ଆଠଗଡ: କଟକ ଜିଲ୍ଲା ଆଠଗଡ ଗାନ୍ଧିମାର୍ଗ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିରରେ ଗୁରୁଜୀ, ଗୁରୁମା ମାନଙ୍କୁ ୯ ମାସର ଦରମା ମିଳିନାହିଁ। ଏହା ପଚାରିବାରେ ଆକ୍ରୋଶମୂଳକ ଭାବେ ୬ ଜଣଙ୍କୁ ଛଟେଇ କରାଯାଇଛି। ଏହାର ପ୍ରତିବାଦରେ ଆଜି ବିଦ୍ୟାଳୟ ସମ୍ମୁଖରେ ଗୁରୁଜୀ, ଗୁରୁମା ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲା ଶିକ୍ଷା ଅଧିକାରୀ, ଶିକ୍ଷା ବିକାଶ ସମିତି ଓଡିଶାଙ୍କୁ ଅଭିଯୋଗ ପ୍ରଦାନ କରିଛନ୍ତି। କରୋନା ମହାମାରୀ ସମୟରେ ବିଭିନ୍ନ ବେସରକାରୀ ବିଦ୍ୟାଳୟ ବନ୍ଦ ହୋଇଯାଇଥିଲା ବେଳେ ଉକ୍ତ ବିଦ୍ୟାଳୟର ଗୁରୁଜୀ ଓ ଗୁରୁମା ମାନେ ଅନ୍ଲାଇନ ଶିକ୍ଷାଦାନ, ପରବର୍ତ୍ତୀ ସମୟରେ ନବମ, ଦଶମ ଶ୍ରେଣୀରେ ସୁଚାରରୂପେ ଶିକ୍ଷାଦାନ କରି ଆସୁଛନ୍ତି।
କରୋନା କାଳରେ ଗୁରୁଜୀ ଓ ଗୁରୁମାଙ୍କ ଚେଷ୍ଟା ଫଳରେ ସମସ୍ତ ଅଭିଭାବକ ମାନେ ବିଦ୍ୟାଳୟ ଦୈୟ ପୈଠ କରିଛନ୍ତି। ବିଦ୍ୟାଳୟର ସମସ୍ତ ଆୟବ୍ୟୟର ହିସାବ ଗୁରୁଜୀ, ଗୁରୁମା ମାନେ ଜାଣିବାର ନିୟମ ଅଛି। ୨୦/୨୧ ଆର୍ଥିକ ବର୍ଷରେ କୈଣସି କାର୍ଯ୍ୟକ୍ରମ ହୋଇନଥିବାରୁ ସଂଗୃହୀତ ସମସ୍ତ ଅର୍ଥ ରାଶି ଖର୍ଚ୍ଚ ହେବାର କୈଣସି ଅବକାଶ ନାହିଁ। ଉପରୋକ୍ତ ହିସାବ ମାଗିବାରୁ ଆକ୍ରୋଶ ମନୋଭାବ ରଖି ୬ ଜଣ ବରିଷ୍ଠ ଗୁରୁଜୀ ଓ ଗୁରୁମାଙ୍କୁ ଛଟେଇ କରାଯାଇଛି। ବିଦ୍ୟାଳୟର ୩୪ ଗୁରୁଜୀ ଓ ଗୁରୁମା ମାନଙ୍କୁ ୨୦/୨୧ ଶିକ୍ଷା ବର୍ଷରେ ୮ ମାସର ଦରମାରୁ ଶତକଡା ୭୫ ଭାଗ ପ୍ରଦାନ କରିଥିବା ବେଳେ ୪ ମାସର ଦରମା ଆଦୌ ଦେଇ ନଥିବା ତଥା ୨୧/୨୨ ବର୍ଷରେ ୩ ମାସ ଦରମାର ଶତକଡା ୭୫ ଭାଗ ଦେଇଥିବା ବେଳେ ୩ ମାସର ଦରମା ଆଦୌ ନ ଦେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଲକ୍ଷଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି।
ବିଦ୍ୟାଳୟର ଜଣେ ପ୍ରାକ୍ତନ ପ୍ରଧାନ ଆଚାର୍ଯ୍ୟ ଦେବାଶିଷ ପଟ୍ଟନାୟକ ଯିଏକି ଆଠବର୍ଷ ହେବ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳର ଇଶେରାପାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିଲେ ମଧ୍ୟ ଅଧିକାଂଶ ଦିବସରେ କର୍ମ କ୍ଷେତ୍ରକୁ ନଯାଇ ସରସ୍ୱତୀ ଶିଶୁ ମନ୍ଦିର ପ୍ରଧାନ ଶିକ୍ଷକଙ୍କ ସହ ମିଶି ନାନାପ୍ରକାର ଆର୍ଥିକ ଦୁର୍ନୀତିରେ ଲିପ୍ତ ରହିଛନ୍ତି ବୋଲି ଅଭିଯୋଗ ହୋଇଛି। ବିଦ୍ୟାଳୟ ପରିଚାଳନା କମିଟି ପ୍ରତି ୩ ବର୍ଷରେ ଗଠନ ହେବାର ନିୟମ ଥିବାବେଳେ ଏଠାରେ ଏହାର ବ୍ୟତିକ୍ରମ ଦେଖାଯାଇଛି। ବିଦ୍ୟାଳୟରେ ଅଶାନ୍ତି ବୃଦ୍ଧି ପାଇଲେ ଆଗାମୀ ଦିନରେ ଏହାର ପ୍ରଭାବ ଛାତ୍ରଛାତ୍ରୀଙ୍କ ଉପରେ ପଡିବ। ଗୁରୁଜୀ ଓ ଗୁରୁମା ମାନଙ୍କ ଦାବୀକୁ ସମର୍ଥନ କରି ଅଭିଭାବକ ମାନେ ମଧ୍ୟ ଆସିଥିଲେ। ପ୍ରକାଶଯୋଗ୍ୟ, ଏହି ବିଦ୍ୟାଳୟରେ ପ୍ରତ୍ୟେକ ବର୍ଷ ମାଟ୍ରିକ ପରୀକ୍ଷାରେ ଶତପ୍ରତିଶତ ପରୀକ୍ଷା ଫଳ ହେବାସହ ଆଠଗଡରେ ଏକାଧିକ ଛାତ୍ରଛାତ୍ରୀ ଗ୍ରେଡ୍-ଏ ପାଇଥାନ୍ତି। ଏଭଳି ଏକ ପୁରୁଣା ଅନୁଷ୍ଠାନର ସମସ୍ୟା ତଥା ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ତୁରନ୍ତ ପ୍ରଶାସନ ହସ୍ତକ୍ଷେପ କରିବା ପାଇଁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/WhatsApp-Image-2021-10-28-at-6.41.03-PM.jpeg)