ରାଇରଙ୍ଗପୁର: ଶିକ୍ଷକତା ଏକ ମହତ ପେସା ବା ବୃତି ଭାବେ ଗଣନା କରାଯାଏ। ତେଣୁ ଶିକ୍ଷକମାନଙ୍କୁ ମଣିଷ ତିଆରି ମେସିନ ଭାବେ ଅବିହିତ କରାଯାଏ। ମାତ୍ର ଶିକ୍ଷକତା ପରି ମହତ ବୃତି ସହିତ ସମାଜସେବା, ରକ୍ତଦାନ, ଅନାଥ ତଥା ନିଷ୍ପେଶିତ ଶିଶୁ ମାନଙ୍କୁ ବିଦ୍ୟାଳୟ ସହିତ ଜଡିତ କରିବା ପରି ମହତ କାର୍ଯ୍ୟ ସମ୍ପାଦନ କରି ପାରିଛନ୍ତି। ବର୍ତ୍ତମାନର ବାଦାମୀବାଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରଥ କୁମାର ପଟ୍ଟନାୟକ। ରାଇରଙ୍ଗପୁର ଶିକ୍ଷା ଜିଲ୍ଲାରେ ସମସ୍ତଙ୍କର ପ୍ରିୟ ସୁରଥ ସାର। ରାଇରଙ୍ଗପୁର ପୌର ପରିଷଦ ଅନ୍ତର୍ଗତ ୧୨ନମ୍ବର ୱାର୍ଡର ଇଚିଣ୍ଡାଗ୍ରାମରେ ଜନ୍ମ। ପିତା ରାଧେଶ୍ୟାମ ପଟ୍ଟନାୟକଙ୍କ ୪ ପୁଅ ଓ ୨ ଝିଅଙ୍କ ମଧ୍ୟରୁ ଦ୍ୱିତୀୟ ପୁତ୍ର ସୁରଥ। ପରିବାର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ପିତାଙ୍କ ଗୋଟିଏ ରୋଜଗାରରେ ୬ଜଣଙ୍କ ପ୍ରତିପୋଷଣ ସହିତ ପାଠପଢା ଅନେକ ବାଧାବିଘ୍ନ ସୃଷ୍ଟି କରିଥିଲା। ପିଲାଟି ଦିନରୁ ସୁରଥ ଥିଲେ କର୍ମଯୋଗୀ ଅଷ୍ଟମ ଶ୍ରେଣୀରେ ପାଠ ପଢିବା ସମୟରୁ ଗ୍ରାମର କୁନିକୁନି ଶିଶୁ ମାନଙ୍କୁ ଟିଉସନ କରୁଥିଲେ। ଏବଂ ଉକ୍ତ ଅର୍ଥରୁ ନିଜର ବହିଖାତା କିଣି ୧୯୭୯ ମସିହାରେ ୬୮୬ ନମ୍ବର ରଖି ମ୍ୟାଟ୍ରିକ ପରୀକ୍ଷାରେ ଏକାଦଶ ଶ୍ରେଣୀରେ ଉତିର୍ଣ୍ଣ ହୋଇଥିଲେ। ପରବର୍ତୀ ସମୟରେ ରାଇରଙ୍ଗପୁର ମହାବିଦ୍ୟାଳୟରୁ ସଫଳତାର ସହ ଆଇଏ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ପାସ କରିଛନ୍ତି।
ପରବର୍ତ୍ତୀ ପର୍ଯ୍ୟାୟରେ ବିଏ, ସିଟି, ବିଇଡି, ଏମ୍ଏ ଏବଂ ଏଲଏଲବି ପରୀକ୍ଷାରେ କୃତିତ୍ୱର ସହିତ ସମାପନ କରିଛନ୍ତି। ଛୋଟ ଥିବା ବେଳେ ଦାରିଦ୍ର୍ୟ ମଧ୍ୟରେ ପାଠପଢାକୁ ସ୍ମରଣ କରି ଦୁଇଦୁଇଟି ସରକାରୀ ଚାକିରି ଛାଡି ୧୯୮୯ ମସିହାରେ ଶିକ୍ଷକତା ଜୀବନ ଆରମ୍ଭ କରନ୍ତି। ଉକ୍ତ ଶିକ୍ଷକତା ଜୀବନ ତାଙ୍କୁ ଏତେ ଆକୃଷ୍ଟ କରେ ଯେ ସେ ଯେଉଁ ବିଦ୍ୟାଳୟରେ ପୋଷ୍ଟିଂ ହୁଅନ୍ତି ତାହାକୁ ତାଙ୍କ ପରିବାର ବୋଲି ଅବିହିତ କରନ୍ତି। ଏଥିମଧ୍ୟରେ ଅନେକ ରହିଛି ସୁରଥ ସାର ଯେଉଁ ବିଦ୍ୟାଳୟକୁ ଯାଇଛନ୍ତି ତାହାର କାୟା ପରିବର୍ତ୍ତନ ସଫଳତାର ସହ କରି ଅଞ୍ଚଳରେ ବେଶ ପ୍ରସଂଶିତ ହୋଇ ପାରିଛନ୍ତି। ଦୀର୍ଘ ୩୦ବର୍ଷ ଚାକିରି କାଳ ମଧ୍ୟରେ ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶିକ୍ଷାଦାନ ସହିତ ଅନ୍ୟାନ୍ୟ ସହ ଶୈଖିକ କାର୍ଯ୍ୟକାଳାପରେ ବେଶ ପାରଙ୍ଗମ। ବିଦ୍ୟାଳୟ ସମୟ ବ୍ୟତିତ ଅନ୍ୟ ସମୟରେ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢାଇବା, ଶନିବାର ଓ ରବିବାର ନୃତ୍ୟ ଶିକ୍ଷକ ମାନଙ୍କୁ ନିୟୋଜିତ କରି ନୃତ୍ୟ ଶିଖାଇବା, ତର୍କ, ସାଧାରଣ ଜ୍ଞାନ, ପ୍ରବନ୍ଧ, ଚିତ୍ରାଙ୍କନ, କୌତୃହଳ ପୋଷାକ ପ୍ରତିଯୋଗିତା ସହିତ ପାରମ୍ପରିକ ଲାଠିଖେଳ, ଲୋକଗୀତ, ଲୋକନାଚ ତଥା ବୃକ୍ଷରୋପଣ ନିମନ୍ତେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥାନ୍ତି।
ସୁରଥ ସାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୨୦୧୧ ମସିହାରୁ କ୍ରମାଗତ ଭାବେ ସୁରଭି କାର୍ଯ୍ୟକ୍ରମରେ ଜିଲ୍ଲାର ନେତୃତ୍ୱ ନେଇ ରାଜ୍ୟସ୍ତରକୁ ଯିବା ଏକ ଅନନ୍ୟ ପଦକ୍ଷେପ। ତାଙ୍କରି ପ୍ରଚେଷ୍ଟାରେ ୨୦୧୩ ମସିହାରେ ସ୍ୱଲିଖିତ କ୍ଷୁନ୍ଦ୍ର ନୃତ୍ୟନାଟକ ‘ମର୍ମଭେଦୀ’ ଶିଶୁ ଶ୍ରମିକ କାହାଣୀ ଉପରେ ଆଧାରିତ ଯାହାକି ଇଚିଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଅଭିନିତ ହୋଇ ରାଜ୍ୟରେ ସର୍ବଶ୍ରେଷ୍ଠ ସ୍ଥାନ ହାସଲ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲା। ସୁରଥ ସାରଙ୍କ ରହଣି କାଳ ମଧ୍ୟରେ ମହୁଲଡିହା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟ, ବାଦାମୀବାଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ରାଜ୍ୟସ୍ତରରେ ଶ୍ରେଷ୍ଠତା ପ୍ରତିପାଦନ କରି ପାରିଛନ୍ତି। ୨୦୧୯ ମସିହାରେ ବାଲେଶ୍ୱର ଠାରେ ଅନୁଷ୍ଠିତ ଶିଶୁନାଟକ ପ୍ରତିଯୋଗିତାରେ ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟ, ୨୦୧୭ ମସିହାରେ ଗୋରୁମହିଷାଣୀ କସ୍ତୁରବା ବାଳିକା ବିଦ୍ୟାଳୟ ତଥା ୨୦୨୨ ମସିହାରେ ବାଦାମୀବାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିଶୁନାଟକ ସଫଳତା ସୁରଥ ସାରଙ୍କ ପ୍ରତ୍ୟକ୍ଷ ଅବଦାନର ଫଳ। ବର୍ତ୍ତମାନର ବ୍ୟସ୍ତବହୁଳ ଦୁନିଆରେ ସରକାରୀ ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀ ମାନଙ୍କୁ ପରିବାର ପରି ସମୟ ଦେବା ସୁରଥ ସାରଙ୍କ ପରି ଅନନ୍ୟ ଶିକ୍ଷକ ମାନଙ୍କ ଦ୍ୱାରା ସମ୍ଭବ। ଯାହାକି ସେ ରାଇରଙ୍ଗପୁର ଶିକ୍ଷା ଜିଲ୍ଲାରେ ଶିକ୍ଷକ ମହଲରେ ଉଦାହରଣ ସୃଷ୍ଟି କରି ପାରିଛନ୍ତି।