ଭଦ୍ରକ: ଶିକ୍ଷକ ନ ଥିବାରୁ ଆଜି ଭଦ୍ରକ ବ୍ଲକ ରମ୍ଭିଳା ପଂଚାୟତର ରମ୍ଭିଳା ହାଇସ୍କୁଲରେ ତାଲା ପକାଇଛନ୍ତି ଗ୍ରାମବାସୀ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ | ସୂଚନା ଅନୁସାରେ ୫-ଟିରେ ସାମିଲ ହୋଇଥିବା ଏହି ବିଦ୍ୟାଳୟରେ ପାର୍କଠାରୁ ପାଇଖାନା, କ୍ଲାସ ରୁମରୁ ଠାରୁ କମ୍ପୁଟରରୁମ ସବୁଥିରେ ଚକାଚକ! ହେଲେ ତିନି ଜଣ ଶିକ୍ଷକରେ ଚାଲିଛି ବିଦ୍ୟାଳୟ | ବିଦ୍ୟାଳୟର ଚାରି ଜଣ ଶିକ୍ଷକରୁ ପ୍ରଧାନଶିକ୍ଷକଙ୍କ ଗୋଡ଼ ଭାଙ୍ଗି ଯାଇଥିବାରୁ ସେ ଏବେ ଶଯ୍ୟାଶାୟୀ | ଆଉ ଜଣେ ହିନ୍ଦୀ, ଜଣେ ସଂସ୍କୃତ ଓ ଜଣେ ଖେଳ ଶିକ୍ଷକଙ୍କୁ ନେଇ ଚାଲିଛି ବିଦ୍ୟାଳୟ | ପୁଣି ଖେଳ ଶିକ୍ଷକ ପଢାଉଛନ୍ତି ଇତିହାସ | ବିଦ୍ୟାଳୟର ନବମ, ଦଶମ ଶ୍ରେଣୀରେ ଏବେ ପ୍ରାୟ ୨୦୦ଜଣ ଥିବାବେଳେ ଏହି ବିଦ୍ୟାଳୟର ବିଜ୍ଞାନ, ଇଂରାଜୀ ଓ ଗଣିତ ପଢା ଠପ ହୋଇଯାଇଛି | ପିଲା ଦିନ ସାରା ଖେଳି ଖେଳି ଘରକୁ ଫେରୁଛନ୍ତି |

Advertisment

ଶିକ୍ଷକ ଅଭାଵରୁ ଚଳିତ ବର୍ଷ ୪୦ ରୁ ଅଧିକ ପିଲା ବିଦ୍ୟାଳୟ ପରିତ୍ୟାଗ କରିଥିବା କଥା ଜଣେ ଶିକ୍ଷକ ପ୍ରକାଶ କରିଛନ୍ତି | ଏନେଇ ସ୍ଥାନୀୟ ସରପଞ୍ଚ ଗଣେଶ ପଣ୍ଡା ଶିକ୍ଷାଧିକାରୀଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇଥିଲେ ବି ଫଳ ଶୂନ | ପିଲାମାନଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ଆଜି ସରପଞ୍ଚଙ୍କ ନେତୃତ୍ୱରେ ଶହ ଶହ ଗ୍ରାମବାସୀ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ବିଦ୍ୟାଳୟ ଗେଟରେ ତାଲା ପକାଇ ଅନିର୍ଦିଷ୍ଟ କାଳ ପାଇଁ ଅନଶନରେ ବସିଥିବା ଜଣାପଡିଛି | ଖବର ଲେଖା ହେବାବେଳକୁ ଅତିରିକ୍ତ ଅନୁ ଶିକ୍ଷାଧିକାରୀ ଗୟାଧର ପଣ୍ଡା ଆସି ବୁଝାଇଥିଲେ ବି ସ୍ଥାୟୀ ସମାଧାନ ବିନା ଆନ୍ଦୋଳନ ଚାଲୁ ରହିବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି |