ବରପାଲିରେ ପିକ୍‌ଅପ୍ ଭ୍ୟାନ୍‌ ଧକ୍କାରେ ଶିକ୍ଷକ ମୃତ

ବରପାଲି: ବରଗଡ଼ ଜିଲ୍ଲା ବରପାଲିରେ ଏକ ପିକ୍‌ଅପ୍‌ ଭ୍ୟାନ ଧକ୍କାରେ ବନ୍ଦପାଲି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଗୁଣନିଧି ଦାଶ (୭୧)ଙ୍କ ମୃତ୍ୟୁ ହୋଇଛି। ସ୍ବର୍ଗତ ଦାଶ ଗୁରୁବାର ମଧ୍ୟାହ୍ନରେ ବରପାଲି ତଳିରାସ୍ତା ଦେଇ ବାଇକ୍‌ (ଓଡି୧୭ଏଲ୍‌୯୩୩୨)ରେ ନିଜ ଘରକୁ ଫେରୁଥିଲେ। ବନ୍ଦପାଲି ପଟରୁ ଆସୁଥିବା ଭ୍ୟାନ୍‌ ତାଙ୍କୁ ଧକ୍କା ଦେଇ ଫେରାର ମାରିଥିଲା। ଗାଡ଼ି ଧକ୍କାରେ ସେ ଛିଟିକି ପଡିଥିଲେ ଏବଂ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ପ୍ରଚୁର ରକ୍ତସ୍ରାବ ଯୋଗୁ ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ସ୍ବର୍ଗତ ଦାଶ ବନ୍ଦପାଲି ହାଇସ୍କୁଲରୁ ଅବସର ଗ୍ରହଣ କରିଥିଲେ। ସେ ଶିଶୁ ବିଦ୍ୟା ମନ୍ଦିରର ପ୍ରତିଷ୍ଠାତା ସଦସ୍ୟ ଓ ଅଂଚଳରେ ପଣ୍ଡିତ ଭାବେ ବେଶ୍‌ ପରିଚିତ ଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ବହୁ ଜନସାଧାରଣ ଘଟଣାସ୍ଥଳରେ ରୁଣ୍ଡ ହୋଇ ଯାଇଥିଲେ। ଧକ୍କା ଦେଇ ଫେରାର ମାରିଥିବା ପିକ୍‌ଅପ୍‌ ଗାଡ଼ିକୁ ତୁରନ୍ତ ଧରିବା ପାଇଁ ଦାବି କରିଥିଲେ। ଘଟଣାସ୍ଥଳରେ ବରପାଲି ପୁଲିସ ପହଂଚି ଲୋକଙ୍କୁ ବୁଝାସୁଝା କରିବା ସହ ବ୍ୟବଚ୍ଛେଦ ପାଇଁ ଶବକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ତାଙ୍କର ୨ ପୁଅ ଅଜିତ ଓ ଅଶୋକ ଏବଂ ଝିଅ ଝରଣା ଅଛନ୍ତି।

ସମ୍ବନ୍ଧିତ ଖବର