ଝାରସୁଗୁଡ଼ା: ସ୍ଥାନୀୟ ପ୍ରସନ୍ନ ପଣ୍ଡା ଛକରେ ଗୁରୁବାର ଅପରାହ୍ନ ସାଢେ ୪ ଟାରେ ଟ୍ରକ ଚାପାରେ ଜଣେ ଶିକ୍ଷୟିତ୍ରୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ସରବାହାଲ ସରସ୍ୱତୀ ଶିଶୁ ମନ୍ଦିରର ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ସୁତାର(୩୭) ସ୍କୁଲ ଛୁଟି ପରେ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।
ସୂଚନା ଅନୁସାରେ ଶିକ୍ଷୟିୟୀଙ୍କ ଘର ଲହଣ୍ଡାବୁଡ଼ ଗ୍ରାମକୁ ସ୍କୁଟିରେ ଫେରୁଥିବା ବେଳେ ପ୍ରସନ୍ନ ପଣ୍ଡା ଛକରେ ମୋଡ଼ାଣି ଠାରେ ପଛପଟୁ ଏକ ଟ୍ରକ ତାଙ୍କୁ ଧକ୍କା ଦେଇ ତାଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଶିକ୍ଷୟିତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।
ଗତ ସପ୍ତାହକ ମଧ୍ୟରେ ଏହି ସ୍ଥାନରେ ୩ଟି ଜୀବନ ଯାଇଥିବାରୁ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା ଓ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରି ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏହାର ପ୍ରତିକାର ଦାବି କରିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ୍ ୱେ ଏବଂ ଝାରସୁଗୁଡ଼ା- ରାୟଗଡ଼ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବନ୍ଦ ରହିଛି।