ଅଷ୍ଟମ ଛାତ୍ରୀଙ୍କୁ ରସିକ ଶିକ୍ଷକଙ୍କ ପ୍ରେମ ନିବେଦନ, ‘ମୋତେ ଭଲ ପାଆ; ମାଗଣାରେ ପାଠ ପଢ଼ାଇବି…’

କାର୍ଯ୍ୟାନୁଷ୍ଠାନ ଦାବି କଲେ ପୀଡ଼ିତାଙ୍କ ମା’, ପ୍ରଧାନଶିକ୍ଷକଙ୍କୁ ଦେଲେ ଅଭିଯୋଗପତ୍ର

କେନ୍ଦ୍ରାପଡ଼ା/ମାର୍ଶାଘାଇ: ‘ମୁଁ ତତେ ବହୁତ ଭଲ ପାଉଛି। ତୁ ମୋତେ ଭଲ ପାଆ। ମୁଁ ରାତିରେ ମାଗଣାରେ ତତେ ପାଠ ପଢ଼ାଇବି। ତୋ’ ପ୍ରେମ ଓ ରୂପରେ ମୁଁ ପାଗଳ।’-ଇଏ କୌଣସି ହତାଶ ପ୍ରେମିକର ଅଭିବ୍ୟକ୍ତି ନୁହେଁ; ବର˚ ମଣିଷ ତିଆରି କାରଖାନାରେ ଖେଳ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ଗୁରୁ ନିଜ ଝିଅ ବୟସର ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଏଭଳି ଢଙ୍ଗରେ ଏକତରଫା ପ୍ରେମ ନିବେଦନ କରିଛନ୍ତି। ମାର୍ଶାଘାଇ ବ୍ଲକ୍‌ ଅଞ୍ଚଳର ଏକ ନାମକରା ପ୍ରତିଷ୍ଠିତ ହାଇସ୍କୁଲ୍‌ରୁ ଏଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିବା ପରେ ସାଧାରଣରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ମଙ୍ଗଳବାର ସ˚ପୃକ୍ତ ଛାତ୍ରୀଙ୍କ ମା’ ଏ ସ˚କ୍ରାନ୍ତରେ ଏକ ଲିଖିତ ଅଭିଯୋଗ ଜିଲ୍ଲା ମୁଖ୍ୟ ଶିକ୍ଷାଧିକାରୀଙ୍କ ଉଦ୍ଦେଶ୍ୟରେ ପ୍ରଧାନ ଶିକ୍ଷକଙ୍କୁ ଦେବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ହେଲେ ଏଯାଏ ସ˚ପୃକ୍ତ ରସିକ ଖେଳ ଶିକ୍ଷକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଘଟଣାକୁ ପ୍ରଘଟ ନ କରି ଚାପିଦେବାକୁ ସ୍କୁଲ୍‌ ସ୍ତରରେ ଜୋରସୋର‌୍‌ ଉଦ୍ୟମ ଚାଲିଥିବା ବେଳେ ପୀଡ଼ିତାଙ୍କ ମା’ କିନ୍ତୁ ଖେଳ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଝିଅ ଅଷ୍ଟମରେ ପଢ଼ୁଛି। କିନ୍ତୁ ଗଲା ଦୁଇ ମାସ ହେବ ଖେଳ ଶିକ୍ଷକ ଜଣକ ଝିଅକୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ତାଙ୍କୁ ପ୍ରେମ କରିବାକୁ ବାଧ୍ୟ କରି ଆସୁଥିଲେ। ଏମିତିକି ଘର ମୋବାଇଲ୍‌କୁ ବି ଅଶ୍ଳୀଳ ମେସେଜ୍‌ ପଠାଉଥିଲେ।

ବାରମ୍ବାର ମୋବାଇଲ୍‌କୁ ଏଭଳି ମେସେଜ୍‌ ଓ ପ୍ରେମ ନିବେଦନ ଆସିବା ପରେ ଝିଅ ଭୟଭୀତ ହୋଇ ଘରେ ସବୁ କଥା କହି ଦେଇଥିଲା। ଏହାପରେ ଖେଳ ଶିକ୍ଷକଙ୍କୁ ଘଟଣା ସ˚ପର୍କରେ ପଚାରିବାରୁ ଭୁଲ୍‌ ହେଇଯାଇଛି, ଆଉ କେବେବି ଏଭଳି ହେବ ନାହିଁ। ମୋତେ କ୍ଷମା କରିଦିଅ, ନଚେତ ଚାକିରି ଚାଲିଯିବ ବୋଲି ଛାତ୍ରୀଙ୍କ ମା’ଙ୍କୁ ହାତ ଯୋଡ଼ି କ୍ଷମା ମାଗିଥିଲେ ଖେଳ ଶିକ୍ଷକ। ପରବର୍ତ୍ତୀ ସମୟରେ ପୁଣି ଛାତ୍ରୀଙ୍କୁ ପରୀକ୍ଷାରେ ଫେଲ୍‌ କରାଇ ଦେବାର ଧମକ ଦେଖାଇ ମେସେଜ୍‌ କରିବାକୁ ବାଧ୍ୟ କରିଥିଲେ। ଛାତ୍ରୀ ଜଣକ ଏ କଥା ନ ମାନିବାରୁ ଗତ ୨୭ତାରିଖରେ ଝିଅର ସାଇକଲ୍‌କୁ ଅଟକାଇ ପିନ୍ଧା ପୋଷାକକୁ ଟଣାଓଟରା କରିବା ସହିତ କାହିଁକି ମା’କୁ ସବୁକଥା କହିଲୁ ବୋଲି ନାଲିଆଖି ଦେଖାଇ ଦୁଷ୍କର୍ମ କରିବାକୁ ଧମକ ଦେଇଥିବା ପୀଡ଼ିତାଙ୍କ ମା’ ଅଭିଯୋଗରେ ଦର୍ଶାଇଛନ୍ତି।

ଛାତ୍ରୀଙ୍କ ସହିତ ଖେଳ ଶିକ୍ଷକ ରାସ୍ତାରେ କରିଥିବା ଏପ୍ରକାର ହରକତ ସ˚ପର୍କରେ ଅନ୍ୟ ଦୁଇ ଛାତ୍ରୀ ଦେଖିବା ପରେ ପ୍ରଧାନଶିକ୍ଷକଙ୍କୁ ଆସି ଘଟଣା ସ˚ପର୍କରେ ଜଣାଇଥିଲେ। ଏହାପରେ ଗତ ମଙ୍ଗଳବାର ଛାତ୍ରୀଙ୍କ ମା’ ପ୍ରଧାନଶିକ୍ଷକଙ୍କ ନିକଟରେ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ରସିକ ଖେଳ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ଏହି ଅଭିଯୋଗପତ୍ରକୁ ପ୍ରଧାନଶିକ୍ଷକ ଗ୍ରହଣ କରିଥିବା ବେଳେ କେବେ ସେହି ରସିକ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଛି, ତାରି ଉପରେ ସଭିଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର