ଡେରାବିଶ ହାଇସ୍କୁଲ ନାଁକୁ ‘ସ୍ମାର୍ଟ’: ଶ୍ରେଣୀଗୃହ ନାହିଁ, ଶିକ୍ଷକ ଅଭାବ

ଖୁନ୍ଦାଖୁନ୍ଦି ହୋଇ ପଢୁଛନ୍ତି ପିଲା, ୫୬୩ ପିଲାଙ୍କୁ ଶିକ୍ଷକ ୮

ଡେରାବିଶ: ଡ଼େରାବିଶ ସରକାରୀ ଉଚ୍ଚ ବିଦ୍ୟାଳୟକୁ ‘ସ୍ମାର୍ଟ ସ୍କୁଲ’ର ମାନ୍ୟତା ମିଳିଲା। ଶ୍ରେଣୀଗୃହରେ ଟାଇଲ୍ସ ବସିଲା, ଏଲ୍‌ଇଡି ଲାଗିଲା। ସ୍ମାର୍ଟ ବେଂଚ, ଡେସ୍କ ପକାଗଲା। ଭଙ୍ଗାଦଦରା ଶ୍ରେଣୀଗୃହକୁ ଯେନତେନ ପ୍ରକାରେ ସଜଡା ଯାଇ ରଙ୍ଗାୟିତ କରାଗଲା। ବିଦ୍ୟାଳୟର ପ୍ରବେଶ ଫାଟକ, ପରିସରକୁ ଚକାଚକ କରି ଦିଆଗଲା। ବାହାରୁ ଯିଏ ବି ଏହି ବିଦ୍ୟାଳୟକୁ ଅନାଇବ ଭାବିବ ସତେ କେତେ ସ୍ମାର୍ଟ ଏ ବିଦ୍ୟାଳୟ ! ହେଲେ, ବାହାରୁ ଚକାଚକ ଦିଶୁଥିବା ଏହି ନାମକୁ ମାତ୍ର ସ୍ମାର୍ଟ ସ୍କୁଲ୍‌ କିନ୍ତୁ ଯାବତ୍ୟ ସମସ୍ୟା ଛନ୍ଦି ହୋଇପଡ଼ିଛି। ୧୯୫୧ ମସିହାରେ ସ୍ଥାନୀୟ ଅଂଚଳବାସୀ ଓ କେତେକ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ସ୍ଥାପିତ ଏହି ହାଇସ୍କୁଲର ଇତିହାସ ଗୈାରବମୟ। ହେଲେ, ସମସ୍ୟା ଏକାଧିକ। ନା ଅଛି ଆବଶ୍ୟକ ଶ୍ରେଣୀଗୃହ ନା ଶିକ୍ଷକଶିକ୍ଷୟିତ୍ରୀ। ଏ ବର୍ଷ ମୋଟ ୫୬୩ଜଣ ଛାତ୍ରଛାତ୍ରୀ ପାଠ ପଢିବାକୁ ଆସୁଛନ୍ତି। ସେମାନଙ୍କୁ ଶିକ୍ଷାଦାନ ପାଇଁ ରହିଛନ୍ତି ମାତ୍ର ୮ଜଣ ଶିକ୍ଷକ। ଏଥିରୁ ଅନୁମେୟ ବିଦ୍ୟାଳୟରେ ଶିକ୍ଷାଦାନ କେମିତି ଚାଲିଥିବ। ଶିକ୍ଷା ବିଭାଗର ଅପରିମାଣଦର୍ଶିତା ପାଇଁ ବର୍ତମାନ ଏହି ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ। ଏହାର ଭିତ୍ତିଭୂମିକୁ ନ ସଜାଡି ଓ ଆବଶ୍ୟକ ଶ୍ରେଣୀ ଗୃହ ନିର୍ମାଣ ନ କରି ପାଖାପାଖି ଦେଢ ବର୍ଷ ହେଲା ଏହି ସ୍କୁଲ୍‌କୁ ସ୍ମାର୍ଟସ୍କୁଲ୍‌ରେ ପରିଣତ କରାଯାଇଛି। ଏପଟେ ନିକଟସ୍ଥ ପଣ୍ତିତପାଟଣା ଏହାସହ ପ୍ରାଥମିକ ବିଦ୍ୟାଳୟକୁ ମିଶ୍ରଣ କରି ଦିଆଗଲା। ସେଠାରେ ଥିବା ଶିକ୍ଷକ ଏହି ବିଦ୍ୟାଳୟରେ କାର୍ଯ୍ୟରତ ଥିବା ବେଳେ ବର୍ଷାଧିକ କାଳ ହେବ ଶିକ୍ଷା ବିଭାଗ ତାଙ୍କୁ ଅନ୍ୟତ୍ର ବଦଳି କରି ତାଙ୍କ ସ୍ଥାନରେ ଏଯାବତ ଅନ୍ୟ କୈାଣସି ଶିକ୍ଷକଙ୍କୁ ନିଯୁ୍କ୍ତି ଦେଇନାହିଁ। ସେହିପରି ଛତାବଟ୍ଟ ବାଳିକା ହାଇସ୍କୁଲକୁ ଏହି ବିଦ୍ୟାଳୟ ସହିତ ଗତ କିଛି ବର୍ଷ ହେଲା ମିଶ୍ରଣ କରାଯାଇ ପିଲା ସଂଖ୍ୟା ବଢାଇ ଦିଆଯାଇଛି। ଶିକ୍ଷକଶିକ୍ଷୟିତ୍ରୀଙ୍କ ସଂଖ୍ୟା କିନ୍ତୁ ଯେତିକି ସେତିକି। ଫଳରେ ଏବେ ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ୯ଟି ଟିଆଇଟିଏମ ଶିକ୍ଷକ ପଦବି ରହିଥିଲେ ମଧ୍ୟ ସେଥରୁ ୪ଜଣ ଓ ୭ଟି ଟିଜି ପଦବି ମଧ୍ୟରୁ ୪ଜଣ ଶିକ୍ଷକ କାର୍ଯ୍ୟ କରୁଛନ୍ତି। ବର୍ତମାନ ୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ୫୩ ଛାତ୍ରଛାତ୍ରୀମାନଙ୍କ ପାଇଁ ସରକାରୀ ନିୟମ ଅନୁଯାଇ ୨ଜଣ ଶିକ୍ଷକଙ୍କ ଆବଶ୍ୟକତା ଥିବା ବେଳେ ଏହି ପଦବି ଖାଲି ରହିଛି।

ଏହି ପିଲାଙ୍କୁ ବିଭିନ୍ନ ସମୟରେ ହାଇସ୍କୁଲର ଉର୍ଦ୍ଦୁ ଶିକ୍ଷକ, ହିନ୍ଦୀ ଓ ଖେଳ ଶିକ୍ଷୟିତ୍ରୀ ପାଠପଢାଉଥିବା ଦେଖାଯାଇଛି। ସେହିପରି ଅନ୍ୟ ୮ଟି ଶିକ୍ଷକପଦବି ଏହି ବିଦ୍ୟାଳୟରେ ଖାଲି ପଡିଥିବା ଯୋଗୁଁ ଶିକ୍ଷାଦାନ ବ୍ୟବସ୍ଥା ଭୁଶୁଡି ପଡିଛି। ସେହିପରି ଶ୍ରେଣୀ ଗୃହ ଅଭାବ ପାଇଁ ୧ମରୁ ୫ମ ଶ୍ରେଣୀର ସମସ୍ତ ପିଲାମାନଙ୍କୁ ଗୋଟିଏ ଗୃହରେ ପାଠ ପଢାଯାଉଥିବା ବେଳେ ଷଷ୍ଠର ୮୪, ସପ୍ତମର ୮୩ ଓ ଅଷ୍ଟମର ୯୭ ପିଲାଙ୍କୁ ଗୋଟିଏ ଗୋଟିଏ ଶ୍ରେଣୀଗୃହରେ ବସା ଯାଇ ପାଠ ପଢା ଚାଲିଛି। ସେହିପରି ଏହି ବିଦ୍ୟାଳୟରେ ନିର୍ମାଣାଧୀନ ଥିବା ଡାଇନିଙ୍ଗ ହଲ୍‌ କାର୍ଯ୍ୟ ଅଧାପାନ୍ତରିଆ ଭାବେ ପଡିଥିବାରୁ ଛାତ୍ରଛାତ୍ରୀଙ୍କ ମାଧ୍ୟାହ୍ନ ଭୋଜନ ପ୍ରସ୍ତୁତ ଓ ସେମାନଙ୍କୁ ଖାଦ୍ୟ ପରିବେଷଣରେ ବିଦ୍ୟାଳୟ କର୍ତ୍ତୃପକ୍ଷ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶିକ୍ଷା ବିଭାଗ ତୁରନ୍ତ ବିଦ୍ୟାଳୟରେ ଆବଶ୍ୟକ ଶ୍ରେଣୀ ଗୃହ ନିର୍ମାଣ ସହିତ ଶିକ୍ଷକଶିକ୍ଷୟିତ୍ରୀ ଯୋଗାଇ ଦେବା ଓ ବିଦ୍ୟାଳୟର ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବା ନିମନ୍ତେ ଅଂଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର