ଖୋର୍ଦ୍ଧା: ଶିକ୍ଷକଙ୍କ ୧୧ଟି ପ୍ରମୁଖ ସମସ୍ୟାର ସମାଧାନ ଦାବିରେ ବୁଧବାର ଓଷ୍ଟା ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ସହ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

Advertisment

ଆଜି ସକାଳେ ଶତାଧିକ ଶିକ୍ଷକ ଓ ବିଦ୍ୟାଳୟର କର୍ମଚାରୀ ଗୀତା ଭବନ ଠାରୁ ଏକ ଶୋଭାଯାତ୍ରାରେ ବାହାରି ପୁରୁଣା ବସ୍‌ଷ୍ଟାଣ୍ଡଦେଇ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ। ସେଠାରେ ଓଷ୍ଟାର ଜିଲ୍ଲା ସଭାପତି ଅମ୍ବିକା ପ୍ରସାଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ଦୀର୍ଘ ୩୫ ବର୍ଷ କାର୍ଯ୍ୟ କରିବା ଅବସର ନେବା ପରେ ମଧ୍ୟ ପେନ୍‌ସନ ନପାଇବା, ଅନୁଦାନ ନପାଇ ଯୋଗ୍ୟ ବିବେଚିତ ବିଦ୍ୟାଳୟରେ ୨୫ ବର୍ଷ ଧରି କାର୍ଯ୍ୟ କରିବା ପରେ ମଧ୍ୟ କୌଣସି ସୁବିଧା ନପାଇବା ପରିତାପର ବିଷୟ ବୋଲି ବକ୍ତାମାନେ କହିଥିଲେ। ଏହି ପ୍ରତିବାଦ ସଭାରେ ଜିଲ୍ଲା ସମ୍ପାଦକ ସୁଧାକର ମହାପାତ୍ର, ରାଜ୍ୟ ଓଷ୍ଟାର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ, ସମ୍ପାଦକ ରମାକାନ୍ତ ମହାପାତ୍ର, ଶିକ୍ଷା ପ୍ରଦୀପ ସହ ସମ୍ପାଦକ ପ୍ରଦୀପ୍ତ କୁମାର ପ୍ରଧାନ, ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ମଧୁସୂଦନ ଦେ, ଶିଶିର ଦାଶ, ଜିଲ୍ଲା ଉପସଭାପତି ପ୍ରକାଶ କୁମାର ପଲାଇ, ରମେଶ ଚନ୍ଦ୍ର ପ୍ରଧାନ, ଜିଲ୍ଲା ସହ ସମ୍ପାଦକ ଘନଶ୍ୟାମ ସ୍ବାଇଁ, ଶ୍ରୀହରି ମାଳି, ନମୀତା ବିଶୋଇ, ଜିଲ୍ଲା କାର୍ଯ୍ୟକାରୀ ସମ୍ପାଦକ ନିରଞ୍ଜନ ସାହୁ, କାର୍ଯ୍ୟକାରୀ କମିଟି ସଭ୍ୟ ସୁନୀଲ କୁମାର ପଣ୍ଡା, ପ୍ରମୋଦ କୁମାର ସ୍ବାଇଁ, ତ୍ରିନାଥ ହୋତା, କୈଳାସ ଚନ୍ଦ୍ର ତ୍ରିପାଠୀ, ସନ୍ତୋଷ କୁମାର ସାହୁ ପ୍ରମୁଖଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହା ପରେ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ମୁଖ୍ୟଶାସନ ସଚିବ, ଅର୍ଥ ସଚିବ, ଉନ୍ନୟନ ସଚିବଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଶିକ୍ଷାଧିକାରୀ ବିଶ୍ବନାଥ ତରାଇଙ୍କୁ ପ୍ରଦାନ କରିଥିଲେ।