ଖୋର୍ଦ୍ଧା: ନୂଆ ପେନସନ ଯୋଜନା ବଦଳରେ ପୁରୁଣା ପେନସନ ଯୋଜନା ଚାଲୁ କରିବା ଓ ଅନ୍ୟ ୩ଦଫା ଦାବି ନେଇ ଆଜି ଖୋର୍ଦ୍ଧା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସ୍ମାରକପତ୍ର ସମ୍ପର୍କରେ ସଂଗଠନର ସଭାପତି ବଟକୃଷ୍ଣ ମଲ୍ଲିକଙ୍କ କହିବାନୁସାରେ, ନୂତନ ପେନ୍ସନ ଯୋଜନା ବୃତ୍ତିଧାରୀ ଶିକ୍ଷକଙ୍କ ମଧ୍ୟରେ ସାମାଜିକ ସୁରକ୍ଷା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଅବସର ପରେ ସେମାନଙ୍କ ଜୀବନରେ ଆର୍ଥିକ ସମସ୍ୟାର ସୃଷ୍ଟି ହେବା ସମ୍ଭାବନା ରହିଛି ।
କର୍ମଚାରୀଙ୍କ ପେନ୍ସନ ସମ୍ପର୍କରେ କୋର୍ଟ ସାମାଜିକ ଓ ଅର୍ଥନୈତିକ ନ୍ୟାୟ ବୋଲି ମତ ଦେଇଛନ୍ତି । ଏହି କାରଣରୁ ପୁରୁଣା ପେନ୍ସନ ଯୋଜନା ଚାଲୁ କରାଯାଉ । ପୂର୍ବେ ଏନେଇ ଅଲ୍ ଇଣ୍ଡିଆ ପ୍ରାଇମେରି ଟିଚର୍ସ ଫଡରେସନ ପକ୍ଷରୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ମାନବସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଥିଲେ ମଧ୍ୟ ଏନେଇ କୌଣସି ପଦକ୍ଷେପ ନିଆଯାଇନାହିଁ ।
ଏଣୁ ଆଜି ପୁଣିଥରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଆଜିର ଦାବିପତ୍ର ପ୍ରଦାନବେଳେ ସମ୍ପାଦକ ରତ୍ନାକର ରାଉତରାୟଙ୍କ ସମେତ ସଂଘର ଅନ୍ୟ କର୍ମକର୍ତା ଉପସ୍ଥିତ ଥିଲେ ।