ରାୟଗଡା: ରାୟଗଡା ଜିଲ୍ଲାସ୍ତରୀୟ ଉତ୍କଳ ଦିବସ ଉତ୍ସବ ମଞ୍ଚରେ ଅବସରପ୍ରାପ୍ତ ଶିକ୍ଷକ ଜଗଦୀଶ ଚନ୍ଦ୍ର ଦୋରା ସମ୍ମାନିତ ହୋଇଛନ୍ତି। ରାଜ୍ୟସ୍ତରରେ ଉତ୍ତମ ଶିକ୍ଷକ ରୁପେ ବିବେଚନା ପରେ ରାଜ୍ୟ ଶିକ୍ଷକ ସମ୍ମାନ ଉତ୍ସବ ଜିଲ୍ଲା ସଦର ମହକୁମାରେ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଅନୁସୁଚିତ ଜାତି ଜନଜାତି ପଛୁଆ ବର୍ଗ କଲ୍ୟାଣ ବିଭାଗ ତଥା ଓଡ଼ିଶା ସରକାରଙ୍କ ଆଇନ ମନ୍ତ୍ରୀ  ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ, ବିଧାୟକ ମକରନ୍ଦ ମୁଦୁଲିଙ୍କ ହାତରୁ ୨୫ହଜାର ଟଙ୍କାର ଚେକ ସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାନପତ୍ର  ସେ ଗ୍ରହଣ କରିଛନ୍ତି। ଶିକ୍ଷକ ଶ୍ରୀ ଦୋରା ନିଜ ଜନ୍ମ ମାଟି କୋଲନରା ବ୍ଳକରୁ ଶିକ୍ଷକତା ଆରମ୍ଭ କରିଥିଲେ। ନିଜ ଚାକିରି କାଳରେ କୋଲନରା ଏବଂ ରାୟଗଡା ଦୁଇ ବ୍ଳକର ବିଭିନ୍ନ ସ୍କୁଲରେ ନିଜର ଦାୟିତ୍ୱ ତୁଲାଇଛନ୍ତି। ତାଙ୍କ ଚାକିରୀ ଜୀବନ ଶେଷ ୧୦ବର୍ଷରେ ଆଦିବାସୀ ବହୁଳ ଗାଁ ବୀରନାରାୟଣପୁର ବିଦ୍ୟାଳୟକୁ ଉତ୍କୃଷ୍ଟ ବିଦ୍ୟାଳୟର ପରିଚୟ ପ୍ରଦାନ କରିବାରେ ସକ୍ଷମ ହୋଇପାରିଛନ୍ତି।

Advertisment

କୋଭିଡ ମହାମାରୀ ସମୟରେ ସାରା ଦେଶରେ ଅନଲାଇନ ଶିକ୍ଷା ଭୁଷୁଡିପଡିଥିଲା ଏହି ବିଦ୍ୟାଳୟ ଏକ ଉଦାହରଣ ହୋଇ ମୁଣ୍ଡ ଟେକିଥିଲା। ଶିକ୍ଷକ ଜଗଦୀଶ ଚନ୍ଦ୍ରଙ୍କ ଉଦ୍ୟମରେ ଏକ ଆଶା ଅନୁଷ୍ଠାନ ଜରିଆରେ ପୃଥିବୀର ୧୨ଟି ଦେଶର ପ୍ରବାସୀ ଓଡ଼ିଆମାନେ ଲାପଟପ, ସ୍ମାର୍ଟ ଟିଭି ଦେବା ସହ ବିଦେଶରେ ରହି  ପିଲାଙ୍କୁ ଶିକ୍ଷାଦାନ କରୁଥିଲେ ଯାହାକି ରାଜ୍ୟ ନୁହେଁ  ଓଡିଶା ବାହାରେ ମଧ୍ୟ ଚର୍ଚ୍ଚାକୁ ଆସିଥିଲା। ସେ ଜଣେ କେବଳ ଶିକ୍ଷକତାରେ ସିମୀତ ନଥିଲେ, ଏକାଧାରରେ ଜଣେ ଚିତ୍ରକର, ଅଭିନେତା,ସଂଗୀତକାର ତଥା ପ୍ରମାଣିକ ବୃତ୍ତ ଚିତ୍ରର ନିର୍ମାତା ରୂପେ ସେ ସୁପରିଚିତ। ଶିକ୍ଷା ପାଇଁ ଶୈଖିକ ପରିବେଶ ସୃଷ୍ଟି କରାଗଲେ ପିଲାଏଁ ଆପେ ଆପେ ବିଦ୍ୟାଳୟ ମୁହାଁ କରାଯାଇପାରିବ ବୋଲି ସେ କହିଛନ୍ତି।