ଗଛରେ ପିଟି ହେଲା ଟାଟା ମ୍ୟାଜିକ, ୭ ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

ବୈପାରିଗୁଡା: ରାସନ ଚାଉଳ ନେଇ ଫେରୁଥିବା ଲୋକଙ୍କ ଏକ ଟାଟା ମ୍ୟାଜିକ ଗାଡ଼ି ଗଛରେ ପିଟି ହେବା ଫଳରେ ସାତଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ କୋରାପୁଟ ଏବଂ ଜୟପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ଅନୁଯାୟୀ, ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଚିପାକୁର ପଞ୍ଚାୟତର ଡଙ୍ଗାଧାରା ଗ୍ରାମର ନଅ ଜଣ ଏକ ଟାଟା ମ୍ୟାଜିକ ଯୋଗେ ରାସନ ଚାଉଳ ଆଣିବା ପାଇଁ ଚିପାକୁର ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିଲେ। ଚାଉଳ ପାଇ ନିଜ ଗ୍ରାମକୁ ଫେରୁଥିବାବେଳେ ଡଙ୍ଗାଧାରା ଛକରେ ଗୋଟିଏ ଗଛରେ ପିଟି ହୋଇଯାଇଥିଲା।

ତେବେ ନଅ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ କିଛି କ୍ଷତି ହୋଇନଥିବା ବେଳେ ଅନ୍ୟ ସାତ ଜଣ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ବୈପାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ବାଘଖଦ୍ରା ଗ୍ରାମର ଦଶରଥ ପାଙ୍ଗିଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ କୋରାପୁଟ ଏସ୍ଏଲ୍ଏନ୍ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଡଙ୍ଗାଧାରାର ଚନ୍ଦ୍ରମା ଗୋଲରୀ ଏବଂ ରାମଚନ୍ଦ୍ର ଗୋଲରୀଙ୍କୁ ଜୟପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର