ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ବ୍ଳକ କୁକୁଡୁଲା ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ସଂଧ୍ୟାରାଣୀ ଦାସଙ୍କର ଆଜି ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ବିଦ୍ୟାଳୟର କ୍ରୀଡା ଶିକ୍ଷକ ଉମେଶ କୁମାର ପଣ୍ଡା ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏହି ଘଟଣା ପରେ ଉତ୍ୟକ୍ତ ଜନତା କ୍ଷତିପୂରଣ ଦାବି କରି ରାସ୍ତା ଉପରେ ଶବ ରଖି ୧୪୯ ଜାତୀୟ ରାଜପଥର ତାଳଚେର ବସଣ୍ଟାଣ୍ଡ ନିକଟରେ ଧାରଣାରେ ବସିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ଶିକ୍ଷୟିତ୍ରୀ ସଂଧ୍ୟାରାଣୀ ଦାସ ଆଜି ସ୍କୁଲରେ ଏକ ସେମିନାରରେ ଯୋଗ ଦେବା ପରେ ତାଳଚେର ବ୍ଳକର ଅନ୍ୟ ସହକର୍ମୀଙ୍କ ସହ ଏକ ଭୋଜିରେ ଯୋଗ ଦେଇଥିଲେ। ଭୋଜି ସରିବା ପରେ ସେହି ବିଦ୍ୟାଳୟର କ୍ରୀଡା ଶିକ୍ଷକ ଉମେଶ କୁମାର ପଣ୍ଡା ଏକ ସ୍କୁଟି ନଂ ଓଡି ୩୫-ଡି ୪୪୪୮ ରେ ଶିକ୍ଷୟିତ୍ରୀଙ୍କୁ ତାଳଚେର ବସଣ୍ଟାଣ୍ଡକୁ ଛାଡିବାକୁ ଆସୁଥିଲେ। ବସଣ୍ଟାଣ୍ଡରୁ ଶିକ୍ଷୟିତ୍ରୀ ଜଣକ ଅନୁଗୁଳ ଗିତାଗ୍ରାମ ସ୍ଥିତ ତାଙ୍କ ଘରକୁ ଯିବାର ଥିଲା। ବସଣ୍ଟାଣ୍ଡ ଭିତରକୁ ପ୍ରବେଶ କରିବା ପୂର୍ବରୁ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ଉଭୟଙ୍କୁ ଜୋରରେ ଧକକା ଦେଇଥିଲା। ରାସ୍ତାରେ ମୁଣ୍ଡ ବାଡେଇ ହୋଇଯିବା କାରଣରୁ ଘଟଣା ସ୍ଥଳରେ ଶିକ୍ଷୟିତ୍ରୀ ଶ୍ରୀମତୀ ଦାସଙ୍କର ମୃତ୍ୟୁ ଘଟିଥିଲା।
ଶିକ୍ଷକ ଉମେଶ ପଣ୍ଡା ରାସ୍ତାରେ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ତାଙ୍କୁ ତୁରନ୍ତ ମଣ୍ଡାପାଳ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା। ଦୁର୍ଘଟଣା ଘଟାଇ ଟ୍ରକଟି ଫେରାର ହୋଇ ଯାଇଥିଲା। ଏହି ଘଟଣା ପରେ ଉତ୍ୟକ୍ତ ଜନସାଧାରଣ ବିଜେପି ନେତା ଯଯାତି ପଟ୍ଟନାୟକ, ପୂର୍ବତନ ନଗରପାଳ କେଶବ ଭୂତିଆ, ଜିତେନ୍ଦ୍ର ଦାସଙ୍କ ନେତୃତ୍ୱରେ ରାସ୍ତାରୋକ କରିଥିଲେ। ମୃତକର ପରିବାରକୁ ସହାୟତା ଓ ନିଯୁକ୍ତିି ଦାବି କରାଯାଇଥିଲା। ପରେ ଧାରଣାସ୍ଥଳୀକୁ ବିଇଓ ସୁନୀଲ ମୁଣ୍ଡୁ, ପ୍ରଶାସନିକ ଅଧିକାରୀ ଆସି ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ଓ ପରିବାର ସଦସ୍ୟଙ୍କୁ ଅନୁକମ୍ପା ମୂଳକ ନିଯୁକ୍ତି ପାଇଁ ପ୍ରତିଶ୍ରୁତ ଦେଇଥିଲେ। ଏହାପରେ ଲୋକେ ଧାରଣାରୁ ଓହରି ଥିଲେ।