ରାୟଗଡ଼ା: ଅନୁସୂଚିତ ଜାତି, ଜନଜାତି କଲ୍ୟାଣ ବିଭାଗ ସ୍କୁଲରେ ଚାକିରି କରିବାକୁ ଇଚ୍ଛୁକ ନାହାନ୍ତି ଶିକ୍ଷକ/ଶିକ୍ଷୟିତ୍ରୀ। ଶିକ୍ଷାଦାନକୁ ଛାଡ଼ିଲେ ମଧ୍ୟାହ୍ନ ଭୋଜନ, ହଷ୍ଟେଲ ପରିଚାଳନା, ଅନ୍ତୋବାସୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଭଳି ଗୁରୁଦାୟିତ୍ବ ତୁଲାଇବାକୁ ଅନିଚ୍ଛା ପ୍ରକାଶ କରି ଚାକିରି ଛାଡ଼ୁଛନ୍ତି। ଯେଉଁଥିପାଇଁ ରାୟଗଡ଼ାର ଆଶ୍ରମ, ସେବାଶ୍ରମ ଓ ହାଇସ୍କୁଲରେ ୨୩୮ ଶିକ୍ଷକ ପଦବି ଖାଲି ପଡିଛି। ଖୋଦ୍ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନିଜ ଜିଲ୍ଲାରେ ଗତ ୨ ବର୍ଷରେ ନୂତନ ନିଯୁକ୍ତି ପାଇଥିବା ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ୫୦ରୁ ଉର୍ଦ୍ଧ୍ବ ଇସ୍ତଫା ଦେବା ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି। ରାୟଗଡ଼ା ଜିଲ୍ଲାରେ ଅନୁସୂଚିତ ଜାତି ଜନଜାତି କଲ୍ୟାଣ ବିଭାଗର ୧୩୨ ସ୍କୁଲ ରହିଛି। ଯେଉଁଥିରେ ପ୍ରଥମରୁ ଦଶମ ଶ୍ରେଣୀ ମଧ୍ୟରେ ୬୨ ହଜାରରୁ ଉର୍ଦ୍ଧ୍ବ (ରାଜ୍ୟରେ ସର୍ବାଧିକ) ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି।
ଆଦିବାସୀ, ପଛୁଆ ବର୍ଗ ପିଲାଙ୍କୁ ଶିକ୍ଷିତ କରି ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ସରକାର ମାଗଣା ଶିକ୍ଷା, ହଷ୍ଟେଲ ଓ ଷ୍ଟାଇପେଣ୍ଡର ବ୍ୟବସ୍ଥା କରିଛନ୍ତି। କିନ୍ତୁ ଶିକ୍ଷାଦାନ ସହ ଅତିରିକ୍ତ ଦାୟିତ୍ବକୁ ବୋଝ ଭାବି ମଙ୍ଗଳ ବିଭାଗ ସ୍କୁଲରୁ ଚାକିରି ଛାଡ଼ି ବହୁ ଶିକ୍ଷକ/ଶିକ୍ଷୟିତ୍ରୀ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଚାଲି ଯାଉଛନ୍ତି। ଖାଲି ପଡିଥିବା ପଦବି ପୂରଣ ପାଇଁ ୨୦୨୧ ଡିସେମ୍ବରରେ ବିଭାଗ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିଥିଲା। ବିଜ୍ଞପ୍ତି ପ୍ରକାଶ ପରେ ଆବେଦନକାରୀଙ୍କ ମଧ୍ୟରୁ ୬୦ ଜଣ ଯୋଗ୍ୟ ବିବେଚିତ ହୋଇଥିଲେ। ହେଲେ ସାର୍ଟିଫିକେଟ ଭେରିଫିକେସନ୍ ପାଇଁ ଆସିଲେ ମାତ୍ର ୩୯ ଜଣ। ସେଥି ମଧ୍ୟରୁ ୩୪ ଚାକିରି କରିବା ପାଇଁ ଚୁକ୍ତି କରିଥିବା ବେଳେ ୨୭ ଚାକିରିରେ ଯୋଗ ଦେଇଥିଲେ। କିନ୍ତୁ ବିଭିନ୍ନ କାରଣ ଦର୍ଶାଇ ଇତି ମଧ୍ୟରେ ୨୭ ଜଣଙ୍କ ମଧ୍ୟରୁ ୧୦ ଚାକିରି ଛାଡ଼ି ପଳାଇଲେଣି। ଅଛନ୍ତି ଆଉ ୧୭। ଅଧିକାଂଶ ଆବେଦନକାରୀ ଭଦ୍ରକ, ବାଲେଶ୍ବର ଭଳି ଉପକୂଳ ଜିଲ୍ଲାରୁ ଆସିଥିବାରୁ କିଏ ବର୍ଷେ ତ କିଏ ୬ ମାସ ଏବଂ କିଛି ନିଯୁକ୍ତିର ମାସକ ମଧ୍ୟରେ ଚାକିରି ଛାଡ଼ି ପଳାଉଛନ୍ତି। ଅପହଞ୍ଚ ଇଲାକାରେ ସ୍କୁଲ, ଦୁର୍ବଳ ଭିତ୍ତିଭୂମି, ଯାତାୟାତ, ବିଦ୍ୟୁତ୍ ସମସ୍ୟା ଏବଂ ମୋବାଇଲ୍ ନେଟୱର୍କ ନଥିବା ଚାକିରି ଛାଡ଼ିବାର ଅନ୍ୟତମ ମୁଖ୍ୟ କାରଣ। କଟକରୁ ଆସି ଚାକିରି ପାଇଥିବା ଜଣେ ଶିକ୍ଷୟିତ୍ରୀଙ୍କୁ ବିଭାଗ ପକ୍ଷରୁ କୋଲନରା ବ୍ଲକର ଝରଡ଼ି ସ୍କୁଲରେ ନିଯୁକ୍ତି ଦିଆଯାଇଥିଲା।
ମୁକୁନ୍ଦପୁରରୁ ୧୫ କିମି ଦୂରରେ ଆନ୍ଧ୍ର ସୀମାନ୍ତରେ ଝରଡ଼ି ସ୍କୁଲ ଥିବାରୁ ଚାକିରିରେ ଯୋଗଦେବାକୁ ଯାଇଥିବା ଶିକ୍ଷୟିତ୍ରୀ ସ୍କୁଲ୍ ଭୌଗୋଳିକ ଅବସ୍ଥାକୁ ଦେଖି ସ୍କୁଲକୁ ଯିବା ପରିର୍ବତ୍ତେ ଇ-ମେଲରେ ଇସ୍ତଫା ପତ୍ର ଦେଇ ଚାଲି ଯାଇଥିଲେ। ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଭୌଗୋଳିକ ସ୍ଥିତି ସହ ଉପକୂଳ ଓଡ଼ିଶାର ଆବେଦନକାରୀ ଖାପ ଖୁଆଇ ପାରୁନଥିବାରୁ ପରବର୍ତ୍ତୀ ସମୟରେ ନିଜ ଜିଲ୍ଲାର ପ୍ରାର୍ଥୀଙ୍କୁ ମଧ୍ୟ ନିଯୁକ୍ତିରେ ବିଭାଗ ଗୁରୁତ୍ବ ଦେଇଥିଲେ। ଅଥଚ ସ୍ଥିତି ଯଥା ପୂର୍ବଂ ତଥା ପରଂ। ରାୟଗଡ଼ା ଜିଲ୍ଲାରୁ ବିଭାଗରେ ଚାକିରି ପାଇଥିବା ୧୭ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ମଧ୍ୟରୁ ଆଜି ସୁଦ୍ଧା ୧୬ ଜଣ ଚାକିରି ଛାଡ଼ି ପଳାଇଥିବା ବେଳେ ଅଛନ୍ତି ଆଉ ମାତ୍ର ଜଣେ। ଫଳରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ହାଇସ୍କୁଲ୍ ସ୍ତରରେ କମ ଶିକ୍ଷକରେ ଚାଲିଛି ପାଠପଢ଼ା। ବିଭାଗ ପକ୍ଷରୁ ମିଳିଥିବା
ସୂଚନା ମୁତାବକ, ୨୦୧୯-୨୦ ଶିକ୍ଷାବର୍ଷରେ ନିଯୁକ୍ତି ପାଇଥିବା ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ମଧ୍ୟରୁ ୨୨, ୨୦୨୦-୨୧ ଶିକ୍ଷାବର୍ଷରେ ୨୧ ଶିକ୍ଷକ/ଶିକ୍ଷୟିତ୍ରୀ ଚାକିରି ଛାଡ଼ିଛନ୍ତି। ମଙ୍ଗଳ ବିଭାଗ ସ୍କୁଲରୁ ଚାକିରି ଛାଡ଼ୁଥିବା ୯୦ ପ୍ରତିଶତ ଶିକ୍ଷକ/ଶିକ୍ଷୟିତ୍ରୀ ସ୍କୁଲ ଓ ଗଣଶିକ୍ଷା ବିଭାଗର ସ୍କୁଲରେ ଯୋଗ ଦେଉଛନ୍ତି। ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଶିକ୍ଷାଦାନକୁ ଛାଡ଼ିଲେ ଗଣଶିକ୍ଷା ବିଭାଗ ସ୍କୁଲରେ ଅନ୍ୟ କିଛି ଦାୟିତ୍ବ ନଥାଏ। କିନ୍ତୁ ମଙ୍ଗଳ ବିଭାଗରେ ସ୍କୁଲ୍ ପରିଚାଳନା, ଅନ୍ତେବାସୀଙ୍କ ଖାଦ୍ୟପେୟ, ସ୍ବାସ୍ଥ୍ୟବସ୍ଥା ତଦାରଖ ଦାୟିତ୍ବ ରହୁଛି। କେବଳ ଆଶ୍ରମ, ସେବାଶ୍ରମ, ହାଇସ୍କୁଲ ନୁହେଁ ବିଭାଗର ଉଚ୍ଚ ମାଧ୍ୟମିକ ସ୍କୁଲରେ ମଧ୍ୟ ଅବସ୍ଥା ତଦ୍ରୁପ। ଅଧିକାଂଶ ସ୍କୁଲରେ ଉଚ୍ଚ ଶିକ୍ଷା ପାଇଁ ନିୟମିତ ଶିକ୍ଷକ ନଥିବାରୁ ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ନେଇ ଚାଲିଛି ପାଠପଢ଼ା। ବର୍ତ୍ତମାନ ବିଭାଗ ୧୧୭ ଶିକ୍ଷକ ପଦବି ପୂରଣ ପାଇଁ ପୁଣି ବିଜ୍ଞପ୍ତି ପ୍ରକାଶ କରିଛି। ଦେଖିବାର କଥା ବିଜ୍ଞପ୍ତି ପ୍ରକ୍ରିୟା ଶେଷ ପରେ ସ୍ଥିତିରେ କିଛି ସୁଧାର ଆସୁଛି ନା ପୂର୍ବବତ ମାସ ମାସ ଧରି ଚାଲିଥିବା ଉଦ୍ୟମ ବିଭାଗର ବୃଥାରେ ଯାଉଛି।