ମାଲକାନଗିରି : ରାଜ୍ୟ ସରକାରଙ୍କ ଠାରୁ ବିଦ୍ୟୁତ ବିଭାଗକୁ ଟାଟା ପାଵାର ସଦନ ଓଡିଶା ଡିଷ୍ଟ୍ରିବୁସନ ଲିମିଟେଡ ନେବା ପରେ ଦୀର୍ଘ ଦିନ ଧରି ବିଦ୍ୟୁତ ବକେୟା ରଖିଥିବା ଉପଭୋକ୍ତାମାନଙ୍କୁ ଏବେ ଟାର୍ଗେଟ କରିଛି।ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଦୀର୍ଘ ଦିନ ଧରି ବିଦ୍ୟୁତ ବିଲ ପୈଠ କରିନାହାନ୍ତି। ଗୋଟିଏ ଗୋଟିଏ ବିଭାଗ ଚାରି ଲକ୍ଷରୁ ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ବକୟା ରଖିଛନ୍ତି।ତେବେ ଟାଟା ପାଓ୍ବାରର କର୍ମଚାରୀ ଏବେ ଘିରି ଘିରି ଜିଲ୍ଲାରେ ବୁଲୁଛନ୍ତି। ଟଂକା ପୈଠ କର ନଚେତ ବିଦ୍ୟୁତ ସଂଯୋଗ କଟିବ ବୋଲି ଚେତାବନୀ ଦେଉଛନ୍ତି।

Advertisment

ତେବେ ଗତ କିଛି ଦିନ ତଳେ ପ୍ରଥମେ ମାଲକାନଗିରି ଜିଲ୍ଲାର କ୍ରୀଡା ଛାତ୍ରାବାସ ଉପରେ ପ୍ରଥମେ ଟାର୍ଗେଟ କରାଯାଇଥିଲା।ଏହି କ୍ରୀଡା ଛାତ୍ରାବାସରେ ବିଦ୍ୟୁତ ବିଲ ବାବଦକୁ ୩୭ ଲକ୍ଷ ଟଂକା ବକେୟା ରହିଛି।ତେଣୁ ଟାଟା ପାଓ୍ବାର ଏହି ଛାତ୍ରାବାସର ବିଦ୍ୟୁତ କାଟ କରିଦେଇଛି।ଏବେ ଜିଲ୍ଲାରେ ରହିଥିବା ଗୋଟିଏ ମାତ୍ର କ୍ରୀଡା ଛାତ୍ରାବାସ ଏବେ ଅନ୍ଧାରରେ।ସେହିପରି ଟାଟା ପାଓ୍ବାର ଏବେ ବିଏସଏନଏଲ ଉପରେ ଦ୍ବିତୀୟ ଟାର୍ଗେଟ କରିଛି।ଜିଲ୍ଲାରେ ରହିଥିବା ୧୧ଟି ଯାକ ପାଓ୍ବାରର ବିଦ୍ୟୁତ କାଟ କରିଛି।ପ୍ରଥମେ ମାଲକାନଗିରି ସଦର ମହକୁମାରେ ରହିଥିବା ଟେଲିଫୋନ ଭବନ,ମାଇକ୍ରୋ ଟାଓ୍ବାର,ମାଉଲିଗୁଡି ଟାଓ୍ବାର,ରିକ୍ଲାମେସନ ବିଏସଏନଏଲ ଟାଓ୍ବାର,ଚାଲାଣଗୁଡା ଟାଓ୍ବାରର ବିଦ୍ୟୁତ କାଟ କରାଯାଇଛି।

ଏଠାରେ ସୂଚନାଯୋଗ୍ୟ ଯେ ମାଲକାନଗିରି ଠାରେ ରହିଥିବା ବିଏସଏନଏଲ ଟାଓ୍ବାରର  ଲକ୍ଷାଧିକ ଟଂକା ବକେୟା ରହିଛି । ଯେପରି ମାଲକାନଗିରି ବିଏସଏନଏଲ ଟେଲିଫୋନ ଭବନର ୭,୩୬,୨୧୧ ଟଂକା ରହିଥିବା ବେଳେ ମାଇକ୍ରୋ ଟାଵାରରେ ୧,୪୬,୩୪୪ ଟଂକା,ମାଉଲିଗୁଡି ଟାଵାରର ୫,୭୦,୪୭୨ ଟଂକା,ରିକ୍ଲାମେସନ ଟାଵାରର ୧,୩୬,୯୭୦ ଟଂକା,ଚାଲାଣଗୁଡା ଟାଵାରର ୧,୨୫,୮୨୬ ଟଂକା,ବାଲିମଳା ଏକ୍ସଚେଞ୍ଜର ୨୩,୩୯,୭୯୭ ଟଂକା,ମାଥିଲି ଏକ୍ସଚେଞ୍ଜର ୧,୧୩,୩୩୦ ଟଂକା,ଏମଭି-୭୯ ଏକ୍ସଚେଞ୍ଜର ୨,୮୮,୩୧୮ ଟଂକା,ଗୋବିନ୍ଦପାଲୀ ଏକ୍ସଚେଞ୍ଜର ୧,୨୫,୬୮୮ ଟଂକା,ଚିତ୍ରକୋଣ୍ଡା ଏକ୍ସଚେଞ୍ଜର ୧,୫୦,୨୨୦ ଟଂକା,କାଲିମେଳା ଏକ୍ସଚେଞ୍ଜର ୧,୭୩,୨୪୧ ଟଂକା,ବାଲିମେଳା ଟାଵାରର ୪,୦୦,୩୫୨ ଟଂକା ଏବଂ ଚିତ୍ରାଙ୍ଗପାଲୀ ବିଏସଏନଏଲ ଟାଵରର ୧,୩୮,୩୬୧ ଟଂକା ବକୟା ରହିଛି।ଯାହାଫଳରେ ଟାଟା ପାଵାର ଏହି ଟାଵାରଗୁଡିକର ବିଦ୍ୟୁତ କାଟ କରିଛି।ଆଗକୁ ଜିଲ୍ଲାରେ ବିଏସଏନଏଲ ସେବା ବ୍ୟାହତ ହେବ ବୋଲି ଆଶଂକା କରାଯାଉଛି।ତୁରନ୍ତ ବିଭାଗ ଟଂକା ପୈଠ ନକଲେ ଲୋକେ ବିଏସଏନଏଲ ସେବାରୁ ବଂଚିତ ହେବେ ବୋଲି କୁହାଯାଇଛି।

ସେହିପରି ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଲୟରେ ବିଦ୍ୟୁତ ବିଲ ବାବଦକୁ ଲକ୍ଷାଧିକ ଟଂକା ବକୟା ରହିଛି।ଯଦି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ,ଜିଲ୍ଲାପାଳଙ୍କ ବାସଭବନ,ସର୍କିଟ ହାଉସକୁ ଦେଖିବା ତେବେ ଏ ସମସ୍ତର ପ୍ରାୟ ଏକ କୋଟିରୁ ଉର୍ଦ୍ଧ୍ବ ଟଂକା ବକୟା ରହିଛି।ଏଥିସହ ଜିଲ୍ଲାରେ ଥିବା ସମସ୍ତ ଆଶ୍ରମ ବିଦ୍ୟାଳୟରେ ୩ରୁ ଉର୍ଦ୍ଧ୍ବ ଟଂକା ବକୟା ରହିଥିବା ବିଭାଗ କହିଛି। ଡିଆରଡିଏ କାର୍ଯ୍ୟାଳୟ,ଆଇଟିଡିଏ କାର୍ଯ୍ୟାଳୟ ଭଳି କିଛି କାର୍ଯ୍ୟାଳୟ କିଛି କିଛି ଟଂକା ପୈଠ କରିଥିଲେ ମଧ୍ୟ ଲକ୍ଷାଧିକ ଟଂକା ବକେୟା ରହିଛି।ତେବେ ବିଭିନ୍ନ ବିଭାଗର ସଚିବମାନେ ସରକାରୀ କାର୍ଯ୍ୟାଳୟଗୁଡିକର ବିଦ୍ୟୁତ ବକୟା ତୁରନ୍ତ ପ୍ରଦାନ କରିବାକୁ ସଂପୃକ୍ତ ବିଭାଗମାନଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି।ଟାଟା ପାଵାରର କର୍ମଚାରୀମାନେ ଜିଲ୍ଲାରେ ଘରୋଇ ଉପଭୋକ୍ତାମାନଙ୍କୁ ଜୋରସୋରରେ ଚଢାଉ କରୁଛନ୍ତି।ଯେଉଁମାନେ ଦୀର୍ଘ ଦିନ ଧରି ଟଂକା ପୈଠ କରିନାହାନ୍ତି ସେମାନଙ୍କ ବିଦ୍ୟୁତ ତୁରନ୍ତ କାଟି ଦିଆଯାଉଛି।ଏବେ ଜିଲ୍ଲାରେ ବିଦ୍ୟୁତକୁ ନେଇ ଭାଳେଣୀ ପଡିଛି।ଅନ୍ୟଦିଗରେ ବିଜେପି ରାଜ୍ୟରେ ବିଦ୍ୟୁତ ବିଭାଗରେ ମାତ୍ରାଧିକ ଟଂକା ବୃଦ୍ଧି କରାଯାଇଥିବାରୁ ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବିପତ୍ରମାନ ପ୍ରଦାନ କରୁଛି।ତେବେ ବିଶେଷକରି ଗରିବ ଲୋକେ ଯେଉଁମାନେ ଟଂକା ପୈଠ କରିନାହାନ୍ତି ସେମାନେ ଏବେ ଚିନ୍ତାରେ ପଡିଛନ୍ତି।ଗୋଟିଏ ପଟେ ମହାମାରୀ ଯୋଗୁଁ ଲକ୍ ଡାଉନ ଚାଲିଥିଲା,ଅନ୍ୟପଟେ ବ୍ୟବସାୟ ମାନ୍ଦା ପଡିଥିଲା। ତେଣୁ ଗରିବ ଶ୍ରେଣୀର ଲୋକେ ଏବେ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି।ଟାଟା ପାଓ୍ବାର ଆଉ କେଉଁ କେଉଁ କାର୍ଯ୍ୟାଳୟର ବିଦ୍ୟୁତ କାଟ କରୁଛି ଦେଖିବାକୁ ବାକି ରହିଲା।