ଛାତ୍ରୀଙ୍କୁ ଅସଦାଚରଣ ଘଟଣା: ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ବାନ୍ଧିଲା ପୁଲିସ, ଜିଲ୍ଲାପାଳ କଲେ ନିଲମ୍ବିତ

କାର୍ଯ୍ୟରେ ଅବହେଳା ପାଇଁ ମାଟ୍ରନ୍‌ ବହିଷ୍କୃତ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଳକ ମଂଗଳ ବିଭାଗ ଦ୍ଵାରା ପରିଚାଳିତ ପକାନାଗାଁ ବାଳିକା ହାଇସ୍କୁଲରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ କାଶିନାଥ ବେହେରାଙ୍କୁ ପୁଲିସ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି।

ଜିଲ୍ଲାପାଳ ଡା.ବୃନ୍ଦା ଡି ଶିକ୍ଷକ ବେହେରାଙ୍କୁ ନିଲମ୍ବିତ କରିଛନ୍ତି। ଏଥି ସହ କାର୍ଯ୍ୟରେ ଅବହେଳା ନିମନ୍ତେ ମାଟ୍ରନକୁ ବହିଷ୍କୃତ କରିଛନ୍ତି ବୋଲି ଜିଲ୍ଲା ମଂଗଳ ଅଧିକାରୀ ଚାରୁଲତା ମଲ୍ଲିକ କହିଛନ୍ତି।

ସୂଚନାଯୋଗ୍ୟ ଗତ ୭ ତାରିଖ ସକାଳେ ସ୍କୁଲ ହଷ୍ଟେଲରେ ରହୁଥିବା ଜଣେ ଦଶମ ଶ୍ରେଣୀ ଛାତ୍ରୀ ତାଙ୍କ ଘରକୁ ଫୋନ କରିବାକୁ ମାଟ୍ରନଙ୍କୁ କହିଥିଲେ। ହେଲେ ବାଲାନସ ନାହିଁ କହି ମାଟ୍ରନ ଏହାକୁ ଗୁରୁତ୍ୱ ଦେଇ ନଥିଲେ। ତାପରେ ଛାତ୍ରୀ ଜଣକ କ୍ୱାର୍ଟରରେ ରହୁଥିବା ଭାରପ୍ରାପ୍ତ ପ୍ରଧାନଶିକ୍ଷକ କାଶିନାଥ ବେହେରାଙ୍କ ପାଖକୁ ଯାଇଥିଲେ। ତାଙ୍କ ଫୋନରେ ପରିବାର ସହ କଥା ହେବା ସମୟରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବେହେରା କାଳେ ଛାତ୍ରୀଙ୍କ ପ୍ରତି ଅସଦାଚରଣ ବ୍ୟବହାର କରିଥିଲେ। ଏନେଇ ଛାତ୍ରୀ ଜଣକ ଶୁକ୍ରମାର ଘଟଣା ସମ୍ପର୍କରେ କହିବା ପରେ ତନାଘନା ଆରମ୍ଭ ହୋଇଥିଲା। କ୍ୱାର୍ଟରର ରହୁଥିବା ସମସ୍ତ ଶିକ୍ଷକଙ୍କୁ ବାହାର କରି ଦିଆଯାଇଥିଲା। ଭାରପ୍ରାପ୍ତ ବେହେରାଙ୍କ ନାଁରେ ପୁଲିସ ନିକଟରେ ଏଫଆଇଆର ମଧ୍ୟ ହୋଇଥିଲା।

ସମ୍ବନ୍ଧିତ ଖବର