପାଦିତ ହେଉଛି। ଏ ବାବଦରେ ୨ କୋଟିରୁ ଅଧିକ ଟଙ୍କାର କାରବାର ହେଉଛି। ଚାଷୀମାନେ ଟିଆରସିଏସରୁ ଅଣ୍ଡା ନେଇ ଚାଷ ଆରମ୍ଭ କରୁଛନ୍ତି ଏବଂ ଖୋସା ଉତ୍ପାଦନ ପରେ ତାହାକୁ ଟିଆରସିଏସକୁ ବିକ୍ରି କରିଥାନ୍ତି। ରାଜ୍ୟ ସ୍ତରରେ ଟିଆରସିଏସଗୁଡ଼ିକଠାରୁ ଏହି ଖୋସା ସେରିଫେଡ଼୍ କିଣି ନେଇଥାଏ। ସୁନ୍ଦରଗଡ଼ ଜିଲ୍ଲାରେ ଟସର ସିଲକ ପାର୍କ କାର୍ଯ୍ୟକ୍ଷମ ହେଲେ ଟସରରୁ ବିଭିନ୍ନ ମୂଲ୍ୟଯୁକ୍ତ ସାମଗ୍ରୀ ଉତ୍ପାଦିତ ହେବ। ଓଡ଼ିଶା ସହିତ ଜାତୀୟ ଏବଂ ଅନ୍ତର୍ଜାତୀୟ ବଜାରରେ ‘ସୁନ୍ଦରଗଡ଼ ଟସର’ର ବ୍ରାଣ୍ଡିଂ ଓ ମାର୍କେଟିଂ ଲାଗି ମଧ୍ୟ ଏହି ପ୍ରକଳ୍ପ ଅଧୀନରେ ଯୋଜନା କରାଯାଇଛି। ଉତ୍ପାଦିତ ସାମଗ୍ରୀକୁ ‘ବୟନିକା’ ମାଧ୍ୟମରେ ମଧ୍ୟ ବିକ୍ରି କରାଯିବ। ଏହାଛଡ଼ା ବିଭିନ୍ନ ସାମଗ୍ରୀକୁ ଅନଲାଇନ ମାଧ୍ୟମରେ ବିକ୍ରି କରିବାକୁ ଲକ୍ଷ୍ୟ ରଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/c6034f7a-3291-493c-91d3-ba8bebd50013.jpg)