ଅଜଣା ବୋଲେରୋ ଧକ୍କାରେ ଚାଲିଗଲା ଶିକ୍ଷକଙ୍କ ଜୀବନ; ଉଜୁଡି ଗଲା ପରିବାରର ସ୍ବପ୍ନ

ଭଦ୍ରକ/ଅସୁରାଳି: ମଣିଷ ତା ଜୀବନରେ ଅନେକ ସ୍ବପ୍ନ ଦେଖେ। ମାତ୍ର ଈଶ୍ବର ମଣିଷର ସବୁ ସ୍ବପ୍ନ ସାକାର କରିବାକୁ ଦିଅନ୍ତିନି। ଏମିତି ଅବେଳରେ କିଛି ଲୋକଙ୍କର ସ୍ବପ୍ନ ଭାଙ୍ଗି ଦିଅନ୍ତି ଯେ, ଜଣଙ୍କର ସ୍ବପ୍ନ ସହ ଜଡିତ ଥିବା ଅନେକ ଲୋକଙ୍କର ସ୍ବପ୍ନ ଭାଙ୍ଗି ଛାରଖାର ହୋଇଯାଏ। ଈଶ୍ବର ବେଳେ ବେଳେ କାହିଁକି ଏଭଳି ନିଷ୍ଟୁର ହୁଅନ୍ତି କେଜାଣି! ଅଜି ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ଭଦ୍ରକ ବ୍ଲକ ଅନ୍ତର୍ଗତ କୋଡବରୁଆ ଗାଁରେ। ଏଇ ଗାଁର ଯୁବ ଶିକ୍ଷକ ମାଧବାନନ୍ଦ ପଣ୍ଡୁଆ( ୩୨) ବର୍ଷଙ୍କର ସ୍କୁଲ ଯିବା ରାସ୍ତାରେ ଏକ ଅଜଣା ବୋଲେରୋ ଧକ୍କାରେ ମୃତ୍ୟୁ ଘଟିଛି। ନିଜ ଘର କୋଡବରୁଆଁରୁ ସବୁଦିନ ପରି ଆଜି ସକାଳୁ ସେ ନିଜର ସ୍କୁଟି ନେଇ ଧାମନଗର ବ୍ଲକ ଅନ୍ତର୍ଗତ ବମକୋରା ପଞ୍ଚାୟତର ଖଡିମାହାରା ଏଲ.ଏନ. ହାଇସ୍କୁଲକୁ ଯାଉଥିଲେ। ସ୍କୁଲ ଯିବା ବାଟ‌ରେ ଭଦ୍ରକ- ଆରଡି ରାସ୍ତାର ଅସୁରାଳି – କୋଠାର ମଧ୍ୟଭାଗରେ ଥିବା ଡିଲୋ ଛକ ନିକଟରେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଅଜଣା ବୋଲେରୋ ତାଙ୍କୁ ଧକ୍କା ଦେଇଥିଲା।

ଧକ୍କା ଦେଇଥିବା ବୋଲେରୋଟି ଘଟଣାସ୍ଥଳକୁ ଖସି ପଳାଇଯାଇଥିଲା। ପୁଲିସ ଏବେ ମଧ୍ୟ ଏଇ ବୋଲେରୋର ପତ୍ତା ପାଇନାହିଁ। ରାସ୍ତା ଉପରେ ରକ୍ତଜୁଡୁବୁଡୁ ହୋଇ ମୁର୍ମୁଶୁ ଅବସ୍ଥାରେ ପଡି ଛକ ପଟ ହେଉଥିବା ଶିକ୍ଷକ ମାଧବାନନ୍ଦଙ୍କୁ ରାସ୍ତାରେ ଯାଉଥିବା ଲୋକମାନେ ଦେଖି ସେଠାରୁ ଉଠାଇ ଭଦ୍ରକ ମେଡିକାଲକୁ ଆଣିଥିଲେ। ଭଦ୍ରକ ମେଡିକାଲରେ ତାଙ୍କର ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ତାଙ୍କୁ କିମସ୍‌କୁ ନେଉଥିବା ବାଟରେ ମୃତ୍ୟୁ ହୋଇଥିଲା। ସେଠାରୁ ତାଙ୍କର ଶବ ପୁଣି ଭଦ୍ରକ ମେଡିକାଲକୁ ଫେରାଇ ଅଣାଯାଇଛି। ମାଧବାନନ୍ଦଙ୍କର ଏଇ ଅକାଳ ବିୟୋଗରେ ଭଦ୍ରକରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।

ମାଧବାନନ୍ଦ ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ରଥି‌ଲେ। ଗତ ୨୦୧୩ ମସିହାରେ ସେ ଶିକ୍ଷାବିଭାଗରେ କଣ୍ଟାକ୍ଟ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ। ଗତ ଫେବ୍ରୁଆରୀ ୧୮ ତାରିଖ‌ରେ ସେ ହାଇସ୍କୁଲର ରେଗୁଲାର ଶିକ୍ଷକ ଭାବେ ପଦୋନ୍ନତି ହୋଇଥିଲେ। ତାଙ୍କର ଏଇ ଅକାଳ ବି‌‌ୟୋଗରେ ସାରା ପରିବାର ଓ ଗାଁରେ ଶୋକରଛାୟା ଖେଳି ଯାଇଛି। ତାଙ୍କର ଦୁଇ ବର୍ଷର ଏକ ଶିଶୁ ପତ୍ର ଅଛି। ଶିକ୍ଷକ ପୁଅ ମାଧବାନନ୍ଦଙ୍କ ମୃତ୍ୟୁରେ ତାଙ୍କର ବାପା ମାଆ ପତ୍ନୀ ଓ ପରିବାର ସଦସ୍ୟ ଭାଙ୍ଗି ପଡିଛନ୍ତି। ମାଧବାନନ୍ଦଙ୍କ ବି‌ୟୋଗରେ ଓଷ୍ଟା ଶିକ୍ଷକ ସଂଘ ପକ୍ଷରୁ ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର