ଜୟପୁର: ଅତ୍ୟନ୍ତ ଜରୁରୀ ଆବଶ୍ୟକତା ଥିବା ସମୟରେ ଜଣେ ସିକିଲସେଲ୍ ଆକ୍ରାନ୍ତ ଝିଅକୁ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ଜୟପୁର ମଡର୍ଣ୍ଣ ଇଂରାଜୀ ବିଦ୍ୟାଳୟର ଶିକ୍ଷକ ତଥା ସ୍ବେଚ୍ଛାସେବୀ ନିରଂଜନ ପାଣିଗ୍ରାହୀ ଆତ୍ମସନ୍ତୋଷ ଲାଭ କରିଥିବା କହିଛନ୍ତି। ଜୟପୁର ସହର ନିକଟସ୍ଥ ପେପରମିଲ ନିକଟ ବଣଗୁଡା ଗାଁର ଗୋପାଳ ହନ୍ତାଳଙ୍କ ୧୪ବର୍ଷର ଝିଅ ବୈଜୟନ୍ତୀ ହନ୍ତାଳ ସିକିଲସେଲରେ ଆକ୍ରାନ୍ତ। ତାଙ୍କ ହିମୋଗ୍ଲୋବିନ୍ ୩ ଥିବା ବେଳେ ସେ ଗୁରୁତର ରକ୍ତହୀନତା ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ତାଙ୍କ ହିମୋଗ୍ଲୋବିନ୍ କମ୍ ରହିଥିବାରୁ ଚିକିତ୍ସା କରୁଥିବା ଡାକ୍ତର ତୁରନ୍ତ ରକ୍ତ ଚଢ଼ାଇବାକୁ ଅମନଙ୍କ ବାପାଙ୍କୁ କହିଥିଲେ। ସେ ବହୁ ଖୋଜାଖୋଜି କରିଥିଲେ। ଜୟପୁର ରକ୍ତଭଣ୍ଡାରରେ ବି ‘ଏଭି’ ପଜିଟିଭ୍ ରକ୍ତ ଜମା ବି ନଥିଲା। ବାପା ଗୋପାଳ ଚିନ୍ତାରେ ପଢ଼ି ଥିଲେ। ରକ୍ତର ଆବଶ୍ୟକତା ରହିଥିବା ସଂପର୍କରେ ଶିକ୍ଷକ ତଥା ସ୍ବେଚ୍ଛାସେବୀ ନିରଂଜନ ଜାଣି ପାରିଥିଲେ। ଏହା ପରେ ସେ ନିଜେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିବେ ବୋଲି କହିଥିଲେ। ସୋମବାର ସଂଧ୍ୟାରେ ଜୟପୁର ରକ୍ତଭଣ୍ଡାରରେ ନିରଜଂନ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଏହା ପୂର୍ବରୁ ନିରଂଜନ ୨୯ ଥର ସ୍ବେଚ୍ଛାକୃତ ଭାବେ ବିଭିନ୍ନ ରକ୍ତଦାନ ଶିବିର ଓ ରୋଗୀଙ୍କୁ ବି ରକ୍ତଦାନ କରି ଆସୁଛନ୍ତି।
ବୈଜୟନ୍ତୀଙ୍କୁ ରକ୍ତଦାନ କରିବା ପରେ ସେ ଅଧିକା ଆତ୍ମସନ୍ତୋଷ ଲାଭ କରିଥିବା କହିଛନ୍ତି। ଏଭଳିକି ବୈଜୟନ୍ତୀଙ୍କୁ ଆଉ ୨ୟୁନିଟ୍ ରକ୍ତ ନେବା ପାଇଁ ଚିକିତ୍ସା କରୁଥିବା ଡାକ୍ତର ପରାମର୍ଶ ଦେଇଛନ୍ତି। ଏହାକୁ ବି ନିରଂଜନ ଓ ତାଙ୍କ ପତ୍ନୀ ବିଜୟା ପାଣିଗ୍ରାହୀ ଯୋଗାଡ଼ କରିଛନ୍ତି। ଡାକ୍ତର ଆଉ ନେବାକୁ କହିଲେ ସେହି ଦୁଇ ୟୁନିଟ ବି ବୈଜୟନ୍ତୀଙ୍କୁ ଦିଆଯିବ ବୋଲି କହିଛନ୍ତି ନିରଂଜନ। ରକ୍ତ ଅଭାବରୁ କେହି ମରିବାକୁ ଦିଆଯିବ ନି। ଭଗବାନଙ୍କ ସୃଷ୍ଟିର ଅମୁଲ୍ୟ ସଂପତ୍ତି ମଣିଷ ଜୀବନକୁ ବଂଚାଇବାକୁ ପଡ଼ିବ ବୋଲି କହିଛନ୍ତି ନିରଂଜନ। ଯୁବବର୍ଗ ବି ଏଭଳି ଆଗେଇ ଆସି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ମୂଲ୍ୟବାନ ଜୀବନ ବଂଚାନ୍ତୁ ବୋଲି ନିବେଦନ କରିଛନ୍ତି ନିରଂଜନ। ନିରଂଜନଙ୍କ ଏଭଳି ମହତ କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶାଂସା କରାଯାଇଛି।