ଦୁଷ୍କର୍ମ ଅଭିଯୋଗରେ ଜେଲ ଗଲେ ଶିକ୍ଷକ, ଘଟଣା ପ୍ରକାଶ କଲେ ମାରିଦେବାକୁ ଦେଉଥିଲେ ଧମକ

ଯାଜପୁର/ପାଣିକୋଇଲି: ୬ଷ୍ଠ ଶ୍ରେଣୀର ଦୁଇ ଜଣ ଛାତ୍ରୀଙ୍କ ଦ୍ୱାରା ଦୁଷ୍କର୍ମ ଅଭିଯୋଗ ଆସିବା ପରେ ଜଣେ ଶିକ୍ଷକଙ୍କୁ ଆଜି ଜେଲ ଯିବାକୁ ପଡ଼ିଛି। ନାବାଳିକା ଛାତ୍ରୀଙ୍କ ଅଭିଯୋଗ କ୍ରମେ ପାଣିକୋଇଲି ଥାନା ମାମଲା ରୁଜୁ କରି ଅଭିଯୁକ୍ତ ଶିକ୍ଷକ ମୋହନ ଭୂୟାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ଅଭିଯୁକ୍ତ ଶିକ୍ଷକ ମୋହନଙ୍କୁ ତଦନ୍ତକାରୀ ଅଧୀକାରିଣୀ ଏସ.ଆଇ. ପୁଷ୍ପଲତା ବେହେରା କୋର୍ଟ ଚାଲାଣ କରିଥିବା ପାଣିକୋଇଲି ଥାନାଧିକାରୀ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ପାଣିକୋଇଲି ଥାନା କରଦା ନୋଡାଲ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମୋହନ ଭୂୟାଁ ସ୍କୁଲ ପରିସରରେ ଦୀର୍ଘ ଦିନରୁ ଟିଉସନ କରି ଆସୁଥିଲେ। କିନ୍ତୁ ଏହି ଟିଉସନ ପାଠ ପାଇବା ଆଳରେ ସେ ଛାତ୍ରୀମାନଙ୍କୁ ଖରାପ ବ୍ୟବହାର କରୁଥିଲେ। ଉକ୍ତ ସ୍କୁଲରେ ଶିକ୍ଷକ ଥିବା ମୋହନ ସକାଳ ୭ଟାରୁ ୮.୩୦ ପର୍ଯ୍ୟନ୍ତ କିଛି ପିଲାଙ୍କୁ ଟିଉସନ କରି ଆସୁଥିଲେ। ଟିଉସନ ଛୁଟି ପରେ ଦୁଇଜଣ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଭିନ୍ନଭିନ୍ନ ସମୟରେ ଓଟକାଇ ଖରାପ ବ୍ୟବହାର ସହିତ ବଳପୂର୍ବକ ଦୁଷ୍କର୍ମ କରି ଆସୁଥିବା ଅଭିଯୋଗ ହୋଇଥିଲା।

ପୀଡିତାଙ୍କ ବୟାନ ଅନୁସାରେ ପିଲାମାନେ ଛୁଟି ପାଇଲା ପରେ ଲାଇଟ ଲିଭାଇ କବାଟ ଦେଇ ଶାରୀରିକ ସଂପର୍କ ରଖି ଆସୁଥିଲେ ଶିକ୍ଷକ। ସମସ୍ୟା ହେଲେ ଔଷଧ ଦେଇ ଭଲ କରି ଦେବାକୁ କହୁଥିଲେ। ସେହିପରି ଘଟଣା ଅନ୍ୟମାନଙ୍କ ଆଗରେ ପ୍ରକାଶ କଲେ ଜୀବନରୁ ମାରି ଦେବା ସହ ପରିବାର ଲୋକଙ୍କୁ ରାସ୍ତାରୁ ହଟାଇଦେବାକୁ ବାରମ୍ବାର ଧମକ ଦେଇ ଆସୁଥିଲେ।

କିନ୍ତୁ ଗତ ୬ତାରିଖରେ ଜଣେ ଛାତ୍ରୀ ଶିକ୍ଷକର ନିର୍ଯାତନାରେ ଅତିଷ୍ଠ ହୋଇ ଆଉ ପାଠ ପଢ଼ିବ ନାହିଁ ବୋଲି ମା’କୁ କହିଥିଲା। ମା’ କାରଣ ଜାଣିବାକୁ ଚାହିଁଥିବା ବେଳେ ଝିଅ ବଖାଣି ଥିଲା ଦୀର୍ଘ ଦିନ ହେଲା ଯୌନ ପିପାଶୁ ଶିକ୍ଷକଙ୍କ କାମ। କଥା ଶୁଣି ମା’-ବାପାଙ୍କ ମୁଣ୍ଡରେ ଚିନ୍ତାରେ ବାଦଲ ଢ଼ାଙ୍କି ହୋଇପଡିଥିଲା। ଖାଲି ଜଣେ ଛାତ୍ରୀ ନୁହେଁ ଅନ୍ୟ ଜଣେ ଛାତ୍ରୀ ମଧ୍ୟ ଶିକ୍ଷକଙ୍କ ବିରୁଦ୍ଧରେ ସମାନ ଅଭିଯୋଗ ଆଣିଛି। ପରିବାର ଲୋକ ଘଟଣା ସଂପର୍କରେ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ଭେଟି ପଚାରିଥିବା ବେଳେ ସ୍କୁଲରେ ଉଭୟ ଅଭିଭାବକଙ୍କ ଆଗରେ ଛାତ୍ରୀ ଦ୍ଵୟଙ୍କୁ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଖରାପ ବ୍ୟବହାର କରିଥିଲେ।

ତେବେ ଘଟଣା ରାଜନୈତିକ ଚାପରେ ଘଟଣା ଚାପି ହୋଇଯିବା ଭୟରେ ଉଭୟ ପରିବାରର ଅଭିଭାବକ ଥାନାକୁ ନଯାଇ ଆଗ ସଖୀ କେନ୍ଦ୍ରରେ ପହଞ୍ଚି ଘଟଣା ସଂପର୍କରେ ଜଣାଇଥିଲେ। ସଖୀର କର୍ମଚାରୀ ଉଭୟ ଛାତ୍ରୀଙ୍କ କାଉନସିଲିଂ କରିବା ପରେ ପରିବାର ଦ୍ଵାରା ପାଣିକୋଇଲି ଥାନାରେ ଅଭିଯୋଗ କରିଥିଲେ। ଉଭୟ ପରିବାର ଏପରି ଶିକ୍ଷକଙ୍କୁ ଉଚିତ ଦଣ୍ଡ ମିଳୁ ବୋଲି କହୁଥିବା ବେଳେ ଏପରି ଶିକ୍ଷକ ଶିକ୍ଷା ବିଭାଗ ପାଇଁ କଳଙ୍କ ବୋଲି କହିବା ସହ ତାଙ୍କୁ ଆଇନ ଅନୁସାରେ ଫାଶୀ ଦିଆଯାଉବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।

ତେବେ ପ୍ରଶ୍ନ ଉଠୁଛି ରାଜ୍ୟ ସରକାର ସ୍କୁଲ ପରିସରରେ ଟିଉସନ ବନ୍ଦ କରିଥିବା ବେଳେ ଉକ୍ତ ସ୍କୁଲ ପ୍ରଧାନ ଶିକ୍ଷକ କିପରି ଛାତ୍ରୀଙ୍କୁ ନେଇ ଟିଉସନ କରିବାକୁ ସଂପୃକ୍ତ ଶିକ୍ଷକଙ୍କୁ ଅନୁମତି ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର