ବେଲଗୁଣ୍ଠା: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ମୁଜାଗଡ଼ ଗ୍ରାମର ଫିରୋଜକାନ୍ତ ସାହୁଙ୍କ ଝିଅ ଜ୍ୟୋତିରେଖା ସାହୁ (୨୮)ଙ୍କ ହଠାତ୍ ଗତକାଲି ଶନିବାର ବିଷକ୍ରିୟାଜନିତ ମୃତ୍ୟୁ ହୋଇଥିଲା। ଏଥିପାଇଁ ବାପା ଫିରୋଜକାନ୍ତ ମୃତକ ଜ୍ୟୋତିରେଖାଙ୍କ ପ୍ରେମିକ ତଥା କ୍ଷତ୍ରିୟବରପୁର ନୋଡାଲ୍ ଉଚ୍ଚବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ୟାମଘନ ଗୌଡ଼ଙ୍କୁ ଦାୟୀ କରିଥିଲେ। ତାଙ୍କ ନାଁରେ ହତ୍ୟା ଅଭିଯୋଗ ଆଣି ଗାଙ୍ଗପୁର ଥାନାରେ ଏତଲା ଦେବା ପରେ କେସ୍ ନମ୍ବର ୬୧୮/୨୩ ଅନୁସାରେ ଏକ ମାମଲା ରୁଜୁ ସହ ତଦନ୍ତ ଆରମ୍ଭ ହୋଇଥିଲା। ଏହି ମାମଲାରେ ଆଜି ରବିବାର ଶ୍ୟାମଘନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଶ୍ୟାମଘନ ଏହି ଘଟଣା ପରେ ନିଜ ମୋବାଇଲ୍ ସୁଇଚ୍ ଅଫ୍ କରି ନିଜ ଗାଁ ସୋରଡ଼ା ବ୍ଲକ୍ ରେଣ୍ଡି ପଳାଇଥିଲେ।
ସୂଚନା ମିଳିବା ପରେ ପୁଲିସ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲା। ତେବେ ଶ୍ୟାମଘନ କହିଛନ୍ତି, ସେ ବିବାହିତ ଓ ଦୁଇ ସନ୍ତାନର ପିତା ହୋଇଥିବା ସତ୍ତ୍ବେ ଜ୍ୟୋତିରେଖା ବିବାହ ପାଇଁ ତାଙ୍କ ଉପରେ ବାରମ୍ବାର ଚାପ ପକାଉଥିଲେ। ଏଥିପାଇଁ ସେ ତାଙ୍କୁ ବାରମ୍ବାର ବୁଝାଇଥିଲେ। ଗତକାଲି ଶନିବାର ଜ୍ୟୋତିରେଖା ବିଷ ପିଇ ନିଜ ଘରୁ ଆସିଥିଲେ। ଜ୍ୟୋତିରେଖାଙ୍କୁ ସେ ଗୋବରା ଡାକ୍ତରଖାନାରେ ଭର୍ତ୍ତି କରି କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିବା ଭୟରେ ସେଠାରୁ ପଳାଇଥିଲେ।