ଗଂଜାମରେ ପୁଣି ଖୋଲିବ ଟାଟା ଓ ଅଶ୍ବିନୀ କୋଭିଡ଼୍‌ ହସ୍ପିଟାଲ, ଆରମ୍ଭ ହେଲା ୭ଦିନିଆ କଟକଣା

ବ୍ରହ୍ମପୁର ସହରର ୩ଟି ସ୍ଥାନରେ କୋଭିଡ଼୍‌ ଟେଷ୍ଟ, ରେଳ ଷ୍ଟେସନରେ ପ୍ରବାସୀ ପଞ୍ଜୀକରଣ ଆରମ୍ଭ

ବ୍ରହ୍ମପୁର: କରୋନା ସଂକ୍ରମଣକୁ ପ୍ରତିହତ କରିବା ସହ ସାନିଟାଇଜ କରିବାର ଲକ୍ଷ୍ୟ ନେଇ ବୁଧବାର ଠାରୁ ଗଂଜାମରେ ୭ଦିନିଆ କଟକଣା ଆରମ୍ଭ କରାଯାଇଛି। ମନ୍ଦିର, ପାର୍କ, ବେଳାଭୂମି ଓ ହ୍ରଦ ଆଦି ୭ଦିନ ବନ୍ଦ ରହିବ। ଜିଲ୍ଲାର କୋଭିଡ଼୍‌ ମ୍ୟାନେଜମେଣ୍ଟ ବ୍ୟବସ୍ଥା ସକ୍ରିୟ କରାଯାଇଛି। କୋଭିଡ଼୍‌-୧କୁ ଯେଭଳି ମୁକାବିଲା କରାଯାଇଥିଲା କୋଭିଡ଼୍‌-୨କୁ ମଧ୍ୟ ସେହିଭଳି ମୁକାବିଲା କରାଯିବ।

ବର୍ତ୍ତମାନ ଜିଲ୍ଲାରେ ଟିକାକରଣକୁ ତ୍ବରାନ୍ବିତ କରାଯାଇଛି। ଜିଲ୍ଲାର ୨୪୯ଟି ଟିକାକରଣ କେନ୍ଦ୍ର ଖୋଲାଯାଇଛି। ୯୧.୫୧ ପ୍ରତିଶତ ସ୍ବାସ୍ଥ୍ୟ କର୍ମଚାରୀ ପ୍ରଥମ ଓ ୮୬.୮୪ ପ୍ରତିଶତ ଦ୍ବିତୀୟ ଡୋଜ ଟିକା ନେଇଛନ୍ତି। ସେହିପରି୯୧.୫୮ ପ୍ରତିଶତ ଆଗଧାଡ଼ି ଯୋଦ୍ଧା ପ୍ରଥମ ଡୋଜ୍‌ ଓ ୮୭.୪୪ ପ୍ରତିଶତ ଦ୍ବିତୀୟ ଡୋଜ ଟିକା ନେଇଛନ୍ତି। ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ୩୮.୧୯ ପ୍ରତିଶତ ପ୍ରଥମ ଡୋଜ ଟିକା ନେଇଛନ୍ତି।

କୋଭିଡ଼୍‌ ରୋଗୀଙ୍କ ସ୍ବାସ୍ଥ୍ୟସେବା ପ୍ରତି ମଧ୍ୟ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ବ୍ରହ୍ମପୁର ବଡ଼ଡାକ୍ତରଖାନାରେ କୋଭିଡ଼୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ଅଛି। ସେଠାରେ ୧୫୦ ଶଯ୍ୟା ଓ ୨୦ଟି ଭେଣ୍ଟିଲେଟର ଅଛି। ଆଉ ୫୦ଶଯ୍ୟା ବୃଦ୍ଧି କରାଯିବାର ଯୋଜନା ରହିଛି। ଜିଲ୍ଲାର ଅଶ୍ବିନୀ-ଅମିତ୍‌ ଓ ଟାଟା-ହାଇଟେକ୍‌ କୋଭିଡ଼୍‌ ହସ୍ପିଟାଲ ପୁଣି କାର୍ଯ୍ୟକ୍ଷମ ହେବ। ଏହି ଦୁଇ ହସ୍ପିଟାଲରେ ୧୫୦ ଲେଖାଏଁ ଶଯ୍ୟା ରହିବ। ଅଶ୍ବିନୀ ହସ୍ପିଟାଲରେ ୨୫ ଏବଂ ଟାଟା କୋଭିଡ଼୍‌ରେ ୪୫ଟି ଭେଣ୍ଟିଲେଟର ବ୍ୟବସ୍ଥା ରହିବ। ଏହି ୩ଟି ହସ୍ପିଟାଲ ୪୫୦ ଶଯ୍ୟା ଓ ୯୦ଟି ଭେଣ୍ଟିଲେଟର ବ୍ୟବସ୍ଥା ରହିବ। ଏହା ଗଞ୍ଜାମ ସମେତ ସମୁଦାୟ ଦକ୍ଷିଣ ଓଡ଼ିଶା ଲାଗି କାମ କରିବ। ସିଟି ହସ୍ପିଟାଲ, ଆସିକା, ହିଞ୍ଜଳି ଓ ଭଞ୍ଜନଗରରେ ଜିଲ୍ଲା କୋଭିଡ଼୍‌ ହେଲଥ୍‌ ସେଣ୍ଟର ପ୍ରତିଷ୍ଠା କରାଯାଇଛି। ଏସବୁରେ ସମୁଦାୟ  ୩ଶହ ଶଯ୍ୟା ବ୍ୟବସ୍ଥା ରହିବ। ବର୍ତ୍ତମାନ ଶହେ ଶଯ୍ୟା ବିଶିଷ୍ଟ ସିଟି ହସ୍ପିଟାଲ କୋଭିଡ଼୍‌ ହେଲଥ ସେଣ୍ଟର କାର୍ଯ୍ୟକ୍ଷମ ଅଛି।

ପାରଳା ମହାରାଜା ଇଞ୍ଜିନିୟରିଙ୍ଗ କଲେଜର ଛାତ୍ରାବାସ ଏ ଓ ବିରେ ୧ହଜାର ଶଯ୍ୟା ଓ ପାଲୁର ହିଲ ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟରେ ୫ଶହ ଶଯ୍ୟା କୋଭିଡ଼ କେୟାର ସେଣ୍ଟର କରାଯିବାର ଯୋଜନା ରହିଛି। ଏଥିସହ ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ଶହେ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର( ଟିଏମ୍‌ସି) ପ୍ରତିଷ୍ଠା କରାଯାଇଛି। ୨୨ଟି ବ୍ଲକରେ ପ୍ରସ୍ତୁତ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୨୩୨୭ ଶଯ୍ୟା ବ୍ୟବସ୍ଥା ରହିଛି। ଏଥିସହ ୧୮ଟି ସହରାଞ୍ଚଳରେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର କରାଯାଇ ୫୪୦ ଶଯ୍ୟା ବ୍ୟବସ୍ଥା ହୋଇଛି। ଏଥିରୁ ବ୍ରହ୍ମପୁର ମହାନଗର ନିଗମ ଲାଗି ଉଦ୍ଧିଷ୍ଠ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ  ୧୫୦ ଶଯ୍ୟା ବ୍ୟବସ୍ଥା ରହିଛି। ସେଥିରେ ପ୍ରବାସୀମାନେ ୭ଦିନ ସଙ୍ଗରୋଧରେ ରହିବାର ବ୍ୟବସ୍ଥା ରହିବ। ଏବେ ପ୍ରତିଦିନ ଜିଲ୍ଲାରେ ହାରାହାରି ୨୦୦୦ କୋଭିଡ଼୍‌ ଟେଷ୍ଟ କରାଯାଉଛି।

୧୫ଶହ ଆଣ୍ଟିଜେନ୍‌ ଓ ୫ଶହ ରୁ ୭ଶହ ଆରଟିପିସିଆର ଟେଷ୍ଟ କରାଯାଉଛି। ଏମ୍‌କେସିଜି, ସିଟି ହସ୍ପିଟାଲ ଓ ଜେନେନା ହସ୍ପିଟାଲ କୋଭିଡ଼୍‌ ଟେଷ୍ଟ କରାଯାଇଛି। ୨ଥର ସରପଞ୍ଚ ଓ ପଞ୍ଚାୟତିରାଜ ପ୍ରତିନିଧିଙ୍କ ସହ ଆଲୋଚନା ସରିଛି। ଜିଲ୍ଲା ଓ ଉପଖଣ୍ଡସ୍ତରରେ କଲ୍‌ ସେଣ୍ଟର ଖୋଲାଯାଇଛି। ଗତଥର ଗ୍ରାମାଞ୍ଚଳ ଓ ୱାର୍ଡ ସ୍ତରରେ ଗଠନ ହୋଇଥିବା କୋଭିଡ଼୍‌ କମିଟିକୁ ପୁଣି ସକ୍ରିୟ କରାଯାଇଛି। ସେମାନଙ୍କ ଅଞ୍ଚଳକୁ ଆସୁଥିବା ପ୍ରବାସୀଙ୍କୁ ଚିହ୍ନଟ କରି ଗୃହ ସଙ୍ଗରୋଧ ରଖିବା ଲାଗି କୋଭିଡ଼ କମିଟି ପଦକ୍ଷେପ ନେବେ ବୋଲି ଜିଲ୍ଲାପାଳ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ମହାନଗର ନିଗମର କମିସନର ଏସ୍‌.ବି.ବନ୍ଦର ଓ ବ୍ରହ୍ମପୁର ଉପ ଜିଲ୍ଲାପାଳ ଭି.କୀର୍ତ୍ତିଭାସନ୍‌ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର