ନକ୍ସଲ ପ୍ରବଣ ଦାରଲାବେଡାରେ ଶିକ୍ଷକମାନଙ୍କ ସଚେତନତା

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଂଚଳର ଯଡାମ୍ବ ପଞ୍ଚାୟତରେ ଏବେ କରୋନା ସଂକ୍ରମଣ ହୋଇଥିବାରୁ ଏହି ଅଂଚଳର ଶିକ୍ଷକମାନେ ଦୁର୍ଗମ ନକ୍ସଲ ପ୍ରବଣ ଅଂଚଳରେ ପହଞ୍ଚି ଲୋକଙ୍କୁ ସଚେତନ କରାଉଥିବା ଦେଖିବାକୁ ମିଳିଛି। ଆଜି ନକ୍ସଲ ପ୍ରବଣ ଦାରଲାବେଡା ଗ୍ରାମରେ ସ୍ଥାନୀୟ ସ୍ବାଭିମାନ ଅଂଚଳର ଶିକ୍ଷକମାନେ ପହଞ୍ଚି ଲୋକଙ୍କୁ ମାଗଣା ମାସ୍କ ବଣ୍ଟନ କରିବା ସହ ସେମାନଙ୍କୁ କରୋନାର ଭୟାବହତାକୁ ନେଇ ସଚେତନ କରାଇଥିଲେ।ଏହି ଅଂଚଳର ଲୋକେ ଅଶିକ୍ଷତ ଏବଂ ନକ୍ସଲଙ୍କ ଦ୍ବାରା ପରିଚାଳିତ ହେଉଥିବାରୁ ଏମାନେ ବାହ୍ୟ ଜଗତ ସହ ଏକ ପ୍ରକାର ଖାପଖୁଆଇ ପାରୁନାହାନ୍ତି।

ତେବେ କରୋନା କେତେ ଭୟଙ୍କର ସେନେଇ ସେମାନେ ଜାଣିନଥିବା ବେଳେ ଶିକ୍ଷକମାନେ ସେମାନଙ୍କୁ ଏଥିରୁ ବର୍ତ୍ତିବାକୁ ହେଲେ ମୁହଁରେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତାକୁ ରକ୍ଷା କରିବାକୁ ପଡିବ ବୋଲି ବୁଝାଇଥିଲେ।ଏଥିସହ ଯେପରି ଗ୍ରାମରେ କୌଣସି ଅପରିଚିତ ବ୍ୟକ୍ତି ନଆସନ୍ତି ସେଥିପ୍ରତି ଦୃଷ୍ଟି ଦେବା ସହ ସଂଦେହ ହେଲେ ପ୍ରଶାସନ ନିକଟରେ ଖବର ଦେବାକୁ କହିଥିଲେ।ଏବେ ଗ୍ରାମାଞ୍ଚଳରେ କରୋନା ପହଞ୍ଚିଥିବା ବେଳେ ଏହାକୁ ରୋକିବାକୁ ହେଲେ ଲୋକେ ସଚେତନ ହେବା ନିତ୍ୟାନ୍ତ ଆବଶ୍ୟକ ବୋଲି କୁହାଯାଇଛି।

ଗ୍ରାମାଞ୍ଚଳରେ ଶିକ୍ଷକମାନଙ୍କ କଥାକୁ ଗ୍ରାମବାସୀ ମାନୁଥିବାରୁ ଶିକ୍ଷକମାନେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।ସ୍ବାଭିମାନ ଅଂଚଳର ବିଭିନ୍ନ ଦୁର୍ଗମ ଗ୍ରାମ ବୁଲି ଲୋକଙ୍କୁ କରୋନା ସଂପର୍କରେ ବୁଝାଇବା ସହ କିପରି ମୁହଁରେ ମାସ୍କ ପିନ୍ଧିବେ ସେନେଇ ଦେଖାଇଥିଲେ।ଆଦିବାସୀ ସଂପ୍ରଦାୟର ଲୋକେ ଏହି ଅଂଚଳରେ ବାସ କରୁଥିବାରୁ ସେମାନେ ମୁହଁରେ ମାସ୍କ ପିନ୍ଧିବା ପାଇଁ ପସନ୍ଦ କରୁନଥିବା ବେଳେ ଶିକ୍ଷକମାନେ ଏହାକୁ ପିନ୍ଧିବା ପାଇଁ ପଡିବ ବୋଲି ବୁଝାଇବା ପରେ ସେମାନେ ରାଜି ହୋଇଥିବା ଦେଖିବାକୁ ମିଳିଛି।ଏଥିସହ କରୋନା ଟୀକା ସମସ୍ତେ ଯେପରି ନେବେ ସେନେଇ ମଧ୍ୟ ବୁଝାଯାଇଥିଲା।ଶିକ୍ଷକମାନଙ୍କ ଏଭଳି ମାନବିକତାକୁ ଜିଲ୍ଲାବାସୀ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର