ମାଲକାନଗିରି: ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କ ବିଭିନ୍ନ ଦାବି ପୂରଣକୁ ନେଇ ଆଜି ଶିକ୍ଷକମାନେ ଦାବିପତ୍ର ପ୍ରଦାନ କରିଛନ୍ତି। ଆଜି ଅପରାହ୍ନ ୫ଟାବେଳେ ମାଲକାନଗିରି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଶିକ୍ଷକମାନେ ପ୍ରକାଶ କରିଛନ୍ତି ଯେ, ରାଜ୍ୟର ଠିକା ନିଯୁକ୍ତି ଉଚ୍ଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ସହ ଶିକ୍ଷାକର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ନେସନାଲ ଇନକ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରିରେ ଗଣନା କରିବା, ଏକ୍ସ କ୍ୟାଡର ଶିକ୍ଷକମାନଙ୍କୁ ଏଲିମେଣ୍ଟାରୀ କ୍ୟାଡର ଭୁକ୍ତ କରିବା, କଳା ଓ କ୍ରୀଡା ଶିକ୍ଷକଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରିବା, ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ ମୂଳ ବେତନ ଲେଭେଲ-୯ ଓ ଗ୍ରେଡପେ ୪୨୦୦ ଟଙ୍କା ପ୍ରଦାନ କରିବା ଓ ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥାକୁ ପୁନରୁଦ୍ଧାର କରିବା ପାଇଁ ଦାବି କରିଛନ୍ତି।

Advertisment

ଏହି ଦାବି ପୂରଣ ନହେଲେ ଅଗଷ୍ଟ ମାସ ୧୬ ତାରିଖରୁ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନେ ସମୂହ ଛୁଟିରେ ଯିବା ସହ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେବେ। ମାଲକାନଗିରି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ତାରକ ମଣ୍ଡଳଙ୍କ ନେତୃତ୍ବରେ ରାଜ୍ୟ ଉପସଭାପତି ରଞ୍ଜିତ ନାୟକ, ଜିଲ୍ଲା ଶାଖାର ଉପଦେଷ୍ଟା ନାରାୟଣ ଭୋଳ, ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ପ୍ରଦୀପ କୁମାର ଦଳେଇ, ବସନ୍ତ କୁମାର ରଣା, ଉପସଭାପତି କେଶବ ବେହେରା, ସାଧାନା ମଣ୍ଡଳ, ସମ୍ମାଦକ ଦାମଦୋର ସାହୁ, ଦୟାଳ ବୈରାଗୀ, ରାଧେଶ୍ୟାମ ଜେନା, ଅର୍ଚ୍ଚନା ରାଣୀ ସେଠୀ, ସୁରେଶ ମେହେଟା, ସଚିନ କୃଷ୍ଣ ସାନା ଓ ଚିତ୍ତ ରଞ୍ଜନ ସରକାରଙ୍କ ସମେତ ଶତାଧିକ ଶିକ୍ଷକ ପ୍ରଥମେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଦାବିପତ୍ର ପ୍ରଦାନ କରିଥିଲେ। ଏହାପରେ ସେଠାରୁ ବାଇକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କରିଥିଲେ।