ପିଲାଙ୍କୁ ପାଠପଢ଼ାଇବାର ନିଶା: ପ୍ରତିଦିନ ଛାତିଏ ପାଣିରେ, ବିପଦଶଙ୍କୁଳ ଅବସ୍ଥାରେ ଦୁଇ ଶିକ୍ଷକ ନଦୀରେ ପଶି ସ୍କୁଲ ପହଞ୍ଚି ଥାଆନ୍ତି

ମାଲକାନଗିରି: ଉପାନ୍ତ ଅଞ୍ଚଳରେ ଶିକ୍ଷକମାନେ ନିଜ କର୍ତ୍ତବ୍ୟରେ ଅବହେଳା କରି ସ୍କୁଲ ନ ଯିବାର ଅନେକ ଘଟଣା ସାମ୍ନାକୁ ଆସିଛି। କିନ୍ତୁ ମାଲକାନଗିରି ଜିଲ୍ଲାରେ କିଛି ଅଲଗା ଦେଖିବାକୁ ମିଳିଛି। କର୍ତ୍ତବ୍ୟ ଆଗରେ ସମସ୍ତ ବାଧାବିଘ୍ନକୁ ଏଡାଇ ଦୁଇଜଣ ଶିକ୍ଷକ ପ୍ରତିଦିନ ଛାତିଏ ପାଣିରେ ପଶି ନଦୀ ପାର ହୋଇ ସ୍କୁଲରେ ଯାଇ ପହଞ୍ଚି ଯାଇଥାଆନ୍ତି। ଦୁଇଶିକ୍ଷକଙ୍କ ଏହି ଉଦ୍ୟମକୁ ଜନସାଧାରଣ  ସ୍ୱାଗତ କରିବା ସହିତ  ପ୍ରଶଂସା କରିଛନ୍ତି।

ମାଲକାନଗିରି ଜିଲ୍ଲା ଖଇରପୁଟଠାରୁ  ଗୋଜିଆଗୁଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାରିଆନୁସ ଟେଟେ ଓ ସହକାରୀ ଶିକ୍ଷକ ତପନ କୁମାର ପାଇକରାଏ ବର୍ଷବର୍ଷ ଧରି ପ୍ରତିଦିନ ଛାତିଏ ପାଣିରେ ପଶି ନଦୀ ପାର ହେବାର କଷ୍ଟକୁ ଖାତିର ନକରିି ସ୍କୁଲରେ ଯାଇ ପହଞ୍ଚି ଥାଆନ୍ତି।

ପ୍ରଧାନଶିକ୍ଷକ ମାରିଆନୁସ ଟେଟେ କହନ୍ତି, କର୍ତ୍ତବ୍ୟରେ ହେଳା କରିବାକୁ ଭଲ ଲାଗେ ନାହିଁ। କାରଣ ପିଲାଙ୍କୁ ପାଠପଢ଼ାଇବା ପାଇଁ ସରକାର ଆମକୁ ମାସକୁ ମାସ ବେତନ ଦେଉଛନ୍ତି। ବର୍ଷା ଦିନେ ଏତେ ପାଣି ଭରି ଯାଏ ଯେ, ସାଥୀରେ ଲୁଙ୍ଗି, ତଉଳିଆ ଧରି ପାଣି ଭିତରେ ପଶି ସ୍କୁଲ ଯିବାକୁ ହୋଇଥାଏ। କାରଣ ଆମର ଲକ୍ଷ୍ୟ ଯେକୌଣସି ପରିସ୍ଥିତିରେ ବି ପିଲାଙ୍କୁ ପାଠପଢ଼ାଇ ଭଲ ମଣିଷ କରିବା।

ସହକାରୀ ଶିକ୍ଷକ ତପନ କୁମାର ପାଇକରାଏଙ୍କ କହିବାନୁସାରେ, ବ୍ରିଜଟିଏ ଦୁଇବର୍ଷ ହେବ ଆରମ୍ଭ ହେବା ସତ୍ତ୍ୱେ ବର୍ତ୍ତମାନ ସୁଦ୍ଧା ତାହା ଶେଷ ହୋଇପାରି ନାହିଁ। ବ୍ରିଜଟିଏ ତୁରନ୍ତ ତିଆରି ହୋଇଗଲେ ଏଭଳି ବିପଦଶଙ୍କୁଳ ଅବସ୍ଥାରେ ନଦୀ ପାର ହୋଇ ସ୍କୁଲ ଯିବାରୁ ରକ୍ଷା ପାଇପାରନ୍ତୁ।

ସମ୍ବନ୍ଧିତ ଖବର